ମିଅାଁମାରରେ ଶତାଧିକ ହିନ୍ଦୁଙ୍କୁ ଗଣହତ୍ୟା କରିଛନ୍ତି ରୋହିଙ୍ଗ୍ୟା
ରାଖିନେ : ମିଅାଁମାରରେ ରୋହିଙ୍ଗ୍ୟା ମୁସଲମାନଙ୍କ ଆରକାନ ମୁକ୍ତି ସେନା (ଏଆରଏସ୍ଏ) ନାମକ ଏକ ଆତଙ୍କବାଦୀ ସଂଗଠନ ଗତ ବର୍ଷ ରାଖିନେ ପ୍ରଦେଶରେ ଶତାଧିକ ହିନ୍ଦୁଙ୍କୁ ଗଣହତ୍ୟା କରିଥିବା ଆମନେଷ୍ଟି ଇଣ୍ଟରନ୍ୟାସନାଲ ସଂସ୍ଥା ପ୍ରକାଶ କରିଛି । ଏନେଇ ପ୍ରମାଣ ମିଳିଥିବା ଆମନେଷ୍ଟି ଇଣ୍ଟରନ୍ୟାସନାଲ ସ୍ପଷ୍ଟ କରିଛି । ରିପୋର୍ଟ ଅନୁସାରେ ୨୦୧୭ ଅଗଷ୍ଟ ୨୫ରେ ରାଖିନେରେ ପାଖାପାଖି ୯୯ ହିନ୍ଦୁଙ୍କୁ ଆରକାନ ରୋହିଙ୍ଗା ମୁକ୍ତି ସେନା ଆତଙ୍କବାଦୀମାନେ ଗଣହତ୍ୟା କରିଥିଲେ । ଠିକ୍ ସେହିଦିନ ମାଉଙ୍ଗଦାଓ ସହରର ୩୦ଟି ସୁରକ୍ଷା କର୍ମୀଙ୍କ ପୋଷ୍ଟ ଉପରକୁ ରୋହିଙ୍ଗ୍ୟା ମୁକ୍ତି ସେନା ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏଭଳି ଆକ୍ରମଣ ଯୋଗୁଁ ମିଅାଁମାର ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଓ ରାଖିନେ ପ୍ରଦେଶରୁ ପ୍ରାୟ ୭ ଲକ୍ଷ ରୋହିଙ୍ଗ୍ୟା ବାସଚ୍ୟୁତ ହୋଇ ବାଂଲାଦେଶ ପଳାୟନ କରିଥିଲେ । କିଛି ରେହିଙ୍ଗ୍ୟା ଆସି ଭାରତର ଜାମ୍ମୁ କାଶ୍ମୀରରେ ଶରଣ ନେଇଛନ୍ତି । ଆହ ନାଉକ ଖା ମାଉଙ୍ଗ ସେକ୍ ଗ୍ରାମର ୬୯ ହିନ୍ଦୁ ପୁରୁଷ, ନାରୀ ଓ ଶିଶୁଙ୍କୁ ଏଆରଏସ୍ଏ୍ ଆତଙ୍କବାଦୀ ଏକାଠି କରିଥିଲେ । ସେମାନଙ୍କ ମଧ୍ୟରୁ ୫୩ ଜଣକୁ ହତ୍ୟା କରାଯାଇଥିଲା । ମୃତକଙ୍କ ମଧ୍ୟରେ ୨୩ ଶିଶୁ, ୨୦ ପୁରୁଷ ଏବଂ ୧୦ ମହିଳା ଥିଲେ। ଏହି ଗଣହତ୍ୟାରୁ ମାତ୍ର ୧୬ ମହିଳା ଏବଂ ଶିଶୁ ବର୍ତ୍ତିଯାଇଥିଲେ । ବର୍ତ୍ତିଯାଇଥିବା ମହିଳା ଏବଂ ଶିଶୁଙ୍କୁ ରୋହିଙ୍ଗ୍ୟା ମୁସଲମାନ ନିଜ ସହ ବାଂଲାଦେଶ ନେଇଯାଇଛନ୍ତି । ଅଗଷ୍ଟ ୨୫ରେ ଆହ ନାଉକ ଖାର ପଡୋଶୀ ଗ୍ରାମ ୟେ ବାଉକ୍ କ୍ୟାରରୁ ୪୬ ହିନ୍ଦୁ ନିଖୋଜ ହୋଇଯାଇଥିଲେ । ସେମାନଙ୍କୁ ରୋହିଙ୍ଗ୍ୟା ମୁସଲମାନ ଆତଙ୍କବାଦୀ ହତ୍ୟା କରିଥିବା ସନ୍ଦେହ କରାଯାଉଛି ।