ଟ୍ରମ୍ପ-କିମ୍‍ ବୈଠକ ବାତିଲ

0

ପୟୋଙ୍ଗୟାଙ୍ଗ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ ତଥା ରାଷ୍ଟ୍ରପତି କିମ୍‍ ଜୋଙ୍ଗ ଉନଙ୍କ ସହ ପ୍ରସ୍ତାବିତ ବୈଠକକୁ ବାତିଲ୍‍ କରିଦେଇଛନ୍ତି। ଜୁନ୍‍ ୧୨ରେ ସିଂଗାପୁରରେ ଏହି ବୈଠକ ହୋଇଥାନ୍ତା। ସୂଚନା ଅନୁସାରେ କିମ୍‍ ଜୋଙ୍ଗ ଉନ୍‍ଙ୍କ ଟିପ୍ପଣୀରୁ ଅସନ୍ତୁଷ୍ଟ ହୋଇ ଡୋନାଲ୍ଡ ଟ୍ରମ୍ପ ବୈଠକ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଚୀନ ନ୍ୟୁଜ୍‍ ଏଜେନ୍ସି କହିଛନ୍ତି ଯେ ଉତ୍ତରକୋରିଆ ପୁଙ୍ଗେୟ-ରିସ୍ଥିତ ପରମାଣୁ ପରୀକ୍ଷଣ କେନ୍ଦ୍ରକୁ ବନ୍ଦ କରିଦେଇଛି। ଏହି ପରୀକ୍ଷଣ କେନ୍ଦ୍ରରୁ ଉତ୍ତରକୋରିଆ ୬ଟି ପରମାଣୁ ଅସ୍ତ୍ର ପରୀକ୍ଷା କରିଥିଲା। ଟ୍ରମ୍ପଙ୍କ ସହ ସାକ୍ଷାତକାର ପୂର୍ବରୁ ପରମାଣୁ ଅସ୍ତ୍ର ପରୀକ୍ଷା ବନ୍ଦ କରିବା ଓ ପରୀକ୍ଷଣ କେନ୍ଦ୍ର ନଷ୍ଟ କରିବାକୁ କିମ୍‍ କହିଥିଲେ। ୨୨ରୁ ୨୫ ମେ’ ମଧ୍ୟରେ ଉତ୍ତରକୋରିଆ ୩ଟି ପରମାଣୁ ପରୀକ୍ଷଣ କେନ୍ଦ୍ର ନଷ୍ଟ କରିବାକୁ ଘୋଷଣା କରିଥିଲା। ଏଥିପାଇଁ ଉତ୍ତରକୋରିଆ ବିଦେଶ ଗଣମାଧ୍ୟମକୁ ଆମନ୍ତ୍ରଣ କରିଛି। ହେଲେ କୌଣସି ଅନ୍ତର୍ଜାତୀୟ ପରମାଣୁ ପର୍ଯ୍ୟବେକ୍ଷଣ ସଂସ୍ଥାକୁ ଡକାଯାଇନାହିଁ। ନିକଟରେ ଦକ୍ଷିଣକୋରିଆ ସହ ଆମେରିକାର ସମରାଭ୍ୟାସକୁ ନେଇ କିମ୍‍ ଜୋଙ୍ଗ ଉନ୍‍ ଅସନ୍ତୋଷ ବ୍ୟକ୍ତ କରିବା ସହ ଟ୍ରମ୍ପ ଓ ତାଙ୍କ ବୈଠକ ବାତିଲ କରିବାକୁ ଧମକ ଦେଇଥିଲେ। ଏବେ ଟ୍ରମ୍ପ ବୈଠକ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉଲ୍ଲେଖ ଯେ ଅପ୍ରେଲ ମାସରେ ଆଉ ପରମାଣୁ ଅସ୍ତ୍ର ପରୀକ୍ଷଣ କରିବାର ଆବଶ୍ୟକ ନାହିଁ ବୋଲି କିମ୍‍ ଜୋଙ୍ଗ ଉନ୍‍ କହିବା ସହ ଟ୍ରମ୍ପଙ୍କୁ ସାକ୍ଷାତାକର ପାଇଁ ନିମନ୍ତ୍ରଣ ଦେଇଥିଲେ। ଏହାକୁ ଟ୍ରମ୍ପ ଗ୍ରହଣ କରିଥିଲେ। ଜୁନ୍‍ ୧୨ରେ ସିଙ୍ଗାପୁରରେ ସାକ୍ଷାତକାର ନେଇ ଟ୍ରମ୍ପ ଟ୍ୱିଟ୍‍ରେ ଘୋଷଣା କରିଥିଲେ।

Leave A Reply