ଯୁବତୀଙ୍କ ଭିଡ଼ିଓ ଉତ୍ତୋଳନ କରି ବ୍ଲାକ୍ମେଲିଂ, ୨ ଗିରଫ
ଭୁବନେଶ୍ୱର: ନୂଆପଲ୍ଲୀ ଥାନା ଅଧୀନ ଆଇଆର୍ସି ଭିଲେଜରେ ଏକ ହୋଟେଲ୍ ରୁମ୍ରେ କିଛି ଯୁବକଯୁବତୀ ଜନ୍ମଦିନ ପାଳନ କଲେ। ଏହାର କିଛି ଦିନ ପରେ ଜନ୍ମଦିନ ପାଳନ ଲାଗି ହୋଟେଲ୍କୁ ଆସିଥିବା ଜଣେ ଯୁବତୀଙ୍କୁ ଟେଲିଫୋନ୍ କରି ୨ ଯୁବକ ବ୍ଲାକମେଲିଂ କରିବା ଆରମ୍ଭ କରି ଦେଇଥିଲେ। ୫୦,୦୦୦ ଟଙ୍କା ନ ଦେଲେ ଆପଣଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓକୁ ଭାଇରାଲ୍ କରିଦେବୁ। ଏଭଳି ଶୁଣିବା ପରେ ଯୁବତୀ ଜଣକ ଭୟଭୀତ ହୋଇପଡିଥିଲେ। ଆଇଆର୍ସି ଭିଲେଜ୍ର ଓୟୋ ହୋଟେଲ୍ର ଏହି ଘଟଣାରେ ଯୁବତୀଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ୨ କର୍ମଚାରୀଙ୍କୁ ଗିରଫ କରିଛି।
ପୁଲିସ ସୂଚନା ଅନୁସାରେ ନଭେମ୍ବର ୫ରେ ସାଇଆର୍ୟ୍ୟ ରେସିଡେନ୍ସିର ଥିବା ଓୟୋ ହେଟେଲ୍ରେ ଜନ୍ମଦିନ ପାଳନ ହୋଇଥିଲା। ୮ରେ ଉକ୍ତ ଓୟୋ ହୋଟେଲ୍ର କର୍ମଚାରୀ ଜଣେ ଯୁବତୀଙ୍କୁ ଫୋନ୍ କରି ତାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡ଼ିଓ ଉତ୍ତୋଳନ କରାଯାଇଛି। ଯଦି ୫୦,୦୦୦ ନ ଦିଅନ୍ତି, ତା’ ହେଲେ ଏସବୁକୁ ଭାଇରାଲ କରିଦିଆଯିବ ବୋଲି କହିଥିଲେ। ଏନେଇ ଯୁବତୀ ଜଣକ ତାଙ୍କର କିଛି ବନ୍ଧୁଙ୍କୁ ଜଣାଇଥିଲେ। ଯୋଜନା ଅନୁସାରେ ଯୁବତୀ ତାଙ୍କୁ ୨୦,୦୦୦ ଟଙ୍କା ଦେବାକୁ ରାଜି ହୋଇଥିଲେ। ହୋଟେଲ୍ର କର୍ମଚାରୀକୁ ନୂଆପଲ୍ଲୀ ଛକ ନିକଟକୁ ଟଙ୍କା ଦେବାକୁ ଡକାଯାଇଥିଲା। କର୍ମଚାରୀ ପହଞ୍ଚିବା ମାତ୍ରେ ସେଠାରେ ଥିବା କିଛି ଯୁବକ କାବୁ କରିନେଇ ସେମାନଙ୍କ ଫୋନ୍ ଯାଞ୍ଚ କରିଥିଲେ। ହେଲେ ଫୋନ୍ରୁ କିଛି ମିଳି ନ ଥିଲା। ସେମାନଙ୍କୁ ପଚରାଉଚରା କରିବାବେଳେ ଓୟୋ ହୋଟେଲ୍ର ରୁମ୍ ନମ୍ବର-୩୦୫, ୨୦୩ ଏବଂ ୪୦୨ରେ କବାଟରେ ଗୁପ୍ତ କ୍ୟାମେରା ଲଗାଯାଇଥିବା ସେ କହିଥିଲେ। ପୁଲିସ ରାତିରେ ରୁମ୍ରେ ଯାଞ୍ଚ କରିଥିଲା। ହେଲେ ସେଠାରେ କିଛି ବି କ୍ୟାମେରା ନ ଥିବା ଜଣାପଡିଥିଲା। ଓୟୋ ପରିଚାଳନା ଦାୟିତ୍ବରେ ଥିବା ଜଣେ କର୍ମଚାରୀ ହୋଟେଲ୍ର ଖାଦ୍ୟପେୟ ଓ ସଫେଇ କାମ ଅନ୍ୟ ଏକ ସଂସ୍ଥାକୁ ଦିଆଯାଇଥିବା କୁହାଯାଇଛି। ତଥାପି ଓୟୋର ପ୍ରବକ୍ତା କହିଛନ୍ତି, ଯାହା କିଛି ଅଭିଯୋଗ କରାଯାଇଛି ତାହା ଗ୍ରହଣୀୟ ନୁହେଁ। ଓୟୋ ହୋଟେଲ୍ସ ଆଣ୍ଡ୍ ହୋମସ୍ ଏହାର ସମସ୍ତ ଅତିଥିଙ୍କ ଗୋପନୀୟତା, ସୁରକ୍ଷା ଓ ନିରାପତ୍ତାକୁ ଧ୍ୟାନ ଦେଇଥାଏ। ଯେକୌଣସି ପ୍ରକାର ଦୁର୍ବ୍ୟବହାରକୁ ଆମେ ଶୂନ-ସହନଶୀଳତା ଭାବେ ଗ୍ରହଣ କରିଥାଉ। ହୋଟେଲ୍ରେ କୌଣସି ଗୁପ୍ତ କ୍ୟାମେରା ମିଳିନାହିଁ। ତଦନ୍ତକାରୀ ସଂସ୍ଥାକୁ ଆମେ ସହଯୋଗ କରିବା ଲାଗି ପ୍ରସ୍ତୁତ ରହିଛୁ।
Comments are closed.