ପ୍ରତିକ୍ଷାର ଅନ୍ତ ମହାରାଷ୍ଟ୍ରରେ ଆରମ୍ଭ ହେବ ଉଦ୍ଧବ ରାଜ୍
୧ ଡିସେମ୍ବରରେ ନେବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ
ମୁମ୍ବଇ: ସମସ୍ତ ପ୍ରତିକ୍ଷାର ଅନ୍ତ ଘଟିଛି। ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ପରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ୧ ଡିସେମ୍ବରରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ମଙ୍ଗଳବାର ଶିବସେନା,ଏନସିପି ଏବଂ କଂଗ୍ରେସର ମିଳିତ ବିଧାୟକ ଦଳ ବୈଠକରେ ଉଦ୍ଧବ ଠାକରେଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଛି। ଉଦ୍ଧବ ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ୧ ଡିସେମ୍ବରରେ ଶିବାଜୀ ପାର୍କରେ ଅନୁଷ୍ଠିତ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ।
ଏଠାରେ ସୂଚନାଯୋଗ୍ୟ ମହାରାଷ୍ଟ୍ରରେ ଗତ ଅକ୍ଟୋବର ୨୧ରେ ନିର୍ବାଚନ ହୋଇଥିଲା ଏବଂ ୨୪ ତାରିଖରେ ଫଳାଫଳ ଆସିଥିଲା। ଏହପରେ ନିର୍ବାଚନରେ ମେଣ୍ଟକରି ଲଢୁଥିବା ଶିବସେନା ଏବଂ ବିଜେପି ମଧ୍ୟରେ ଫାଟ ସୃଷ୍ଟି ହେବା ଆରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୁଇ ଦଳ ମଧ୍ୟରେ ମତାନ୍ତର ଚରମସିମାରେ ପହଞ୍ଚିଥିଲା। ପରିଶେଷରେ ମହାରାଷ୍ଟ୍ରରେ ରାଷ୍ଟପତି ଶାସନ ଲାଗୁହୋଇଥିଲା। ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଶିବସେନା ,ଏନସିପି ଏବଂ କଂଗ୍ରେସ ପ୍ରସ୍ତୁତ ହେଉଥିବା ସମୟରେ ବିଜେପି ଏନସିପିର ନେତା ଅଜିତ୍ ପାୱାରଙ୍କ ସମର୍ଥନ କ୍ରମେ ରାତାରାତି ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ପ୍ରସ୍ତାବ ଦେଇଥିଲେ। ଭୋର ୫.୩୦ରେ ରାଷ୍ଟ୍ରପତି ଶାସନ ଉଠିବା ସହ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ବିଜେପିର ଦେବେନ୍ଦ୍ର ଫଡନବିସ। ବିଜେପିର ରାତାରାତି ଏପରି ନିଷ୍ପତି ଶିବସେନା ,କଂଗ୍ରେସ ଏବଂ ଏନସିପିର ଶରଦ ପାୱାରଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା। ମହାରାଷ୍ଟ୍ର ଘଟଣା ଶେଷରେ ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ସୁପ୍ରିମକୋର୍ଟ ଦେବେନ୍ଦ୍ର ଫଡନବିସଙ୍କୁ ଫ୍ଲୋର ଟେଷ୍ଟ ଦେବାକୁ ନିର୍ଦେଶ ଦେଇଥିଲେ। ଦେବେନ୍ଦ୍ରଙ୍କୁ ସରକାର ଗଠନ କରିବାରେ ସାହାର୍ଯ୍ୟ କରିଥିବା ଏନସିପିର ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଦେବେନ୍ଦ୍ରଙ୍କୁ ଆଉ ସମର୍ଥନ ଦେଇପାରିବେ ନାହିଁ ବୋଲି କହିଥିଲେ । ଏହାପରେ ଦେବେନ୍ଦ୍ର ଫଡନବିସ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।
Comments are closed.