ବିଫଳ ମହାଭିଯୋଗ ; ଟ୍ରମ୍ପଙ୍କ ପାଇଁ ରାଜନୈତିକ ଲାଭ

ଗୋଟିଏଗୋଟିଏ ଘଟଣା କୌଣସି ଏକ ଦେଶର ରାଜନୈତିକ ଭାଗ୍ୟ ବଦଳାଇବା ସହ ସଂଘର୍ଷରତ ନେତାଙ୍କ  ପାଇଁ କ୍ଷମତାର ପୁଞ୍ଜି ପାଲଟିଥାଏ। ଜଣେ ତଥାକଥିତ ନିନ୍ଦିତ ନେତାଙ୍କୁ କ୍ଷମତାଚ୍ୟୁତ କରିବାର ବିରୋ‌ଧୀଙ୍କ ଚତୁର ରାଜନୈତିକ କୌଶଳ ମଧ୍ୟ ସେଇ ବ୍ୟକ୍ତିଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରେ। ଭାରତରେ ଏହାର ଉଦାହରଣ ରହିଛି। ଉଭୟ ଇନ୍ଦିରା ଗାନ୍ଧୀ ଓ ନରେନ୍ଦ୍ର ମୋଦୀଙ୍କ କ୍ଷେତ୍ରରେ ତାହା ପ୍ରମାଣିତ ହୋଇଛି। ଏବେ ମୋଦୀ ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ଯେପରି କଡ଼ା ବିରୋଧର ସମ୍ମୁଖୀନ ହୋଇଛନ୍ତି ତାହା ପୁନର୍ବାର ଗୁଜରାଟ ଦଙ୍ଗା ଅଥବା ବିମୁଦ୍ରାୟନ ଘଟଣାଭଳି ତାଙ୍କ ପାଇଁ ଭୋଟ ରାଜନୀତିରେ ଲାଭଦାୟକ ହେବ କି ନାହିଁ ତାହା ଦେଖିବାକୁ ବାକି ଅଛି।

ମୋଦୀଙ୍କ ଭଳି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜଣେ ବିତର୍କିତ ରାଜନେତା, ଯାହାଙ୍କୁ ଗଣମାଧ୍ୟମ ଓ ତଥାକଥିତ ଉଦାରବାଦୀ ଗଣତନ୍ତ୍ରପ୍ରେମୀମାନେ ଦୃଢ଼ ବିରୋଧ କରନ୍ତି। ସେ ଜିଦ୍‌ଖୋର ଓ ରକ୍ଷଣଶୀଳ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଯେଉଁ ଉଦାରତା ରହିବା କଥା ସେଥିରେ ସେ ବିଶ୍ବାସ କରନ୍ତି ନାହିଁ ଏବଂ ଉଚ୍ଚାରଣ ଓ ଆଚରଣରେ ପ୍ରାୟତଃ ଦକ୍ଷିଣପନ୍ଥୀ। ସେ ମଧ୍ୟ ଆମେରିକାର ସ୍ବାର୍ଥକୁ ସର୍ବାଗ୍ରେ ରଖି ବିଶ୍ବାୟନ ଓ ଆନ୍ତର୍ଜାତିକବାଦକୁ ବିରୋଧ କରନ୍ତି। ତେଣୁ ଏଇ ପକ୍କା ରିପବ୍ଲିକାନ ନେତାଙ୍କୁ ଆମେରିକାର ଗଣତନ୍ତ୍ରବାଦୀ (ଡେମୋକ୍ରାଟ) ଓ ଉଦାରବାଦୀମାନେ ଦୃଢ଼ ବିରୋଧ କରିଥାନ୍ତି।

ତାଙ୍କ ବିରୋଧରେ ବିରୋଧୀ ଡେମୋକ୍ରାଟମାନେ ଯେଉଁ ମହାଅଭିଯୋଗ ପ୍ରସ୍ତାବ ଆଣିଥିଲେ ତାହା ଅବଶେଷରେ ଦେଶର ଶକ୍ତିଶାଳୀ ସିନେଟରେ ଅଳ୍ପକେ କାଟ ଖାଇଯାଇଛି। ରିପବ୍ଲିକାନ ସଦସ୍ୟଙ୍କ ସଂଖ୍ୟାଗରିଷ୍ଠତା ଯୋଗୁ ଟ୍ରମ୍ପ ବର୍ତ୍ତି ଯାଇଛନ୍ତି। ଏଇ ପ୍ରସ୍ତାବ ସିନେଟରେ ଗୃହୀତ ହୋଇଥିଲେ ଟ୍ରମ୍ପ ରାଷ୍ଟ୍ରପତି ପଦରୁ ତଡ଼ା ଖାଇଥାନ୍ତେ ଏବଂ ଚଳିତବର୍ଷ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ତାଙ୍କର ପ୍ରତିଦ୍ବନ୍ଦ୍ବିତା ଓ ବିଜୟର ସମ୍ଭାବନା ଧୂଳିସାତ୍‌ ହୋଇଥାନ୍ତା। ତାହା କିନ୍ତୁ ସମ୍ଭବ ହେଲାନାହିଁ ଏବଂ ଟ୍ରମ୍ପ ନିର୍ଦୋଷ ପ୍ରମାଣିତ ହୋଇଛନ୍ତି। ତାଙ୍କ ବିରୋଧରେ ଅଭିଯୋଗ ଥିଲା ଯେ ସେ ପ୍ରଥମଥର ରାଷ୍ଟ୍ରପତି ପଦପାଇଁ ନିର୍ବାଚନ ଲଢ଼ିବାବେଳେ ନିଜର ବିଜୟ ପାଇଁ ଅନ୍ୟ ଦେଶର ସହାୟତା ଲୋଡ଼ିଥିଲେ। ଛାୟାକୂଟନୀତି ବା ‘ସାଡ଼ୋ ଡିପ୍ଲୋମାସି’ ମାଧ୍ୟମରେ ରାଷ୍ଟ୍ରପତି ନିର୍ବାଚନରେ ଜଣେ ପ୍ରାର୍ଥୀ ବିଜୟ ପାଇଁ ଅନ୍ୟ ଦେଶର ସହାୟତା ଲୋଡ଼ିବା ଆମେରିକାର ନିୟମ ଅନୁସାରେ ଦୋଷାବହ। ଏଥିପାଇଁ ଯେଉଁ ତଦନ୍ତ ହୋଇଥିଲା ତାହାର ରିପୋର୍ଟ ଥିଲା ୨୮ହଜାର ପୃଷ୍ଠା ସମ୍ବଳିତ ଏକ ବିରାଟ ଦସ୍ତାବିଜ୍‌। ହେଲେ ସିନେଟ୍‌ ଭୋଟରେ ଏଇ ଅଭିଯୋଗ ଖାରଜ ହେବାପରେ ମାମଲାର ପରିସମାପ୍ତି ଘଟିଛି।

prayash

ଏଇ ମହାଭିଯୋଗ ପ୍ରସ୍ତାବକୁ ନେଇ ଆମେରିକାରେ ବେଶ୍‌ ହଇଚଇ ସୃଷ୍ଟିହେବା ସହ ଭୋଟରମାନେ ଦଳଗତ ଆଧାରରେ ବିଭାଜିତ ହୋଇଥିଲେ। ତାଙ୍କୁ ବଦନାମ କରିବାକୁ ଏହା ବିରୋଧୀଙ୍କର ଡାହାଣୀ ଶିକାର କୌଶଳ ବୋଲି ଟ୍ରମ୍ପ  ବରାବର କହିବାସହ ସେ ନିର୍ଦୋଷ ବୋଲି ସଫେଇ ଦେଇ ଆସୁଥିଲେ। ପ୍ରସ୍ତାବ କାଟ ଖାଇବା ପରେ ସେ ଆନନ୍ଦିତ ଓ ଉତ୍ସାହିତ ହେବା ସ୍ବାଭାବିକ। ଏହା ତାଙ୍କୁ ନର୍ଦୋଷ ପ୍ରମାଣିତ କରିଛି ଏବଂ ବିରୋଧୀଙ୍କ ଏକ ଚାଲ ପଦାରେ ପଡ଼ିଛିବୋଲି ମତ ଦେଇଛନ୍ତି। ଏହାକୁ ସେ ଆମେରିକାବାସୀଙ୍କ ବିଜୟ ବୋଲି କହିଛନ୍ତି।

ଟ୍ରମ୍ପ ତାଙ୍କର ଆଚରଣ, ଉଚ୍ଚାରଣ ଓ ବିଚାର ଦୃଷ୍ଟିରୁ ଆମେରିକାର ଜଣେ ଆଦର୍ଶସ୍ଥାନୀୟ ନେତା ନୁହନ୍ତି। ସେ ଉଗ୍ରଜାତୀୟତାବାଦୀ ଓ ପ୍ରଚଣ୍ଡ ଆମେରିକାପ୍ରେମୀ। ତାଙ୍କୁ ସେ ଦେଶର ଉଦାରବାଦୀ, ଡେମୋକ୍ରାଟ ମହିଳା ଓ ଅଣ-ଶ୍ବେତାଙ୍ଗମାନେ ବିରୋଧ କରନ୍ତି। ଏହାସତ୍ତ୍ବେ ସେ କଡ଼ା ମୁକାବିଲାରେ ସଫଳ ହୋଇ ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ। ରାଷ୍ଟ୍ରପତି ଭାବେ ତାଙ୍କ ଚାରିବର୍ଷର କାର୍ଯ୍ୟକାଳ ମଧ୍ୟ ଯାବତୀୟ ବିବାଦ ଓ ଅଭିଯୋଗରେ ଛନ୍ଦି ହୋଇଛି। ତଥାପି ରିପବ୍ଲିକାନ ଦଳ ତାଙ୍କୁ ଦ୍ବିତୀୟବାର ରାଷ୍ଟ୍ରପତି ପ୍ରାର୍ଥୀ କରୁଛି। ଏହାର କାରଣ ଅତି ସ୍ପଷ୍ଟ। ତାଙ୍କ ଦଳ ଟ୍ରମ୍ପଙ୍କ ମୂଲ୍ୟ ବୁଝିଛି। ଆମେରିକୀୟ ସମାଜ ଆଉ ଉଦାରବାଦୀ ହୋଇ ରହିନାହିଁ। ଏଇ ସମାଜ ଆଉ ସମଗ୍ର ବିଶ୍ବବାସୀଙ୍କ ପାଇଁ ଉନ୍ମୁକ୍ତ ନୁହେଁ; କାରଣ ଅଧିକରୁ ଅଧିକ ଆମେରିକୀୟ, ବିଶେଷକରି ଶ୍ବେତାଙ୍ଗମାନେ କ୍ରମଶଃ ରକ୍ଷଣଶୀଳ ଓ ସ୍ବାର୍ଥସର୍ବସ୍ବ ହୋଇପଡ଼ୁଛନ୍ତି। ଗଣତନ୍ତ୍ର ଭିତରେ ସେମାନେ ଅଧିକ ବହୁସଂଖ୍ୟକବାଦୀ ପାଲଟୁଛନ୍ତି।

ଏଇ ପ୍ରକ୍ରିୟାରେ ଶ୍ବେତାଙ୍ଗ ଆମେରିକୀୟ ସ୍ବାର୍ଥ ସର୍ବାଗ୍ରେ ରହୁଛି। ଅର୍ଥନୀତି, ବାଣିଜ୍ୟ, ନିଯୁକ୍ତି, ପ୍ରତିଷ୍ଠା, ପଦପଦବୀ, ଜାତୀୟ ଓ ଆନ୍ତର୍ଜାତିକ ପ୍ରସଙ୍ଗରେ ଆମେରିକାର ସ୍ବାର୍ଥରକ୍ଷା ପ୍ରଥମ ଓ ଆଉ ସବୁ ତୁଚ୍ଛ, ଏଇ ନୀତି ପ୍ରତି ଜନସମର୍ଥନ ବଢ଼ୁଛି। ବିଶ୍ବର ଅଧିକାଂଶ ପ୍ରମୁଖ ଗଣତାନ୍ତ୍ରିକ ଦେଶରେ ଏବେ ରକ୍ଷଣଶୀଳତା ଓ ରାଷ୍ଟ୍ରସ୍ବାର୍ଥ ଯେଉଁ ଅଗ୍ରାଧିକାର ପାଉଛି ସେଥିରେ ବହୁଳବାଦୀ ଗଣତାନ୍ତ୍ରିକ ବିଚାର ଓ ଉଦାରତା ବଳି ପଡ଼ୁଛି। ତେଣୁ ଭୋଟର ବା ସାଧାରଣ ଜନତା ଉଦାରତା ଓ ଆନ୍ତର୍ଜାତିକତାକୁ ଗଣତନ୍ତ୍ରରେ ଆଉ ଗୁରୁତ୍ବ ଦେଉନାହାନ୍ତି। ତେଣୁ ଟ୍ରମ୍ପ, ମୋଦୀ, ପୁଟିନ, ବୋରିସ୍‌ ଜନସନ୍‌ଙ୍କ ଭଳି ନେତାମାନେ  ବିପୁଳ ଭୋଟରେ ନିର୍ବାଚିତ ହୋଇ କ୍ଷମତାକୁ ଆସୁଛନ୍ତି। ଏହା ବୋଧହୁଏ ଏକ ଯୁଗଧର୍ମ। ତେଣୁ ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ଏଇ ଘଟଣାଟି ଟ୍ରମ୍ପଙ୍କ ପାଇଁ ଏକ ଟ୍ରମ୍ପକାର୍ଡରେ ପରିଣତ ହେବବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ମହାଭିଯୋଗ ଘଟଣାରେ ରାଜନୈତିକ ଆଧାରରେ ବିରୋଧୀଙ୍କ ଦ୍ବାରା ତାଙ୍କ ଚରିତ୍ର ସଂହାର, ଦେଶର ବ୍ୟବସ୍ଥା ଓ ନୀତି ଉପରେ ଯେପରି ନଗ୍ନ ଆକ୍ରମଣ ହେଲା ତାହା କେବଳ ଟ୍ରମ୍ପ ନୁହେଁ, ବଡ଼ଭାଗ ଆମେରିକାବାସୀଙ୍କୁ ବ୍ୟଥିତ କରିଥିଲା। ଏଥିରେ ସେ ନିର୍ଦୋଷ ପ୍ରମାଣିତ ହେବାରୁ ତାଙ୍କ ପ୍ରତି ଯେ ଭୋଟରଙ୍କ ଅନୁକମ୍ପା ବଢ଼ିବ ତାହା ନିଶ୍ଚିତ। ଏହା ବିରୋଧୀ ଡେମୋକ୍ରାଟ ଦଳର ଶେଷ ଅସ୍ତ୍ରକୁ କେବଳ ବିଫଳ କରିନାହିଁ, ବରଂ ତା’ ପାଇଁ ଏକ ରାଜନୈତିକ ବୁମେରାଂରେ ପରିଣତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଗଣତନ୍ତ୍ରରେ ଉଦାରତା ଏକ ଉତ୍ତମ ବିଚାର; ତେବେ ଭୋଟର ଯଦି ସେ ଉଦାରତା ଓ ଉତ୍ତମ ବିଚାରବୁଦ୍ଧି ପ୍ରଦର୍ଶନ ନ’କରିବେ ଟ୍ରମ୍ପଙ୍କ ଭଳି ନେତା ବାରମ୍ବାର କ୍ଷମତାର କେନ୍ଦ୍ରବିନ୍ଦୁକୁ ଆସିବେ।

kalyan agarbati

Comments are closed.