ଆସନ୍ତାକାଲିଠୁ ଟ୍ରାଫିକ ନିୟମ କଡାକଡି,ପୁଲିସ ନଧରିଲେ ବି ଗଣିବେ ଜରିମାନା
ଭୁବନେଶ୍ୱର: ପୁଣି ଫେରିଲା ଟ୍ରାଫିକ ଜ୍ୱର। ସାବଧାନ ହୋଇଯାଆନ୍ତୁ ଗାଡି ଚାଳକ କାରଣ ଆସନ୍ତାକାଲିଠୁ ପୁଣି କଡାକଡି ହେବ ଟ୍ରାଫିକ ନିୟମ। ଆସନ୍ତାକାଲିଠୁ କେବଳ ଗାଡି କାଗଜପତ୍ର ଏବଂ ଡ୍ରାଇଭିଂ ଲାଇସେନ୍ସକୁ ଛାଡି ଟ୍ରାଫିକ ନିୟମର ଅନ୍ୟସମସ୍ତ ଦିଗକୁ କଡାକଡି କରାଯିବ। ପରିବହନ ବିଭାଗ ପକ୍ଷରୁ ପ୍ରକାଶିିତ ବିଜ୍ଞପ୍ତି ଅନୁଯାଇ ହେଲମେଟ ନ ପିନ୍ଧି ଗାଡି ଚଳାଇଲେ,ବେପାରୁଆ ଭାବେ ଗାଡି ଚଳାଇଲେ,ଟ୍ରାଫିକ ରେଡ୍ ଲାଇଟ୍ ଉଲ୍ଲଘଂନ କଲେ,ମଦ୍ୟପାନ କରି ଗାଡି ଚଳାଇଲେ,ରଙ୍ଗ୍ ରୁଟରେ ଗାଡି ଚଳାଇଲେ ଏବଂ ଚାରି ଚକିଆ ଗାଡି ଚଳାଉଥିବା ସମୟରେ ସିଟ୍ ବେଲ୍ଟ ନ ବାନ୍ଧିଲେ, ବାଇକରେ ୩ ଜଣ ଯାତ୍ରା କରୁଥିଲେ, ଗାଡି ଚଳାଉଥିବା ସମୟରେ ଫୋନରେ କଥା ହେଲେ ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ।
ସେହିପରି ବସ୍ ଏବଂ ଅଟୋରେ ମଧ୍ୟ ଓଭରଲୋଡିଂ କରି ଯାତ୍ରୀ ନେଉଥିଲେ ଯାଞ୍ଚ କରାଯିବା ସହ ଜରିମାନା ଆଦାୟ କରାଯିବ।
ନୂଆ ଟ୍ରାଫିକ ନିୟମରେ ଲଙ୍କଜ୍ଞର କରାଯାଇଥିବା ସମସ୍ତ ନିୟମ ମଧ୍ୟରୁ ଯେକୌଣସି ନିୟମ ଉଲ୍ଲଘଂନ କଲେ ଜରିମାନା ଆଦାୟ କରାଯିବ। କେବଳ କିଛି ଲୋକ ଗାଡିର କାଗଜ ପତ୍ର କରିପାରି ନଥିବାରୁ ଚାଳକଙ୍କୁ ଫେବୃଆରି ମାସ ଯାଏଁ ସମୟ ଦିଆଯାଇଛି।ଫେବୃଆରି ମାସ ଯାଏଁ ଗାଡିର କାଗଜପତ୍ର ଏବଂ ଡ୍ରାଇଭିଂ ଲାଇସେନ୍ସ ଯାଞ୍ଚରେ କୋହଳ କରାଯିବ।
ଆସନ୍ତାକାଲିଠୁ କଡାକଡି କରାଯିବାକୁ ଥିବା ଟ୍ରାଫିକ ନିୟମକୁ ନେଇ କମିଶନରେଟ୍ ପୁଲିସ ପକ୍ଷରୁ ଏକ ପ୍ରେସମିଟ କରାଯାଇଛି। ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି “ଟ୍ରାଫିକ ନିୟମ ଉଲ୍ଲଂଘନ କଡାକଡି ଭାବେ ଯାଞ୍ଚ କରାଯିବ । ଯିଏ ଧରାପଡିବେ ଚାଲାଣ କଟାଯିବ । ଏହାଛଡା ପୁଲିସ ଯାଞ୍ଚ କରୁଥିବା ଦେଖି ଖସିଯାଉଥିବା ବ୍ୟକ୍ତିଙ୍କୁ ପୁଲିସ ନ ଧରି ପାରିଲେ ମଧ୍ୟ ଉଲ୍ଲଂଧନକାରୀ ଜରିମାନା ଗଣିବେ । ଜରିମାନା ନଦେଲେ ବି ଖିଲାଫୀଙ୍କ ଆରଟିଓ ଖାତାରେ ଏହି ବକେୟା ପଡିବ । ଗାଡି ଚାଳକ ଗାଡିର ଟିକସ ଦେବା ସମୟରେ ଆରଟିଓରେ ସୁଧ ସହ ଏହି ଜରିମାନା ଗଣିବେ। ଏଥିପାଇଁ ଲୋକଙ୍କ ସହ ଯୁକ୍ତି ନ କରିବାକୁ ପୁଲିସ କର୍ମୀଙ୍କୁ କହାଯାଇଛି” । ଏଥି ସହିତ ସିସିଟିଭି ମାଧ୍ୟମରେ ମଧ୍ୟ ଟ୍ରାଫିକ ଉଲ୍ଲଘଂନକାରୀଙ୍କ ଉପରେ ନଜର ରଖାଯିବ।
ପୁଲିସ ସୁଧାଂଶୁ ଷଡଙ୍ଗୀଙ୍କ କହିବା ଅନୁସାରେ ଉଲ୍ଲଂଘନକାରୀଙ୍କୁ ଚହ୍ନଟ କରିବା ପାଇଁ TVDS ବ୍ୟବସ୍ଥା କରାଯାଇଛି । ପ୍ରଥମ ପର୍ୟ୍ୟାୟରେ ଭୁବନେଶ୍ବର ରୁପାଲି ଛକରୁ ଏହି TVDS ବ୍ୟବସ୍ଥା ଆରମ୍ଭ ହେବ । ସିସିଟିଭିରେ ଟ୍ରାଫିକ ଉଲ୍ଲଂଘନକାରୀଙ୍କ ନମ୍ବର ପ୍ଲେଟର ଫଟୋ ଉଠିବ ଏବଂ ଏହାପରେ ଗାଡ଼ିଚାଳକଙ୍କ ଘରକୁ ତାଙ୍କ ଠିକଣାରେ ଚାଲାଣ ପଠାଯିବ। ଗାଡି ଚାଳକ ଏହା ଆରଟିଓରେ ସୁଧ ସହ ଜରିମାନା ପୈଠ କରିବେ। ଭୁବନେଶ୍ବରର ରୁପାଲି ଛକ ପରି ଆଉ ୮ଟି ଛକରେ TVDS ବ୍ୟବସ୍ଥା କରାଯିବା ନେଇ ମଧ୍ୟ ସୂଚନା ଦେଇଛନ୍ତି ପୁଲିସ କମିଶନର। ପୁଲିସ କମିଶନରଙ୍କ କହିବା ଅନୁସାରେ ଏହି ଉନ୍ନତ ଜ୍ଞାନ କୌଶଳ TVDS ବ୍ୟବସ୍ଥା ମାଧ୍ୟରେ ଟ୍ରାଫିକ ପରିଚାଳନା ସଫଳ ହେଲେ ଆଉ ୩ ରୁ ୪ ବର୍ଷ ମଧ୍ୟରେ ଟ୍ରାଫିକ ପୋଷ୍ଟରୁ ଟ୍ରାଫିକ ପୁଲସ ପ୍ରତ୍ୟାହାର କରାଯିବ।
Comments are closed.