କିଶାନ ଗଙ୍ଗା ଡ୍ୟାମ୍କୁ ପାକ୍ର ବିରୋଧ; ହସ୍ତକ୍ଷେପ କରିବନି ବିଶ୍ୱବ୍ୟାଙ୍କ
ନୂଆଦିଲ୍ଲୀ: କିଶାନଗଙ୍ଗା ହାଇଡ୍ରୋ ପ୍ରଜେକ୍ଟକୁ ନେଇ ପାକିସ୍ତାନର ଆପତ୍ତିକୁ ବିଶ୍ୱ ବ୍ୟାଙ୍କ ହସ୍ତକ୍ଷେପ କରିବାକୁ ମନା କରି ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୯ମେରେ କିଶାନଗଙ୍ଗା ଡ୍ୟାମର ଉଦଘାଟନ କରିଥିଲେ। ଭାରତର ଏହି ପ୍ରଜେକ୍ଟକୁ ପାକିସ୍ତାନ ପୂର୍ବରୁ ମଧ୍ୟ ବିରୋଧ କରୁଥିଲା। ୧୦ ବର୍ଷରେ ସମ୍ପୂର୍ଣ୍ଣ ହୋଇଥିବା ଏହି ହାଇଡ୍ରୋ ପ୍ରଜେକ୍ଟ ଦୀର୍ଘ ବର୍ଷ ଧରି ଭାରତ ଓ ପାକ୍ ମଦଭେଦର କାରଣ ହୋଇ ରହିଥିଲା। ଉକ୍ତ ପ୍ରଜେକ୍ଟକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବା ପରେ ପାକିସ୍ତାନ ବିଶ୍ୱ ବ୍ୟାଙ୍କର ଦ୍ୱାରସ୍ତ ହୋଇଥିଲା। ଉକ୍ତ ଡ୍ୟାମ ନିର୍ମାଣ ୧୯୬୦ ସିନ୍ଧୁ ଜଳ ବୁଝାମଣାର ବିରୋଧ ବୋଲି ପାକ୍ ଯୁକ୍ତି ଉପସ୍ଥାପିତ କରିଥିଲା। ପରବର୍ତ୍ତୀ ସମୟରେ ବିଶ୍ୱ ବ୍ୟାଙ୍କର ନେତୃତ୍ୱରେ ଭାରତ ଓ ପାକ୍ ଅଧିକାରୀଙ୍କ ମଧ୍ୟରେ କୌଣସି ଆପୋଷ ସମାଧାନ ହୋଇ ପାରି ନଥିଲା।
୩୩୦ମେଗାୱାଟ କ୍ଷମତା ସମ୍ପନ୍ନ ଏହି ହାଇଡ୍ରୋ ପ୍ରଜେକ୍ଟ ନିୟନ୍ତ୍ରଣ ରେଖାର ୧୦କିମି ମଧ୍ୟରେ ଅବସ୍ଥିତ। ଯେଉଁ ସ୍ଥାନରେ ଏଭଳି ପ୍ରଜେକ୍ଟ ନିର୍ମାଣ କରାଯାଉଛି ତାହା ବର୍ଷକୁ ୬ମାସ କାଳ ଅନ୍ୟାନ୍ୟ ଅଞ୍ଚଳରୁ ବିଚ୍ଛିନ୍ନ ହୋଇ ରହିଥାଏ। ନୀଲମ ନଦୀ ଯାହାର ଅନ୍ୟ ନାମ କିଶାନ ଗଙ୍ଗା ଉପରେ ନିର୍ମିତ ଏହି ପ୍ରଜେକ୍ଟର ଆରମ୍ଭ ୨୦୦୭ରେ ହୋଇଥିଲା। ନିର୍ମାଣର ୩ବର୍ଷ ପରେ ପାକିସ୍ତାନ ପକ୍ଷରୁ ଏହାକୁ ବିରୋଧ କରି ଅର୍ନ୍ତରାଷ୍ଟ୍ରୀୟ ନ୍ୟାୟାଳୟରେ ଅଭିଯୋଗ କରାଯାଇ ଥିଲା। ଫଳରେ ଏହି ପ୍ରଜେକ୍ଟ ନିର୍ମାଣ ଉପରେ ୩ ବର୍ଷ ପାଇଁ ପ୍ରତିବନ୍ଧକ ଲାଗୁ କରାଯାଇ ଥିଲା। ୨୦୧୩ରେ କୋର୍ଟ ଏହି ପ୍ରଜେକ୍ଟକୁ ସବୁଜ ସଙ୍କେତ ଦେଇଥିଲା। ଏହି ପ୍ରଜେକ୍ଟ ଭାରତ ପାଇଁ ବେଶ୍ ମହତ୍ୱପୂର୍ଣ୍ଣ। ଏଥିରୁ କେବଳ ବିଦ୍ୟୁତ ଉତ୍ପାଦନ ହେବା ସହ ଏହାର ସୁରକ୍ଷା ପାଇଁ ଭାରତକୁ ବ୍ୟାପକ ବ୍ୟବସ୍ଥା କରିବାକୁ ପଡ଼ିବ। ଏହି ପ୍ରଜେକ୍ଟ ସୀମାନ୍ତ ଘାଟିର ୩୭୯ହେକ୍ଟରରେ ବ୍ୟାପୀ ରହିଛି। ଏହା ମଧ୍ୟରେ ୨୩.୨୪କିମି ସୁଡ଼ଙ୍ଗ ଖୋଳା ହୋଇଛି। ସମ୍ପୃକ୍ତ ଅଞ୍ଚଳରେ ପାକିସ୍ତାନ ପକ୍ଷରୁ ସିଜ ଫାୟାରର ଉଲ୍ଲଙ୍ଘନ କରାଯାଉଛି। କିଛି ଦିନ ପୂର୍ବେ ମଧ୍ୟ ପାକିସ୍ତାନ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ରକେଟ ମାଡ଼ କରାଯାଇ ଥିଲା। ଆତଙ୍କବାଦୀଙ୍କ ପକ୍ଷରୁ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ବାରମ୍ବାର ଅନୁପ୍ରବେଶ ଉଦ୍ୟମ ଜାରି ରହିଛି। ସେତେବେଳେ ସେଠାରେ କାର୍ଯ୍ୟରତ କର୍ମଚାରୀ ଭୟରେ ନିର୍ମିତ ସୁଡ଼ଙ୍ଗରେ ଆତ୍ମଗୋପନ କରିଥିଲେ। ପ୍ରକଳ୍ପଟି ନିର୍ମାଣଧୀନ ଥିବାରୁ ସୁଡ଼ଙ୍ଗ ମଧ୍ୟରେ ପାଣି ପ୍ରବେଶ କରାଯାଇ ନଥିଲା। ଏହି ପ୍ରକଳ୍ପ ନିର୍ମାଣ ପରେ ଏହାର ସୁରକ୍ଷା ବ୍ୟବସ୍ଥା ସିଆରପିଏଫକୁ ହସ୍ତାନ୍ତର କରାଯାଇଛି। ତେବେ ଏହି ବନ୍ଧର କ୍ଷତି ଘଟାଇଲେ ଭାରତ ଅପେକ୍ଷା ପାକିସ୍ତାନ ଅଧିକୃତ କାଶ୍ମୀରରେ ଏହାର ପ୍ରଭାବ ଦୃଶ୍ୟମାନ ହେବ। ବନ୍ଧର ପାଣି ପାକ୍ ଅଧିକୃତ କାଶ୍ମୀର ଭିତରକୁ ପ୍ରବେଶ କରି ଧନଜୀବନ ନଷ୍ଟ କରିଦେବ।