ବଲାଙ୍ଗୀରରେ ଧାନକିଣାର ଗୋଲକଧନ୍ଦା ‘ସମାଜ’ର ଗ୍ରାଉଣ୍ଡ ରିପୋର୍ଟ

-ଲୋଇସିଂହା ବ୍ଲକରେ ଅନିୟମିତତାରେ ଚାଲିଛି ଧାନକିଣା

– ଶ୍ରମିକଙ୍କ ନାଁରେ ବେଆଇନ ଟଙ୍କା ଆଦାୟ

– ଅଖା ବସ୍ତା ପାଇଁ ୪ କେଜି, ଜରିବସ୍ତା ପାଇଁ ସାଢେ ୪ କେଜି କଟନୀ

– କୁଶମେଲ, ବାଦିମୁଣ୍ଡାରେ ଦଲାଲରାଜ

ବଲାଙ୍ଗୀର : ବଲାଙ୍ଗୀର ଜିଲାରେ ଚାଲିଛି ଧାନକିଣାର ଗୋଳକ ଧନ୍ଦା। ଭିନ୍ନ ଭିନ୍ନ ଉପାୟରେ ମଣ୍ଡି ମାନଙ୍କରେ ଚାଷୀ ମାନଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି। କେଉଁଠି ଟାର୍ଗେଟ ତ ପୁଣି କେଉଁଠି ଟୋକନ ବାହାନାରେ ଚାଷୀ ମାନଙ୍କ ଧାନ କିଣା ଯାଉ ନ ଥିବା ଅଭିଯୋଗ ହୋଇଛି। ଏପରିକି ଚାଷୀ ମାନଙ୍କ ଠାରୁ ମଣ୍ଡି ମାନଙ୍କରେ ବେଆଇନ ଭାବେ ଟଙ୍କା ଆଦାୟ କରାଯାଉଥିବା ଭଳି ଗୁରୁତର ଅଭିଯୋଗ ହୋଇଥିଲା ଲୋଇସିଂହା ବ୍ଲକରେ ଥିବା ମଣ୍ଡି ମାନଙ୍କରେ। ଏହାର ସତ୍ୟତା ଅନୁସନ୍ଧାନ ପାଇଁ ଶନିବାର ଏହି ବ୍ଲକରେ ଥିବା ମଣ୍ଡି ବୁଲି ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ ଆମ ‘ସମାଜ’ର ପ୍ରତିନିଧି। ତେବେ ଚାଷୀ ମାନଙ୍କ ଅଭିଯୋଗରେ ମଣ୍ଡି ମାନଙ୍କରେ ହେଉଥିବା ଅନେକ ଅନିୟମିତତା ପଦାରେ ପଡିଛି।

ଲୋଇସିଂହା ବ୍ଲକ ସଦର ସମବାୟ ସମିତି ପକ୍ଷରୁ ଧାନକିଣା ଚାଲୁରହିଛି। କିନ୍ତୁ ଏହି ସମବାୟ ସମିତିରେ ବେପାରୀ ମାନେ ବେଶ ଚାଲାକିର ସହିତ ନିଜ ଧାନ ବିକ୍ରୟ କରୁଥିବା ଜଣାପଡିଛି। ଚାଷୀ ମାନଙ୍କ ପରିଚୟ ପତ୍ର ଦେଇ ବେପାରୀ ମାନେ ଅନ୍ୟ ଅଞ୍ଚଳରୁ କିଣିଥିବା ଧାନ ଏହି ମଣ୍ଡିରେ ବିକ୍ରୟ କରୁଥିବା ଅଭିଯୋଗ ହୋଇଛି। ଲୋଇସିଂହା ମଣ୍ଡି ପରେ ଆମ ପ୍ରତିନିଧି ପହଞ୍ଚିଥିଲେ ବୁର୍ଡା ସମବାୟ ସମିତିରେ। ବସ୍ତା ବସ୍ତା ଧାନ ମଣ୍ଡି ପଏଣ୍ଟରେ ଗଦା ହୋଇଥିବା ଦେଖିବାକୁ ମିଲିଥିଲା।

ତେବେ କିଛି ଲୋକଙ୍କ ସୂଚନା ଅନୁସାରେ,  ଏହି ମଣ୍ଡିରେ ଧାନ କିଣା ଜୋରସୋରରେ ଚାଲିଛି। କିନ୍ତୁ ଚାଷୀଙ୍କ ଅଭିଯୋଗ ଭିନ୍ନ ରହିଥିଲା। ସମବାୟ ସମିତି ପରିଚାଳନା କମିଟିରେ ରହିଥିବା କିଛି ଡାଇରେକ୍ଟର ନିଜେ ବେପାରୀ ସାଜି ମଣ୍ଡିରେ ଧାନ ବିକ୍ରୟ କରୁଥିବା ଅଭିଯୋଗ ହୋଇଥିଲା। ଏପରିକି ସେମାନଙ୍କ ପାଇଁ କୌଣସି କଟକଣା ଲାଗୁ ନ ଥିବା ବେଳେ ସାଧାରଣ ଚାଷୀ ମାନଙ୍କ ପାଇଁ ଅନେକ ନିୟମକାନୁନ କରାଯାଉଥିବା ଚାଷୀ ମାନେ ଅଭିଯୋଗ ଆଣିଛନ୍ତି। ସେହିଭଳି ସମାନ ଅବସ୍ଥାରେ ଯୋଗୀସର୍ଡା ସମବାୟ ସମିତି ପରିଚାଳିତ ହେଉଥିବା ଜଣାପଡିଛି। ଖୋଲାଖୋଲି ଭାବେ ବେପାରୀ ମାନଙ୍କ ଧାନ କିଣାଯାଉଥିବା ଅଭିଯୋଗ ହୋଇଥିଲା। ଲୋଇସିଂହା ବ୍ଲକରେ ଥିବା ଆଉ ଏକ ସମବାୟ ସମିତି ହେଉଛି କନ୍ଦାଯୁରୀ ସମବାୟ ସମିତି। ପ୍ରଥମ ପର୍ଯ୍ୟାୟର ଧାନକିଣା ସରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟର ଟାର୍ଗେଟ ମଧ୍ୟ ଆସିସାରିଛି। ତେବେ ଯଦିଓ ବେପାରୀଙ୍କ ପ୍ରାଦୁର୍ଭାବ ଏହି ମଣ୍ଡିରେ କମ ରହିଛି କିନ୍ତୁ ମିଲର୍ସ ଏଜେଣ୍ଟ ଓ ସମବାୟ ସମିତି ସଭାପତିଙ୍କ ମର୍ଜିରେ ଚାଲିଛି ମଣ୍ଡି। ଆମେ ପହଞ୍ଚବା ସମୟରେ ମଣ୍ଡି କର୍ମଚାରୀ ଅଫିସ ବାହାରେ ଓ ମିଲର୍ସ ଏଜେଣ୍ଟ, ସଭାପତି ଅଫିସ ଭିତରେ ଧାନକିଣାବିକାର ହିସାବ ଚଲାଇଥିଲେ। ଅଫିସ ବାହାରେ ବହୁ ପରିମାଣର ଧାନ ଗଦା ହୋଇଥିବା ବେଳେ ଖୁବଶୀଘ୍ର ଧାନ ଉଠିବ ବୋଲି ସମବାୟ ସମିତି ସମ୍ପାଦକ ସୂଚନା ଦେଇଥିଲେ।

କନ୍ଦାଯୁରୀ ମଣ୍ଡି ପରେ ଆମେ ପହଞ୍ଚିଥିଲୁ ସବୁଠାରୁ ବେଶୀ ଅନିୟମିତତାରେ ଚାଲିଥିବା କୁଶମେଲ ସମବାୟ ସମିତିରେ। ଖୋଲା ଆକାଶ ତଲେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ ପଡିରହିଥିଲା। କିଛି ଦିନ ହେଲା ଧାନ କିଣା ବନ୍ଦ ରହିଥିବା ସମବାୟ କର୍ମଚାରୀ ମାନେ ସୂଚନା ଦେଇଥିଲେ।ମିଲର୍ସ ଟାର୍ଗେଟ ନଥିବାରୁ ଧାନ କିଣା ବନ୍ଦ ରହିଥିବା ସୂଚନା ଦେଇଥିଲେ। ତେବେ ପ୍ରାୟ ୩ହଜାର କ୍ୱିଣ୍ଟାଲ ଧାନ କିଣିବାକୁ ବାକି ରହିଥିବା ଜଣାପଡିଥିବା ବେଳେ ପୂର୍ବରୁ ମିଲିଥିବା ଟାର୍ଗେଟରେ ସବୁ ବେପାରୀ ମାନଙ୍କ ଧାନ କିଣାଯାଇଥିବା ଅଭିଯୋଗ ହୋଇଥିଲା। ବେପାରୀ ମାନଙ୍କ ଧାନ କଟନୀରେ କମ କଟାଯାଉଥିବା ବେଳେ ଚାଷୀ ମାନଙ୍କ ଧାନ କ୍ୱିଣ୍ଟାଲ ପିଛା ୪କେଜି କଟାଯାଉଥିବା କିଛି ଚାଷୀ ଅଭିଯୋଗ କରିଥିଲେ। ସମବାୟ ସମିତି ସମ୍ପାଦକଙ୍କ ମନମୁଖୀ କାରବାର ଯୋଗୁ ଏହି ମଣ୍ଡି ଟାର୍ଗେଟ ମିଲୁନଥିବା ଅଭିଯୋଗ ହୋଇଛି। ସେହିପରି ମଲିର୍ସ ମାନେ ମଧ୍ୟ ମଣ୍ଡି କର୍ମଚାରୀ ମାନଙ୍କ କାରବାର ଯୋଗୁ ଟାର୍ଗେଟ ନେବା ପାଇଁ ମନା କରୁଥିବା ମଧ୍ୟ ଜଣାପଡିଛି। ସେହିପରି ଲୋଇସିଂହା ବ୍ଲକ ବାଦୀମୁଣ୍ଡା ସମବାୟ ସମିତିରେ ବେଶ ଅନିୟମିତତାରେ ଧାନକିଣା ଚାଲିଥିବା ଜଣାପଡିଛି। ମିଲର୍ସର ଗାଡିରେ ଧାନ ଲୋଡ କରିବା ପାଇଁ ଚାଷୀଙ୍କ ଠାରୁ ବେଆଇନ ଭାବେ ବସ୍ତା ପ୍ରତି ୨ ଟଙ୍କା ରଖାଯାଉଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। ଏପରିକି ଗାଡି ଠାରୁ କିଛି ମିଟର ଦୂରରେ ଥିବା ଧାନବସ୍ତା ଲୋଡିଂ ଚାର୍ଜ ବାବଦକୁ ୫ ଟଙ୍କା ସମବାୟ ସମିତି କର୍ମଚାରୀ ସଂଗ୍ରହ କରୁଥିବା ଅଭିଯୋଗ କରିଥିଲା।

ସମବାୟ ସମିତି କାର୍ଯ୍ୟାଳୟ ଠାରୁ ବହୁ ଦୂରରେ ଧାନ କିଣା ଚାଲିଥିବା ବେଳେ ଧାନକିଣାରେ ଏକ ଅଜବ ସ୍ଥିତି ଏଠାରେ ଦେଖିବାକୁ ମିଲିଥିଲା। ବିନା କୌଣସି ସମବାୟ କର୍ମଚାରୀର ଉପସ୍ଥୀତିରେ ମିଲର୍ସ ଏଜେଣ୍ଟ ଦୁଇ ଜଣ ଧାନ କିଣୁଥିବା ଦେଖିବାକୁ ମିଲିଥିଲା। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଏହି ବେଆଇନ କାରବାର ଲୋଇସିଂହା ବ୍ଲକ ଯୋଗାଣ ଅଧିକାରୀଙ୍କ ସାମ୍ନାରେ ଚାଲିଥିଲା। ଏହି ସମବାୟ ସମିତିରେ ଆଉ ଏକ ନିୟମ ଚାଷୀ ମାନଙ୍କୁ ଚକିତ କରିଛି। ଅଖା ବସ୍ତାରେ ଧାନ ଆଣିଲେ କ୍ୱିଣ୍ଟାଲ ପ୍ରତି ୪କେଜି କଟନୀ କରାଯାଉଥିବା ବେଳେ ଜରିବସ୍ତାରେ ଆଣିଲେ ଅଧିକ ୪କେଜି ଧାନ କଟନି କରାଯାଉଥିବା ଚାଷୀ ଅଭିଯୋଗ କରିଥିଲେ। ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ମଣ୍ଡି ଅଧିକାରୀ ଅରକ୍ଷିତ ପଧାନଙ୍କ କହିବା ଅନୁସାରେ ଏହି ସବୁ ବେଆଇନ ସେ ନିଜେ ଏହାକୁ ମନା କରିଥିଲେ। ଯଦି ପୁଣି ତାହା ଚାଲିଛି ତେବେ ସେ ମନା କରିଦେବେ ବୋଲି କହିଥିଲେ।

ଏହି ଘଟଣା ବିଷୟରେ ଜିଲା ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ ଏହା  ସମ୍ପୂର୍ଣ୍ଣ ଭାବେ ବେଆଇନ ଯଦି ଏହା ସ୍ପଷ୍ଟ ହୁଏ ତେବେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ। ସେହିପରି ଏହି ବ୍ଲକରେ ଥିବା ଗ.ଶ. ଡୁଙ୍ଗୁରୀପାଲି ଓ ରେଙ୍ଗାଲି ମଣ୍ଡିରେ ଧାନ ଯଦିଓ ସୁରୁଖୁରରେ ଚାଲିଛି କିନ୍ତୁ ରାସ୍ତା ସମସ୍ୟା ଯୋଗୁ ମିଲର୍ସ ମାନେ ଠିକ ସମୟରେ ଧାନ ଉଠାଉନଥିବା ଚାଷୀ ଅଭିଯୋଗ ଆଣିଥିଲେ। ଏହିଭଳି ଭାବେ ଲୋଇସିଂହା ବ୍ଲକରେ ଥିବା ମଣ୍ଡି ମାନଙ୍କରେ ଧାନକିଣା ଚାଲିଥିବା ବେଳେ ସବୁଠାରେ ଏକ ସାଧାରଣ ଅନିୟମିତତା ହେଉଛି କେଉଁଠି ବି ଧାନର ଏଫଏକ୍ୟୁ ମାନ ନିର୍ଦ୍ଧାରଣ କରାଯାଉନାହିଁ। ବେଆଇନ ଭାବେ ସବୁ ମଣ୍ଡିରେ ୩ ରୁ ୪ କେଜି ଧାନ କାଟିଦିଆଯାଉଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। ତେବେ ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟିଦେଇ କିଭଳି ସାଧାରଣ ଚାଷୀ ଶୋଷଣର ଶୀକାର ନହୋଇ ଧାନ ବିକ୍ରୟ କରିବେ ସେନେଇ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି।

Comments are closed.