ୟୁପିର ୧୯,୧୪୩ ମାଦ୍ରାସାରେ ଏନ୍‌ସିଇଆରଟି ପାଠ୍ୟକ୍ରମ ଆରମ୍ଭ

0

ଲକ୍ଷ୍ନୌ : ଉତ୍ତରପ୍ରଦେଶର ୧୯ହଜାର ୧୪୩ ସରକାରୀ ମାନ୍ୟତାପ୍ରାପ୍ତ ମାଦ୍ରାସାରେ ଏନ୍‌ସିଇଆରଟି ପାଠ୍ୟକ୍ରମ ଅନୁସାରେ ପାଠ ପଢାଯିବ । ଉର୍ଦ୍ଧୁ ସହ ଛାତ୍ର ହିନ୍ଦୀ ଏବଂ ଇଂରାଜୀ ମାଧ୍ୟମରେ ପାଠ ପଢିବେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏନେଇ ଆଗତ ଏକ ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି। ମାଦ୍ରାସା ବୋର୍ଡର ରେଜିଷ୍ଟ୍ରାର ଆରପି ସିଂହଙ୍କ ସୂଚନା ଅନୁସାରେ ରାଜ୍ୟର ୧୯ ହଜାର ୧୪୩ ମାଦ୍ରାସାରେ ଏହି ନିୟମ ଲାଗୁ ହେବ । ଏହି ମାଦ୍ରାସାଗୁଡ଼ିକରେ ପ୍ରାୟ ୧୦ ଲକ୍ଷ ଛାତ୍ର ପାଠ ପଢୁଛନ୍ତି । ରାଜ୍ୟ ସରକାର ମାନ୍ୟତାପ୍ରାପ୍ତ ୫୬୦ ମାଦ୍ରାସାଙ୍କୁ ଅନୁଦାନ ପ୍ରଦାନ କରୁଛନ୍ତି । ଏହାବାଦ୍‌ ଅଣମାନ୍ୟତା ପ୍ରାପ୍ତ ୮୩୬ଟି ମାଦ୍ରାସା ରହିଛି । ଉତ୍ତରପ୍ରଦେଶରେ ୪୫୩୬ ମାଦ୍ରାସାକୁ ମାଦ୍ରାସା ବୋର୍ଡ ପକ୍ଷରୁ ମାନ୍ୟତା ମିଳିଛି । ରାଜ୍ୟ ଶକ୍ତି ମନ୍ତ୍ରୀ ଶ୍ରୀକାନ୍ତ ଶର୍ମା କହିଛନ୍ତି ଯେ ମାଦ୍ରାସାରେ ଗଣିତ, ବିଜ୍ଞାନ, ଇଂରାଜୀ, କମ୍ପ୍ୟୁଟର ଏବଂ ସାମାଜିକ ବିଜ୍ଞାନ ଭଳି ବିଷୟ ପଢା ଯାଉନଥିଲା । ଏବେ ସରକାର ଏହି ସବୁ ବିଷୟକୁ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ନିର୍ଦେଶ ଦେଇଛନ୍ତି । ମାଦ୍ରାସାରେ ପଢୁଥିବା ଛାତ୍ରଙ୍କ ଶିକ୍ଷାର ସ୍ତର ବୃଦ୍ଧି କରିବାକୁ ସରକାର ଏହି ପଦକ୍ଷେପ ନେଇଛନ୍ତି ବୋଲି ସୂଚନା ଦିଆଯାଇଛି ।

Leave A Reply