ରାଜ୍ୟପାଳମାନେ ବିକାଶର ରାଜଦୂତ: ରାଷ୍ଟ୍ରପତି

0

ନୂଆଦିଲ୍ଲୀ : ରାଜ୍ୟପାଳମାନେ ଏଣିକି ନିୟମିତ ନିଜ ରାଜ୍ୟର ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କର ବୈଠକ ଡାକନ୍ତୁ, ବିଶ୍ୱବିଦ୍ୟାଳୟଗୁଡ଼ିକରେ ଶୂନ୍ୟ ଥିବା ଶିକ୍ଷକ ପଦ ପୂରଣ ପାଇଁ ପଦକ୍ଷେପ ନିଅନ୍ତୁ, ଗବେଷଣାକୁ ପ୍ରୋତ୍ସାହନ ଦିଅନ୍ତୁ, ପ୍ରଚଳିତ ପାଠ୍ୟକ୍ରମ ଉପରେ ସମୀକ୍ଷା କରନ୍ତୁ ଓ ଠିକ୍‍ ସମୟରେ ପରୀକ୍ଷା ଫଳ ପ୍ରକାଶ ଉପରେ ପଦକ୍ଷେପ ଗ୍ରହଣ କରନ୍ତୁ। ୪୯ତମ ରାଜ୍ୟପାଳ ସମ୍ମିଳନୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏଭଳି ପରାମର୍ଶ ଦେଇଛନ୍ତି। ଏହାଛଡ଼ା ରାଜ୍ୟପାଳ ନିୟମିତ ସମସ୍ତ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରନ୍ତୁ ବୋଲି କୋବିନ୍ଦ କହିଛନ୍ତି।
ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଦୁଇ ଦିନିଆ ସମ୍ମିଳନୀରେ ଉଦ୍‍ବୋଧନ ଦେଇ କୋବିନ୍ଦ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗ ଅନୁମୋଦିତ ମାନରକ୍ଷା ବିଧି ଯଥାର୍ଥ ଭାବେ ପ୍ରତିପାଳିତ ହେବା ଉପରେ ରାଜ୍ୟପାଳମାନେ ଧ୍ୟାନ ଦେବା ଉଚିତ। ଏହାଛଡ଼ା ବୃତ୍ତିଗତ ଶିକ୍ଷାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ବିଭିନ୍ନ ଶିଳ୍ପ ସଂସ୍ଥା ସହିତ ବିଶ୍ୱବିଦ୍ୟାଳୟକୁ ସଂଯୋଗ କରାଯିବା ଓ ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ ଦେବା ଉଚିତ ବୋଲି ସେ କହିଥିଲେ। ରାଜ୍ୟପାଳମାନଙ୍କୁ ସେ ‘ବିକାଶର ରାଜଦୂତ’ ଭାବେ ବର୍ଣ୍ଣନା କରିବା ସହ ସେମାନେ ସାମାଜିକ ପରିବର୍ତ୍ତନର ବାର୍ତ୍ତାବହ ହେବା ଉଚିତ ବୋଲି ରାଷ୍ଟ୍ରପତି କହିଛନ୍ତି।
ଅପରପକ୍ଷରେ ଦେଶର ସଙ୍ଘୀୟ ବ୍ୟବସ୍ଥା ଏବଂ ସାମ୍ବିଧାନିକ ସଂରଚନାରେ ରାଜ୍ୟପାଳଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ରାଜ୍ୟପାଳମାନେ ନିଜ ଜୀବନକାଳ ମଧ୍ୟରେ ହାସଲ କରିଥିବା ଅନୁଭୂତିର ଉପଯୋଗ ପୂର୍ବକ ନିଜ ରାଜ୍ୟବାସୀଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଲାଭ ପ୍ରଦାନ କରିପାରିବେ। ବିଶେଷକରି ଆଦିବାସୀ ବହୁଳ ରାଜ୍ୟର ରାଜ୍ୟପାଳମାନେ ଏହି ସମ୍ପ୍ରଦାୟର ଉତ୍‍ଥାନ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ କହିଛନ୍ତି।

Leave A Reply