ପିଲା ଚୋରି ଗୁଜବକୁ ବିଶ୍ୱାସ କରନାହିଁ: ଡିଜିପି

0

ଭୁବନେଶ୍ୱର: ସାରା ରାଜ୍ୟରେ ବିଭିନ୍ନ ସ୍ଥାନରେ ପିଲା ଚୋରି ଗୁଜବକୁ ନେଇ ଅନେକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି। ରାଜ୍ୟରେ କିଛି ପିଲା ଚୋରି ଗ୍ୟାଙ୍ଗ ବୁଲୁଥିବା ନେଇ ସୋସିଆଲ୍‍ ମିଡିଆରେ ଗୁଜବ ପ୍ରଚାରିତ ହେବା ପରେ ଜନସାଧାରଣ ଯେମିତି ଏକପ୍ରକାର ହିଂସ୍ର ହୋଇପଡିଛନ୍ତି। ଯାହା ଉପରେ ସନ୍ଦେହ ସୃଷ୍ଟି ହେଉଛି ତାକୁ ସ୍ଥାନୀୟ ଲୋକ ଧରି ନିସ୍ତୁକ ମାଡ଼ ମାରୁଛନ୍ତି। ପରେ ଉକ୍ତ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପୁଲିସ ଜିମା ଦେଉଛନ୍ତି। ପିଲା ଚୋରି ନେଇ କୌଣସି ଠୋସ୍‍ ପ୍ରମାଣ ମିଳୁ ବା ନ ମିଳୁ ଚାପର ବଶବର୍ତ୍ତୀ ହୋଇ ପୁଲିସକୁ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅକଟ ରଖିବାକୁ ପଡୁଛି ଏବଂ ମାରଧରରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଅନିବାର୍ଯ୍ୟ ହୋଇଛି। ସାଧାରଣଲୋକଙ୍କ ସନ୍ଦେହ ଚକ୍ଷୁରେ ଥିବା ବ୍ୟକ୍ତି ବାସ୍ତବରେ ପିଲା ଚୋର ନୁହନ୍ତି । ସେମାନଙ୍କୁ ମାଡ଼ମାରି ସାଧାରଣ ଜନତା ଆଇନକୁ ହାତକୁ ନନେବାକୁ ପୁଲିସ ମହାନିର୍ଦେଶକ ଆର.ପି. ଶର୍ମା ପରାମର୍ଶ ଦେଇଛନ୍ତି।
ତେବେ ଏଭଳି ଘଟଣା ଏକାଧିକ ଜିଲାରେ ସାମ୍ନାକୁ ଆସିବା ପରେ ଏହାକୁ ରୋକିବାକୁ ରାଜ୍ୟ ପୁଲିସ ପକ୍ଷରୁ ୭ ସୂତ୍ରୀର ଏକ ମାର୍ଗଦର୍ଶିକା ମଙ୍ଗଳବାର ଜାରି କରାଯାଇଛି। ସୋସିଆଲ୍‍ ମିଡିଆରେ ଏଭଳି ଗୁଜବକୁ ପ୍ରଚାର ଓ ପ୍ରସାର କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ପୁଲିସ ମହାନିର୍ଦେଶକ ଡାକ୍ତର ଶର୍ମା କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ରାଜ୍ୟରେ ଏଭଳି କୌଣସି ପିଲା ଚୋରି ଗ୍ୟାଙ୍ଗ ସମ୍ପର୍କରେ ପୁଲିସ ସୂଚନା ପାଇନାହିଁ। ରାଜ୍ୟ ବାହାରରୁ ଏଭଳି କୌଣସି ଗ୍ୟାଙ୍ଗ ଆସି ନାହାନ୍ତି ବୋଲି ଡିଜିପି ସ୍ପଷ୍ଟ କରିଛନ୍ତି ।
ଜାରି ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି, ଲୋକ ସମାଜରେ ମିଛ ଗୁଜବ ପ୍ରଚାର କରୁଛନ୍ତି ଯେ ଏକ ପିଲା ଚୋରି ରାକେଟ ସକ୍ରିୟ ଅଛି। ବାସ୍ତବରେ ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ଗୁଜବ। ଏଭଳି ଖବରକୁ ହ୍ୱାଟସ୍‍ଆପ୍‍ କିମ୍ବା ଫେସ୍‍ବୁକ୍‍ରେ ପଠାନ୍ତୁ ନାହିଁ ବୋଲି ପରାମର୍ଶ ଦିଆଯାଇଛି। ଗୁଜବଜନିତ ଅପରାଧରେ ଅଶିଂଦାର ନ ହେବାକୁ କୁହାଯାଇଛି । ଯାହାକି ଦଣ୍ଡନୀୟ ଅପରାଧ ବୋଲି ସତର୍କ କରିଦିଆଯାଇଛି ।
ବିଶେଷକରି ଓଡ଼ିଆ ଭାଷା ଜାଣି ନ ଥିବା ଲୋକଙ୍କୁ ସନ୍ଦିଗ୍ଧ ପିଲା ଚୋର ଭାବିବା ଠିକ୍‍ ନୁହେଁ ବୋଲି ମର୍ଗଦର୍ଶିକାରେ କୁହାଯାଇଛି । ପିଲା ଚୋର ଛୋଟଛୋଟ ପିଲାମାନଙ୍କୁ ଅପହରଣ କରି ଯକୃତ, ହୃତପିଣ୍ଡ ଓ ଆଖି ଇତ୍ୟାଦି ନେଇ ଯାଉଛନ୍ତି ବୋଲି ଯାହା ପ୍ରଚାର ହେଉଛି ତାହା ସମ୍ପୂର୍ଣ୍ଣ ମିଥ୍ୟା ଓ ଅସମ୍ଭବ। ଓଡ଼ିଆ ଭାଷା ଜାଣି ନ ଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିଲେ ନିକଟସ୍ଥ ଥାନା କିମ୍ବା ଏସ୍‍ପିଙ୍କୁ ଜଣାବାକୁ କୁହାଯାଇଛି ପୁଲିସ ଅଧିକାରୀ ନିଜ ଅଞ୍ଚଳକୁ ଗସ୍ତକରି ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ନଜର ରଖିବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି।

Leave A Reply