ଜେଡିୟୁ ନେତାଙ୍କ ପତ୍ନୀ କଲେ ଆତ୍ମହତ୍ୟା
ଜାମୁଇ : ଜନତା ଦଳ ୟୁନାଇଟେଡ୍ (ଜେଡିୟୁ)ର ମୁଖପାତ୍ର ତଥା ଗଣମାଧ୍ୟମ ପ୍ରଭାରୀ ପ୍ରଗତି ମେହଟ୍ଟାଙ୍କ ପତ୍ନୀ ଖୁସବୁ କୁମାରୀ ବିହାରର ଜାମୁଇ ଅନ୍ତର୍ଗତ ଗିଧାଉରସ୍ଥିତ ନିଜ ପିତାଙ୍କ ଘରେ ମଙ୍ଗଳବାର ରାତିରେ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କାରଣ ଏଯାବତ୍ ଜଣାପଡି ନ ଥିବା ବେଳେ ପୁଲିସ ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି। ସୂଚନା ଅନୁଯାୟୀ, ମଙ୍ଗଳବାର ରାତ୍ରିଭୋଜନ ପରେ ପରିବାରର ଅନ୍ୟ ସଦସ୍ୟମାନେ ଘରର ଛାତ ଉପରକୁ ଶୋଇବାକୁ ଚାଲିଯାଇଥିବା ବେଳେ ଖୁସବୁ ଏବଂ ତାଙ୍କ ଝିଅ ଶୟନ କକ୍ଷକୁ ଯାଇଥିଲେ। ରାତି ପ୍ରାୟ ୪ଟା ବେଳେ ଖୁସ୍ବୁଙ୍କ ମୃତଦେହ ଫ୍ୟାନରେ ଝୁଲୁଥିବା ଦେଖି ପରିବାର ଲୋକେ ପୁଲିସକୁ ସୂଚନା ଦେଇଥିଲେ। ଛ’ ବର୍ଷ ପୂର୍ବେ ପ୍ରଗତି ଖୁସ୍ବୁଙ୍କୁ ବିବାହ କରିଥିଲେ। ସବୁକିଛି ଠିକ୍ ଚାଲିଥିବା ବେଳେ ଖୁସ୍ବୁ କାହିଁକି ଏଭଳି ପଦକ୍ଷେପ ଗ୍ରହଣ କଲେ ତାହାର କାରଣ ଜଣାନ ଥିବା ପରିବାର ଲୋକେ କହିଛନ୍ତି। ସାମ୍ବାଦିକରୁ ରାଜନେତା ପାଲଟିଥିବା ପ୍ରଗତି ରାଷ୍ଟ୍ରୀୟ ଜନତା ଦଳ (ଆର୍ଜେଡି)ରୁ ନିଜ ରାଜନୈତିକ କ୍ୟାରିଅର୍ ଆରମ୍ଭ କରିଥିଲେ। ପରେ ଆର୍ଜେଡି ଛାଡି ସେ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଜେଡିୟୁରେ ଯୋଗ ଦେଇଥିଲେ।