ସୀମାରେ ଯୁଦ୍ଧ ପରିସ୍ଥିତି, ଘର ଛାଡିଲେ ଲୋକେ
ଜାମ୍ମୁ : ପାକିସ୍ତାନୀ ସେନାର ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନରୁ ଜାମ୍ମୁ କାଶ୍ମୀର ସୀମାରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ପାକିସ୍ତାନୀ ସୈନ୍ୟ ଜାମ୍ମୁ କାଶ୍ମୀର ସୀମାରେ ସୋମବାରଠାରୁ ପ୍ରବଳ ଗୁଳିଗୋଳା ମାଡ଼ ଜାରି ରଖିଛନ୍ତି । ବୁଧବାର ପାକିସ୍ତାନୀ ସୈନ୍ୟଙ୍କ ଗୁଳି ମାଡ଼ରେ ସାମ୍ବା ଏବଂ ଆର.ଏସ୍ପୁରା ସୀମାରେ ୫ ଜଣ ଲୋକ ପ୍ରାଣ ହରାଇଛନ୍ତି ଓ ୨୦ରୁ ଅଧିକ ଆହତ ହୋଇଛନ୍ତି । ଫଳରେ ଭାରତୀୟ ସେନା ପୁନଃ ପ୍ରତିଆକ୍ରମଣ କରିବାକୁ ବାଧ୍ୟ ହୋଇଛି। ଉଭୟ ପକ୍ଷ ମଧ୍ୟରେ ପ୍ରବଳ ଗୁଳିବିନିମୟ ଯୋଗୁ ସୀମାନ୍ତ ଗ୍ରାମଗୁଡ଼ିକର ପ୍ରାୟ ୪୦ ହଜାର ଲୋକେ ଘର ଛାଡ଼ି ଅନ୍ୟତ୍ର ପଳାଇବାକୁ ବାଧ୍ୟ ହୋଇଛନ୍ତି । ପାକିସ୍ତାନୀ ସୈନ୍ୟ ଜାମ୍ମୁ, କଠୁଆ, ସାମ୍ବା ଏବଂ ଆରଏସ୍ପୁରା ଅନ୍ତର୍ଜାତୀୟ ସୀମାରେ ପ୍ରବଳ ଗୁଳିମାଡ଼ କରିଛନ୍ତି। ପାକିସ୍ତାନୀ ସୈନ୍ୟଙ୍କ ଗୁଳିରେ ସାମ୍ବାରେ ବୁଧବାର ସକାଳେ ଜଣେ ୮ ବର୍ଷ ବୟସ୍କ ବାଳିକା ସମେତ ୩ ଜଣ ପ୍ରାଣ ହରାଇଛନ୍ତି ଓ ୬ ଆହତ ହୋଇଛନ୍ତି । ସେହିପରି ପାକିସ୍ତାନୀ ରେଞ୍ଜର୍ସ କଠୁଆ ଜିଲାର ସୀମାବର୍ତ୍ତୀ ପୁଲିସ ଥାନା ଓ ସେନା ଶିବିରକୁ ଲକ୍ଷ୍ୟ କରି ଗୁଳି ମାଡ଼ କରିଛନ୍ତି । ପାକିସ୍ତାନୀ ରେଞ୍ଜର୍ସ ଜାମ୍ମୁର ଆରଏସ୍ ପୁରା, ଅର୍ଣ୍ଣିଆ, ରାମଗଡ଼, ସାମ୍ବା ସେକ୍ଟରରେ ପ୍ରବଳ ଗୁଳି ମାଡ଼ କରିଛନ୍ତି । ପାକ୍ ସୈନ୍ୟଙ୍କ ଗୁଳି ମାଡ଼ରେ ମଙ୍ଗଳବାର କଠୁଆ ହୀରାନଗରରେ ଜଣେ ୮ ମାସ ଶିଶୁ ପ୍ରାଣ ହରାଇଥିଲା । ଏହା ପୂର୍ବରୁ ପାକ୍ ସେନା ଗୁଳିରେ ସୋମବାର ଜଣେ ମହିଳା ଏବଂ ଜଣେ ଏସ୍ପିଓଙ୍କ ସମେତ ୬ ଜଣ ଲୋକ ଆହତ ହୋଇଥିଲେ । ସୁରକ୍ଷା ଦୃଷ୍ଟିରୁ ଅନ୍ତର୍ଜାତୀୟ ସୀମା ନିକଟସ୍ଥ ଜାମ୍ମୁ, ସାମ୍ବା ଏବଂ କଠୁଆସ୍ଥିତ ସମସ୍ତ ସ୍କୁଲକୁ ବନ୍ଦ ରଖାଯାଇଛି। ଗତ ଏକ ସପ୍ତାହ ହେବ ପାକିସ୍ତାନୀ ସେନା ଅନ୍ତର୍ଜାତୀୟ ସୀମା ରେଖା ନିକଟରେ ବାରମ୍ବାର ଗୁଳିମାଡ଼ କରିଆସୁଛି। ଉଲ୍ଲେଖ ଯେ ରବିବାର ରାତି ସୁଦ୍ଧା ଏଥିରେ ୨ ଯବାନଙ୍କ ସମେତ ୬ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୧୮ ଜଣ ଲୋକ ଗୁରୁତର ଆହତ ହୋଇଥିଲେ । ଏହାର ପ୍ରତିବାଦରେ ଭାରତୀୟ ସେନା ରବିବାର ରାତିରେ ପାକିସ୍ତାନ ଉପରେ ଜୋର୍ଦାର ଆକ୍ରମଣ କରିଥିଲା ଓ କେତେକ ପାକିସ୍ତାନୀ ବଙ୍କର ଉଡ଼ାଇ ଦେଇଥିଲେ । ଭୟଭୀତ ପାକିସ୍ତାନ ଫୋନ୍ କରି ଯୁଦ୍ଧବିରତି ପାଇଁ ଅନୁରୋଧ କରାଯାଇଥିଲା। ଭାରତ ସରକାରଙ୍କ ନିଷ୍ପତ୍ତି ଏବଂ ରମଜାନ ମାସକୁ ଦୃଷ୍ଟିରେ ରଖି ଭାରତୀୟ ସେନା ଯୁଦ୍ଧବିରତିକୁ ସମ୍ମାନ ଦେଉଥିଲା ବେଳେ ପାକିସ୍ତାନ ସେନାର ଅନୁରୋଧକୁ ଗ୍ରହଣ କରିଥିଲା । ମାତ୍ର ପାକିସ୍ତାନ ପୁନଃ ଯୁଦ୍ଧବିରତି ଉଲ୍ଲଙ୍ଘନ କରି ଗୁଳି ଓ ମୋର୍ଟାର ମାଡ଼ କରୁଛି । ଫଳରେ ସୀମାରେ ଯୁଦ୍ଧ ପରିସ୍ଥିତି ଉପୁଜିଛି । ଚଳିତ ବର୍ଷ ଜାମ୍ମୁ ଆନ୍ତର୍ଜାତିକ ସୀମାରେ ପାକିସ୍ତାନ ସେନା ୭୦୦ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି । ଏଥିରେ ୧୮ ସୁରକ୍ଷା କର୍ମୀଙ୍କ ସମେତ ୩୮ ଲୋକ ପ୍ରାଣ ହରାଇଛନ୍ତି ଓ ଅନେକ ଆହତ ହୋଇଛନ୍ତି ।