ଏଇ ଥିଲା ପ୍ରେମ !

0

ଜାମସେଦ୍‌ପୁରର ଝିଅ ପ୍ରତ୍ୟୁଷା ବାନାର୍ଜୀ ମାତ୍ର ୨୪ ବର୍ଷ ବୟସରେ ମୁମ୍ବଇସ୍ଥିତ ଫ୍ଲାଟ୍‌ରେ ଆତ୍ମହତ୍ୟା କରିଥିଲେ। ଟେଲିଭିଜନ ଜଗତ ଓ ପ୍ରଶଂସକ ମହଲରେ ରିଲ୍ ନାମ ‘ଆନନ୍ଦୀ’ରେ ସେ ପରିଚିତ ଥିଲେ। ‘ବାଲିକା ବଧୂ’ ଟେଲି ଧାରାବାହିକ ହିଁ ତାଙ୍କୁ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚାଇଥିଲା। ଏଇ ଦକ୍ଷ ଅଭିନେତ୍ରୀଜଣକ କିନ୍ତୁ କମ୍ ଦିନର ଅତିଥି ଥିଲେ ଟେଲିଜଗତରେ। ବନ୍ଧୁ ରାହୁଲ ରାଜ୍ ସିଂଙ୍କ ସହ ମନୋମାଳିନ୍ୟ କାରଣରୁ ହିଁ ପ୍ରତ୍ୟୁଷା ଆତ୍ମହତ୍ୟା କରିଥିବାର ପରେ ଜଣାପଡ଼ିଥିଲା। ଏବେ ପ୍ରତ୍ୟୁଷାଙ୍କ ପୂର୍ବତନ ପ୍ରେମିକ ରାହୁଲ ନିଜ ନୂତନ ଜୀବନଶୈଳୀକୁ ନେଇ ଖୁବ୍ ଉତ୍ସାହିତ ଥିବା ସହ ଶୀଘ୍ର ବିବାହ କରିବେ ବୋଲି ସୋସିଆଲ୍ ସାଇଟ୍‌ରେ ଅପଲୋଡ କରିଛନ୍ତି।

ବାଲିକା ବଧୂରେ ଅଭିନୟ ସମୟରେ ହିଁ ରାହୁଲଙ୍କ ସହ ପ୍ରତ୍ୟୁଷାଙ୍କର ଭେଟ ହୋଇଥିଲା। ସେତେବେଳକୁ ପ୍ରତ୍ୟୁଷା ଜଣେ ଆଗଧାଡ଼ିର ଅଭିନେତ୍ରୀ ଭାବେ ମୋଟା ପାଉଣା ପାଉଥିବାବେଳେ ରାହୁଲ ଥିଲେ ଷ୍ଟ୍ରଗଲିଂ କଳାକାର। ସେଭଳି ଦମ୍‌ଦାର୍ ଅଫର୍ ରାହୁଲଙ୍କ ପାଖରେ ନଥିଲା। ଦୁହିଁଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିବା ପରେ ପରସ୍ପର ବୁଝାମଣାରେ ଲିଭ-ଇନ୍‌ରେ ରହିବାକୁ ସ୍ଥିର କଲେ। ପ୍ରତ୍ୟୁଷାଙ୍କ ପିତାମାତା ଝିଅର ଏଇ ମତିଗତିକୁ ସମ୍ପୂର୍ଣ୍ଣ ବିରୋଧ କରିଥିଲେ, ହେଲେ ସେ କାହା କଥା ନଶୁଣି ବରଂ ନିଜ ଜିଦ୍‌ରେ ଅଟଳ ରହିଥିଲେ।

prayash

ଏହା ପରେ ହିଁ ଆରମ୍ଭ ହୋଇଥିଲା ପ୍ରତ୍ୟୁଷାଙ୍କ ଜୀବନରେ ଅସଲ ଝଡ଼। କାରଣ ଏକାଧିକ ଯୁବତୀଙ୍କ ସହ ରାହୁଲଙ୍କର ସମ୍ପର୍କ ଥିଲା। ଏସବୁ ପ୍ରତ୍ୟୁଷାଙ୍କୁ ପସନ୍ଦ ନଥିଲା। ରାହୁଲଙ୍କୁ ସେ ନିଜ ଜୀବନଠାରୁ ଅଧିକ ଭଲ ପାଉଥିଲେ। ବାରମ୍ବାର ଦୁହିଁଙ୍କ ଭିତରେ ଏ ନେଇ ଝଗଡ଼ା ହେଉଥିଲା। ଶେଷରେ ଅତିଷ୍ଠ ହୋଇ ୨୦୧୬ ଏପ୍ରିଲ୍‌୧ରେ ପ୍ରତ୍ୟୁଷା ଆତ୍ମହତ୍ୟା କରିଥିଲେ। ପ୍ରତ୍ୟୁଷାଙ୍କ ମୃତ୍ୟୁ ପରେ ତାଙ୍କ ସହ-କଳାକାରମାନେ ରାହୁଲଙ୍କୁ ହିଁ ଦୋଷାରୋପ କରିଥିଲେ।

ସେ ସମୟରେ କିନ୍ତୁ ରାହୁଲଙ୍କ କୁମ୍ଭୀର କାନ୍ଦଣା ଦେଖି ଅନେକ ପ୍ରତ୍ୟୁଷାଙ୍କୁ ପାଗଳୀ କହିବାକୁ ପଛାଇ ନଥିଲେ। ଏହା ମଧ୍ୟରେ ପ୍ରତ୍ୟୁଷାଙ୍କ ମୃତ୍ୟୁର ୨ ବର୍ଷ ବିତିଯାଇଛି। ରାହୁଲ ଏବେ ନିଜ ପୂର୍ବତନ ପ୍ରେମିକା ସଲୋନୀଙ୍କ ସହ ଖୁବ୍ ଖୁସିରେ ଥିବାର ସୋସିଆଲ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି। ଦୁହିଁଙ୍କ ବିବାହ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରୁ ରାହୁଲଙ୍କୁ ନେଇ ଜୋର୍‌ ଚର୍ଚ୍ଚା ଚାଲିଛି।

Leave A Reply