ମୋଦିଙ୍କ ସୁଶାସନ ବକ୍ତବ୍ୟରୁ ଶିକ୍ଷା ନେବେ ଆଇଏଏସ୍ ଅଧିକାରୀ
ଗାନ୍ଧିନଗର : ସୁଶାସନ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟରୁ ଏଣିକି ରାଜସ୍ଥାନର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀମାନେ ଶିକ୍ଷା ଗ୍ରହଣ କରିବେ। ୨୦୦୧ରୁ ୨୦୧୪ ପର୍ଯ୍ୟନ୍ତ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ମୋଦି ସୁଶାସନ ଉପରେ ଦେଇଥିବା ବକ୍ତବ୍ୟଗୁଡିକୁ ନେଇ ‘ଚିନ୍ତନ ଶିବିର’ ଶୀର୍ଷକ ଏକ ପୁସ୍ତକ ପ୍ରସ୍ତୁତ କରାଯାଇଛି। ଇତିମଧ୍ୟରେ ଏହି ପୁସ୍ତକଟିକୁ ଗୁଜରାଟ ମୁଖ୍ୟଶାସନ ସଚିବ ରାଜସ୍ଥାନ ପ୍ରତିପକ୍ଷଙ୍କ ନିକଟକୁ ପଠାଇଛନ୍ତି। ରାଜସ୍ଥାନ ସରକାରଙ୍କ ଅନୁମତି ମିଳିବା ପରେ ପୁସ୍ତକଟିକୁ ରାଜ୍ୟର ଆଇଏଏସ୍ ଅଧିକାରୀମାନଙ୍କୁ ବଣ୍ଟନ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ବୁଧବାର ପ୍ରକାଶ କରିଛନ୍ତି। ପୁସ୍ତକ ବଣ୍ଟନ ଲାଗି କାର୍ମିକ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କ ଅନୁମତି ଲୋଡାଯାଇଛି ବୋଲି ବିଭାଗୀୟ ସଚିବ ଭାସ୍କର ଏ. ସାୱନ୍ତ ପ୍ରକାଶ କରିଛନ୍ତି।