ବିଧାୟକଙ୍କୁ ବଟି ମାଗୁଛି ଦାଉଦ୍
ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ବିଜେପି ବିଧାୟକଙ୍କୁ ଫୋନରେ ବଟି ମାଗିବା ମାମଲା ଭିନ୍ନ ମୋଡ଼ ନେଇଛି। ଏହି ବଟି ଅଣ୍ଡରୱାଲ୍ଡ ଡନ୍ ଅଲ୍ଲୀ ବୁନ୍ଦେଶ ନାମରେ ମଗା ଯାଉଥିଲା। ଡନ୍ ଅଲ୍ଲୀ ବୁନ୍ଦେଶ ନାମରେ ଫୋନ କଲ ଓ ହ୍ୱାଟ୍ସ ଆପ ମାଧ୍ୟରେ ବିଧାୟକଙ୍କୁ ବଟି ମାଗିବା ପ୍ରକ୍ରିୟା ୟୁପିର ପ୍ରାୟତଃ ବିଧାୟକଙ୍କ ଫୋନରେ ଆସିଥିଲା। ଏହାକୁ ନେଇ ତଦନ୍ତ ଅବ୍ୟାହତ ରହିଥିବାବେଳେ ବହରୀନରେ ଥିବା ଅଲ୍ଲୀ ବୁନ୍ଦେଶ ଗଣମାଧ୍ୟମକୁ ସୂଚନା ଦେଇ ଏଭଳି କାର୍ଯ୍ୟରେ ସେ ଲିପ୍ତ ନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି। କେବଳ ୟୁପି କାହିଁକି ଦିଲ୍ଲୀ ଓ ମୁମ୍ବଇରେ ମଧ୍ୟ ଏଭଳି ମେସେଜ ଓ କଲ ଦ୍ୱାରା ବଟି ମଗା ଯାଉଛି ବୋଲି ଅଲ୍ଲୀ ଖବର ପାଇବା ପରେ ସେ ଏ ସମ୍ପର୍କରେ ଗଣମାଧ୍ୟରେ ନିଜ ସ୍ପଷ୍ଟିକରଣ ରଖିଛି। ଦାଉଦର ନିର୍ଦେଶରେ ଛୋଟା ସକିଲ ଏଭଳି କାର୍ଯ୍ୟ କରୁଥିବାବେଳେ ଏଥିରେ ଜାଣି ଶୁଣି ଅଲ୍ଲୀ ବୁନ୍ଦେଶର ନାମକୁ ଯୋଡ଼ା ହେଉଛି ବୋଲି ସେ ମତବ୍ୟକ୍ତ କରିଛି।
ଅପରପକ୍ଷରେ ଏହି ମାମଲାରେ ୟୁପି ପୁଲିସ ଏଡିଜି ଆନନ୍ଦ କୁମାର ତଦନ୍ତ କରୁଛନ୍ତି। ଆମେରିକାର ଟେକ୍ସାସର ଏକ ନମ୍ବରରୁ ଏଭଳି କଲ ଓ ମେସେଜ ଆସୁଛି ବୋଲି ତଦନ୍ତରୁ ଜଣା ପଡ଼ିଛି। ଦଉଦ ଠାରୁ ପୃଥକ ହୋଇ ଅଲ୍ଲୀ ଏବେ ନିଜସ୍ୱ ଭିନ୍ନ ଦଳ ଗଠନ କରିଛି। ଅଲ୍ଲୀ ମୁଖ୍ୟତଃ ଗଲ୍ଫ ଦେଶରେ ନିଜ କାୟା ବିସ୍ତାର କରୁଥିବାବେଳେ ବିଗତ ଦିନରେ ତା’ ନାମରେ ଭାରତରେ କୌଣସି ଅପରାଧ ଘଟି ନାହିଁ। ଅଲ୍ଲୀଙ୍କ ମା’ ମୁମ୍ବଇରେ ରହୁଥିବାବେଳେ ପିତା ବହରିନରେ ରହୁଛନ୍ତି। ଏଭଳି କ୍ଷେତ୍ରରେ ପୁଲିସ ଏହି ମାମଲାରେ ସାଇବର ସେଲର ସାହାର୍ଯ୍ୟ ମଧ୍ୟ ନେଉଛି। ଅଦ୍ୟାବଧି ୨୫ ବିଧାୟକଙ୍କ ମୋବାଇଲରେ ୧୦ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାର ବଟି ମଗା ଯାଇଛି। ଏହାକୁ ଦୃଷ୍ଟିରେ ରଖି ବିଧାୟକଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ୟୁପି ପୁଲିସ।