କର୍ଣ୍ଣାଟକ: ଆଜି ଆସ୍ଥା ଭୋଟ୍; ବିଧାୟକମାନେ ହୋଟେଲ୍ରେ
ବେଙ୍ଗାଲୁରୁ: କର୍ଣ୍ଣାଟକରେ ଶପଥ ଗ୍ରହଣ କରିଥିବା ଏଚ୍.ଡି କୁମାରସ୍ୱାମୀ ସରକାର ଶୁକ୍ରବାର ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ; କିନ୍ତୁ ଏହା ପୂର୍ବରୁ ‘ଘରେ ନ ପସୁଣୁ ଚାଳ ବାଜିବା’ ଭଳି ପରିସ୍ଥିତି ସୃଷ୍ଟି ହେଲାଣି। ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ୱର ଗୁରୁବାର କହିଛନ୍ତି ଯେ କୁମାରସ୍ୱାମୀ ସମ୍ପୂର୍ଣ୍ଣ ପାଞ୍ଚ ବର୍ଷ ମୁଖ୍ୟମନ୍ତ୍ରୀ ରହିବେ କି ନାହିଁ ସେ ସମ୍ପର୍କରେ କିଛି ଚୂଡ଼ାନ୍ତ ହୋଇ ନାହିଁ। କ୍ଷମତା ବଣ୍ଟନ ବୁଝାମଣା ଆଧାରରେ କୁମାରସ୍ୱାମୀ ୩୦ମାସ ମୁଖ୍ୟମନ୍ତ୍ରୀ ରହିବେ ବୋଲି ଯେଉଁ ଚର୍ଚ୍ଚା ହେଉଛି ତାହା ଅମୂଳକ ବୋଲି ସେ କହିଛନ୍ତି। କୁମାରସ୍ୱାମୀ ପୂର୍ଣ୍ଣକାଳୀନ ମୁଖ୍ୟମନ୍ତ୍ରୀ ରହିବେ କି ନାହିଁ, ସେ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଏସବୁ ନେଇ କିଛି ଆଲୋଚନା ହୋଇ ନାହିଁ। ଏମିତିକି ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନ ମଧ୍ୟ ଚୂଡ଼ାନ୍ତ ହୋଇ ନଥିବା ସେ କହିଛନ୍ତି। ଅପରପକ୍ଷରେ ଉପମୁଖ୍ୟମନ୍ତ୍ରୀ ପଦ ନପାଇ ଅସୁଖୀ ଥିବା ସରକାର ଗଠନର ପ୍ରମୁଖ ବିନ୍ଧାଣୀ ଡି.କେ ଶିବକୁମାର କିଛି ବିଧାୟକଙ୍କ ସହିତ ଅଲଗା ବୈଠକ କରିଥିବା ନେଇ ଚାଲିଥିବା ଆଲୋଚନା ସମ୍ପର୍କରେ ପରମେଶ୍ୱର କହିଛନ୍ତିି ଯେ ସମସ୍ତ ବିଧାୟକ ଏକାଠି ଅଛନ୍ତି ଏବଂ ଶକ୍ତି ପରୀକ୍ଷାରେ ଅଂଶଗ୍ରହଣ କରିବେ। ସରକାର୍ୱଧ୍ୟ ସୁରୁଖୁରୁରେ ଏଥିରେ ବିଜୟ ହାସଲ କରିବେ।
କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପି ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ୍)ରେ ଜାଲିଆତି କରିଥିବା ନେଇ ରାଜ୍ୟର ନବ ନିଯୁକ୍ତ ଉପମୁଖ୍ୟମନ୍ତ୍ରୀ ଜି ପରମେଶ୍ୱର ଅଭିଯୋଗ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣର ଦିନକ ପରେ ପରମେଶ୍ୱର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କଂଗ୍ରେସର କିଛି ନେତା ଓ ସେ ବ୍ୟକ୍ତିଗତ ଭାବେ ଅନୁଭବ କରିଛନ୍ତି ଯେ ଇଭିଏମ୍ରେ ଜାଲିଆତି ହୋଇଛି। କଂଗ୍ରେସ ଦୁର୍ଗ କୁହାଯାଉଥିବା କେତେକ ସ୍ଥାନରେ ଦଳର ନେତାମାନେ ପରାସ୍ତ ହୋଇଛନ୍ତି। ତେଣୁ ଏ ବାବଦରେ କଂଗ୍ରେସ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିବ ଓ ବାଲାଟ ପେପର ଭୋଟିଂ ଦ୍ୱାରା ମତଦାନ ପାଇଁ ନିବେଦନ କରାଯିବ।
ଅପରପକ୍ଷରେ ଶୁକ୍ରବାର ଶକ୍ତି ପରୀକ୍ଷା ହେବାକୁ ଥିବାବେଳେ କଂଗ୍ରେସ ଓ ଜେଡି(ଏସ୍) ବିଧାୟକମାନେ ଅଦ୍ୟାବଧି ହୋଟେଲରେ ଅବସ୍ଥାନ କରୁଛନ୍ତି। ସେମାନଙ୍କୁ ସିଧାସଳଖ ହୋଟେଲରୁ ବିଧାନସଭାକୁ ଅଣାଯିବ ବୋଲି ଜଣାପଡ଼ିଛି। କଂଗ୍ରେସ ବିଧାୟକମାନେ ଡୋମଲୁର୍ସ୍ଥିତ ବିଳାସମୟ ହିଲଟନ୍ ଏମ୍ବାସି ଗଲ୍ଫଲିଙ୍କ ହୋଟେଲରେ ଅବସ୍ଥାନ କରୁଥିବାବେଳେ ଜେଡି(ଏସ୍) ବିଧାୟକମାନେ ଦେବାନାହାଲିୟନ୍ସ୍ଥିତ ପ୍ରେଷ୍ଟିଜ୍ କଲ୍ଫସାୟାର ରିସର୍ଟରେ ରହୁଛନ୍ତି। ସେମାନଙ୍କୁ ଫୋନ୍ ବ୍ୟବହାର କରିବାର ସୁଯୋଗ ମିଳୁ ନାହିଁ। ଏମିତିକି ପରିବାର ସହିତ ମଧ୍ୟ ସେମାନେ ଯୋଗାଯୋଗ କରିପାରୁ ନଥିବା ଜଣାପଡ଼ିଛି। ଅବସାଦଗ୍ରସ୍ତ ବିଧାୟକମାନେ ଶୀଘ୍ର ଘରକୁ ଫେରିବା ପାଇଁ ଅନୁମତି ଦେବାକୁ ଦଳୀୟ ନେତାଙ୍କୁ ନିବେଦନ କରିଥିବା ଅଭିଯୋଗ ହୋଇଛି। କିନ୍ତୁ ଏହାକୁ ଉଭୟ ଦଳର ନେତାମାନେ ଅସ୍ୱୀକାର କରୁଛନ୍ତି। ବିଧାୟକମାନେ ଖୁବ୍ ଆରାମରେ ରହିଥିବା ଓ ପରିବାର ସହିତ ଯୋଗାଯୋଗ କରୁଥିବାବେଳେ କାହାରି କିଛି ଆପତ୍ତି ଅଭିଯୋଗ ନଥିବା ସେମାନେ ଦାବି କରିଛନ୍ତି।