କର୍ଣ୍ଣାଟକକୁ ବ୍ୟାପିଲା ନିପା ସଂକ୍ରମଣ
ନୂଆଦିଲ୍ଲୀ : ନିପା ସଂକ୍ରମଣ ରୋକିବା ଲାଗି କେରଳ ଏବଂ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମ ଜାରି ରହିଥିବା ବେଳେ ଏହି ସଂକ୍ରମଣ ଏବେ ପଡୋଶୀ ରାଜ୍ୟ କର୍ଣ୍ଣାଟକକୁ ବ୍ୟାପିଥିବା ଜଣାପଡିଛି। ବୁଧବାର ସୁଦ୍ଧା କର୍ଣ୍ଣାଟକର ମାଙ୍ଗାଲୋରଠାରେ ଦୁଇ ଜଣ ବ୍ୟକ୍ତି ଏହି ଜୀବାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି। ଏଠାକାର ୨୦ ବର୍ଷ ବୟସ୍କ ଜଣେ ଯୁବତୀ ଏବଂ ୭୫ ବର୍ଷ ବୟସ୍କ ଜଣେ ବୃଦ୍ଧଙ୍କଠାରେ ନିପା ସଂକ୍ରମଣ ଜନିତ ଲକ୍ଷଣ ପ୍ରକାଶ ପାଇଥିବା ଜିଲା ନିରୀକ୍ଷକ ରାଜେଶ ବି. ଭି. ପ୍ରକାଶ କରିଛନ୍ତି। ଏମାନେ କୌଣସି କାର୍ଯ୍ୟରେ କେରଳ ଯାଇଥିଲେ। ସେଠାରେ ସଂକ୍ରମିତ ଲୋକଙ୍କ ସଂସ୍ପର୍ଶରେ ଆସିବାରୁ ଜୀବାଣୁ ସେମାନଙ୍କ ଶରୀରରେ ପ୍ରବେଶ କରିଥାଇପାରେ ବୋଲି ରାଜେଶ ଆଶଙ୍କା ବ୍ୟକ୍ତ କରିଛନ୍ତି। ତେବେ ସେମାନଙ୍କଠାରେ ନିପା ସଂକ୍ରମଣ ନେଇ ଡାକ୍ତରମାନେ କିଛି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି। ସେମାନଙ୍କ ରକ୍ତ ନମୁନା ମଣିପାଳ ସେଣ୍ଟରକୁ ପରୀକ୍ଷା ଲାଗି ପଠାଯାଇଛି। ଗୁରୁବାର ରିପୋର୍ଟ ମିଳିବା ପରେ ବାସ୍ତବ ସୂଚନା ମିଳିବ ବୋଲି ରାଜେଶ କହିଛନ୍ତି। ଏହି ଘଟଣା ଲୋକଲୋଚନକୁ ଆସିବା ପରେ କେରଳ ସୀମାସଂଲଗ୍ନ କର୍ଣ୍ଣାଟକର ୮ଟି ଜିଲାରେ ରାଜ୍ୟସରକାରଙ୍କ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି। ଏହି ଜିଲାଗୁଡିକ ହେଲା ଚାମରାଜନଗର, ମହୀଶୂର, କୋଦଗୁ, ଦକ୍ଷିଣ କନ୍ନଡ, ଉତ୍ତର କନ୍ନଡ, ଉଡୁପି, ଶିବମୋଗା ଏବଂ ଚିକିମାଗାଲୁରୁ। ଏଠାରେ ସଂକ୍ରମଣ ବିଷୟରେ ଦୈନିକ ରିପୋର୍ଟ ପ୍ରଦାନ କରିବାକୁ ସ୍ୱାସ୍ଥ୍ୟ ବିଭାଗକୁ କୁହାଯାଇଛି। ନିପା ସଂକ୍ରମିତ ଅଞ୍ଚଳକୁ ଯାତ୍ରାକରୁଥିବା ଲୋକମାନଙ୍କ ସ୍ୱାସ୍ଥ୍ୟବସ୍ଥା ଅତିକମ୍ରେ ୧୮ ଦିନ ପର୍ଯ୍ୟନ୍ତ ଯାଞ୍ଚ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଛି।
ତେଲେଙ୍ଗାନା ସରକାର ମଙ୍ଗଳବାର ରାଜ୍ୟରେ ସତର୍କସୂଚନା ଜାରି କରିଥିଲେ। ନିପା ସଂକ୍ରମଣ ଦୂର ଚିହ୍ନଟ ଲାଗି ରାଜ୍ୟ ସରକାର ପୁନେସ୍ଥିତ ନ୍ୟାସନାଲ ଭାଇରୋଲୋଜି ଇନ୍ଷ୍ଟିଚ୍ୟୁଟ ସହିତ ଯୋଗାଯୋଗ କରିଥିବା ବେଳେ ପରିସ୍ଥିତିର ମୁକାବିଲା ନିମନ୍ତେ ଜାତୀୟ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ଏବଂ ମଣିପାଳ ସେଣ୍ଟର ଫର୍ ଭାଇରୋଲୋଜି ଆଣ୍ଡ ରିସର୍ଚ୍ଚ ସହିତ ଯୋଗାଯୋଗ କରିଛନ୍ତି।