ନିସ୍ତୁକ ପିଟିଲେ ଆଉ ତାପରେ ଲୁଟିନେଲେ ସାଢେ ୩ ଲକ୍ଷ
ତୁଷୁରା: ନିସ୍ତୁକ ପିଟିଲେ ଆଉ ଏହା ପରେ ଲୁଟି ନେଲେ ସାଢେ ୩ ଲକ୍ଷ। ଏପରି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲା ଗୁଡଭେଲା-ଯାମୁଟ ମୁଖ୍ୟ ରାସ୍ତା ସ୍ଥିତ ଜୁଗିମରା ଛକ ପାଖରେ ପ୍ରାୟ ଛଅ ଜଣ ଯୁବକ ମାଡ ମାରି ଗୁଡଭେଲା ବ୍ଳକ ଅନ୍ତର୍ଗତ ତରକମୁଣ୍ଡା ଗ୍ରାମରେ ଥିବା କିୟୋସ୍କ ବ୍ୟାଙ୍କ ପରିଚାଲକ କେଶବ କମ୍ପ(୩୮ ବର୍ଷ)ଙ୍କ ଠାରୁ ଶନିବାର ୩ ଲକ୍ଷ ୫୦ ହଜାର ଟଙ୍କା ଲୁଟି ନେଇଥିବା ଜଣାପଡିଛି। ଗ୍ରାମବାସୀ ମାନେ ତିନି ଜଣ ଯୁବକକୁ ଧରି ତୁଷୁରା ପୁଲିସକୁ ଜିମା ଦେଇଥିଲେ। ଉକ୍ତ ଯୁବକମାନଙ୍କୁ ପୁଲିସ ଅଟକ ରଖି ପଚରା ଉଚରା ଚଳାଇଥିବା ବେଳେ ଉକ୍ତ ଲୁଟରେ ବ୍ୟବହାର କରିଥିବା ଦୁଇଟି ପଲସର ବାଇକ (ନମ୍ବର-ଓଆର-୧୩-ଏ ୨୫୯୬ ଏବଂ ଓଡି ୦୩-ପି-୮୭୮୨ )କୁ ଜବତ କରିଛି।
ପ୍ରାପ୍ତ ସୂଚନା ଅନୁଯାଇ, ଗୁଡଭେଲା ଭାରତୀୟ ଷ୍ଟେଟ ବ୍ୟାଙ୍କରୁ କେଶବ ଶନିବାର ପ୍ରାୟ ଅପରାହ୍ନ ୪ଟା ସମୟରେ ନିଜ କିୟୋସ୍କ ବ୍ୟାଙ୍କ ପରିଚାଲନା ପାଇଁ ୩ ଲକ୍ଷ ୫୦ ହଜାର ଟଙ୍କା ଉଠାଣ କରି ନିଜ ମୋଟର ସାଇକେଲରେ ନିଜ ଗାଁ ତରକମୁଣ୍ଡା ଅଭିମୁଖେ ବାହାରି ଥିଲେ। ଜୁଗିମରା ଛକ ପାଖରେ ଥିବା ଏକ ନିଛାଟିଆ ସ୍ଥାନରେ ପୂର୍ବରୁ ଲୁଚି ରହିଥିବା ଦୁବୃତ୍ତମାନେ ଅତର୍କିତ ଭାବେ ହଠାତ ଲାଠି ଓ ଭୂଜାଲିରେ ଆକ୍ରମଣ କରିଥିଲେ। ସେପଟରୁ ଏକ ଗାଡି ଆସୁଥିବା ଦେଖି ଲୁଟେରା ମାନେ ପଲାଇ ଯାଇଥିବା ବେଳେ କିଛି ଲୋକେ ଉକ୍ତ ଲୁଟେରାଙ୍କ ପିଛା କରିଥିଲେ। ଉକ୍ତ ଲୁଟେରା ମାନଙ୍କ ମଧ୍ୟରୁ ତିନି ଜଣଙ୍କୁ ବୌଦ୍ଧ ଥାନା ଅନ୍ତର୍ଗତ ଦେଓଗାଁ ଠାରେ ଧରିବାରେ ସକ୍ଷମ ହୋଇଥିଲେ। ଗ୍ରାମବାସୀ ଉକ୍ତ ଲୁଟେଲା ମାନଙ୍କୁ ନିଦ୍ଧୁମ ମାଡ ମାରିବା ପରେ ପୁଲିସର ଜିମା ଦେଇଥିଲେ। ଲୁଟେରା ମାନଙ୍କ ଆକ୍ରମଣରେ କେଶବଙ୍କ ମୁଣ୍ଡ ଓ ହାତରେ ଗୁରୁତର ଆହତ ହୋଇଥିବାରୁ ତୁଷୁରା ଚିକିତ୍ସାଲୟରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତ୍ୱର ହେବାରୁ ବଲାଙ୍ଗୀର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
Comments are closed.