କିଶନଗଙ୍ଗା ପ୍ରକଳ୍ପ ପ୍ରସଙ୍ଗ: ପାକିସ୍ତାନ-ବିଶ୍ୱବ୍ୟାଙ୍କର ସହମତି ହୋଇପାରିଲାନି
ୱାଶିଂଟନ : ସିନ୍ଧୁ ଜଳ ଚୁକ୍ତିକୁ ନେଇ ବିଶ୍ୱ ବ୍ୟାଙ୍କ ଏବଂ ପାକିସ୍ତାନ ମଧ୍ୟରେ ସହମତି ହୋଇପାରି ନ ଥିବା ଜଣାପଡିଛି। ଏହି ଚୁକ୍ତି ସମ୍ବନ୍ଧରେ ଆଲୋଚନା ନିମନ୍ତେ ପାକିସ୍ତାନ ଆଟର୍ଣ୍ଣି ଜେନେରାଲ ଅଶତର ଔସଫ ଅଲ୍ଲୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଗତ ଦୁଇ ଦିନ ଧରି ବିଶ୍ୱବ୍ୟାଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ରିଷ୍ଟିଲିନା ଜିଓର୍ଜିଭାଙ୍କ ସହିତ ଆଲୋଚନା କରିଥିଲେ। ପାକିସ୍ତାନର ଅନୁରୋଧ କ୍ରମେ ଅନୁଷ୍ଠିତ ଏହି ବୈଠକରେ ସିନ୍ଧୁ ଜଳ ଚୁକ୍ତି ଏବଂ ଏହାଦ୍ୱାରା ଉପଲବ୍ଧ ହେବାକୁ ଥିବା ସୁବିଧା ସୁଯୋଗ ସମ୍ବନ୍ଧରେ ଆଲୋଚନା ହୋଇଥିଲା। ଏଥିସହ ଚୁକ୍ତିର କେତେକ ପ୍ରସଙ୍ଗକୁ ନେଇ ରହିଥିବା ମତଭେଦ ଉପରେ ମଧ୍ୟ ଚର୍ଚ୍ଚା ହୋଇଥିଲା। ବୈଠକରେ ଭାରତର କିଶନଗଙ୍ଗା ହାଇଡ୍ରୋଇଲେକ୍ଟ୍ରିକ୍ ପ୍ରକଳ୍ପ ଉଦ୍ଘାଟନ ବିଷୟ ପାକିସ୍ତାନ ଉଠାଇଥିଲ; କିନ୍ତୁ ଆଲୋଚନା ଶେଷରେ ଉଭୟ ପକ୍ଷ କୌଣସି ସହମତିରେ ଉପନୀତ ହୋଇ ପାରି ନ ଥିଲେ। ଏଣୁ ଆଗାମୀ ଦିନରେ ଚୁକ୍ତିରେ ଥିବା ବ୍ୟବସ୍ଥା ଅନୁସାରେ ଏହି ପ୍ରକଳ୍ପ ଉପରେ ଆପୋଷ ସହମତି ଭିତ୍ତିରେ ବିଶ୍ୱବ୍ୟାଙ୍କ ଉଭୟ ଭାରତ ଏବଂ ପାକିସ୍ତାନ ସହିତ ମିଳିତ ଭାବେ କାର୍ଯ୍ୟ କରିବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି।