ରାଜ୍ୟସ୍ତରୀୟ ଶିଶୁ ଓ ବିଜ୍ଞାନ ମେଳା : ବାଣୀପୀଠ ମହୋତ୍ସବ ଉଦ୍‍ଘାଟିତ

ବଡ଼ସାହି : ରାଜ୍ୟର ଅନ୍ୟତମ ସାରସ୍ୱତ ପୀଠ ବଡ଼ସାହି ବିବେକାନନ୍ଦ ବିହାର ଠାରେ ତିନିଦିନିଆ ‘ବାଣୀପୀଠ ମହୋତ୍ସବ-୨୦୨୦’ ଶନିବାର ଉଦ୍‍ଘାଟିତ ହୋଇଯାଇଛି। ପ୍ରଥମ ଦିନରେ ମହୋତ୍ସବ ଅଭ୍ୟର୍ଥନା ପରିଷଦର ସଭାପତି ରାଜକିଶୋର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଉଦଘାଟନୀ ସଭା ଅନୁଷ୍ଠିତ ହୋଇଥିଲା। ଶିଶୁ ମେଳାକୁ ଆଦର୍ଶଶିଶୁ ହିରଣମୟୀ ରାଉତ (ମାମୁନି) ଜ୍ଞାନଜ୍ୟୋତି ପ୍ରଜ୍ଜ୍ୱଳନ କରି ଉଦ୍‍ଘାଟନ କରିଥିଲେ। ମୁଖ୍ୟଅତିଥି ଭାବେ ବଡ଼ସାହି ବିଧାୟକ ସନାତନ ବିଜୁଳି ଯୋଗଦାନ କରି ବଣମଲ୍ଲୀ ବଣରେ ଫୁଟିଲେ ମଧ୍ୟ ତାର ସୁବାସ ଚର୍ତୁଦିଗକୁ ମହକାଇ ଦେବା ପରି ବାଣୀପୀଠ ଗ୍ରାମାଞ୍ଚଳର ଅନୁଷ୍ଠାନ ହେଲେ ମଧ୍ୟ ସାରା ରାଜ୍ୟକୁ ତାର ମହମହ ବାସ୍ନାରେ ବାସ୍ନାୟିତ କରିଛି ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଭାବେ ବିଶିଷ୍ଠ ପରିବଶବିତ୍‍ ସନ୍ତୋଷ ମହାନ୍ତି ଯୋଗଦାନ କରିଥିବା ବେଳେ ସ୍ୱତନ୍ତ୍ର ଅତିଥି ଭାବେ ରେବତୀର ସମ୍ପାଦିକା ଭୂମିକନ୍ୟା ସୁବାସିନୀ ଜେନା ଓ ସମ୍ମାନୀତ ଅତିଥି ଭାବେ ରଣଜିତ୍‍ କୁମାର ଦାସ, ଅଭୟ ଦାସ, ସର୍ବେଶ୍ୱର ଜେନା ଓ ନିହାର ରଞ୍ଜନ ମହାପାତ୍ର ଯୋଗଦାନ କରିଥିଲେ।

ଏହି ମହୋତ୍ସବରେ ଶିଶୁ ଓ ବିଜ୍ଞାନ ମେଳାରେ ୨୫ଟି ବିବେକାନନ୍ଦ ଶିକ୍ଷା କେନ୍ଦ୍ର ୩୫୦ଜଣ ଶିଶୁ ସାଥି ଯୋଗଦାନ କରିଥିବା ବେଳେ ବିଜ୍ଞାମେଳାରେ ୧୦୪ଟି ପ୍ରକଳ୍ପ ପଦର୍ଶିତ ହୋଇଥିଲା। ଅପରାହ୍ନରେ ନାଟ୍ୟକାର ମନୋରଞ୍ଜନ ବେହେରାଙ୍କ ସଭାପତିତ୍ୱରେ କବିତା କର୍ମଶାଳା ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ଭାବେ ପ୍ରଫେସର ଯନ୍ତ୍ରଣା ପରିକ୍ଷୀତ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଉତ୍କଳ ଶିକ୍ଷା ପରିଷଦର ସାଧାରଣ ସଂପାଦକ ଯୋଗେନ୍ଦ୍ର ଦାଶ ଓ ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ଲିଙ୍ଗରାଜ ନାୟକ, ସଚ୍ଚିଦାନନ୍ଦ ମହାନ୍ତି ଓ ଅଧୁନିକ କବିତା କର୍ମଶାଳ ପର୍ଯ୍ୟବେକ୍ଷକ ଭାବେ କବିପ୍ରାଣ ଇନ୍ଦ୍ରମଣି ବିନ୍ଧାଣୀ, କବି ନିରୋଦ ସୁନ୍ଦର ଜେନା ଓ ଶିଶୁ କବିତା କର୍ମଶାଳାରେ ପର୍ଯ୍ୟବେକ୍ଷକ ଭାବେ ଶିଶୁ ସାହିତ୍ୟିକ ପର୍ଶୁରାମ ସାହୁ ଓ ଶିବଶଙ୍କର ଭୂୟାଁ ଯୋଗଦାନ କରି କବିତା ଗୁଡିକର ମୂଲ୍ୟାଙ୍କନ କରିଥିଲେ। କବିତା କର୍ମଶାଳରେ ଦୁଇଟି ବିଭାଗରେ ୪୦ଜଣ କବି ଯୋଗଦାନ କରିଥିଲେ। ବାଣୀପୀଠର ପ୍ରତିଷ୍ଠାତା ପଣ୍ଡିତ ଲକ୍ଷ୍ମୀଧର ରାଉତ ଅସୁସ୍ଥ ଥାଇ ମଧ୍ୟ ମଞ୍ଚକୁ ଆସି ନିଜର ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ପୂର୍ବାହ୍ନରେ ବାଣୀମନ୍ଦିରରେ ମାନସ ରଞ୍ଜନ ରଥ ପୂଜାଅର୍ଚ୍ଚନା କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଅନୁଷ୍ଠାନର ସମ୍ପାଦ ଡ଼ା କୁମାର ବାବୁଲି ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.