କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କୁମାରସ୍ୱାମୀ

0

ବେଙ୍ଗାଲୁରୁ : କର୍ଣ୍ଣାଟକର ୩୩ତମ ମୁଖ୍ୟମନ୍ତ୍ରୀ ଭାବେ ଏଚ.ଡି. କୁମାରସ୍ୱାମୀ ବୁଧବାର ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ବାଜୁଭାଇ ବାଲା ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ବେଙ୍ଗାଲୁରୁ ବିଧାନସୌଧ ଆଗରେ ନିର୍ମିତ ଖୋଲାମଞ୍ଚରେ ଆୟୋଜିତ ଶପଥପାଠ ସମାରୋହରେ କୁମାରସ୍ୱାମୀଙ୍କ ସହ ଉପ-ମୁଖ୍ୟମନ୍ତ୍ରୀ ଭାବେ କଂଗ୍ରେସ ନେତା ଜି.ପରମେଶ୍ୱର ଶପଥ ଗ୍ରହଣ କରିଛନ୍ତି । ନୂଆ ସରକାର ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ପରେ ମେ’୨୪ରେ ୩୪ ଜଣ କ୍ୟାବିନେଟ ମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ ବୋଲି କୁମାରସ୍ୱାମୀ ସୂଚନା ଦେଇଛନ୍ତି । ୩୪ ଜଣଙ୍କ ମଧ୍ୟରେ କଂଗ୍ରେସର ୨୨ ଏବଂ ଜେଡିଏସ୍‌ର ୧୨ ମନ୍ତ୍ରୀ ରହିବେ । ଏହି ସମାରୋହରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି, କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ, ଉତ୍ତରପ୍ରଦେଶ ର୍ପୂବତନ ମୁଖ୍ୟମନ୍ତ୍ରୀ ତଥା ସପା ନେତା ଅଖିଳେଶ ଯାଦବ, ବସପା ନେତ୍ରୀ ମାୟାବତୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ନେତ୍ରୀ ମମତା ବାନାର୍ଜୀ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁ, ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣ ସ୍ୱାମୀ, ରମେଶ ଜିଗାଜିନାଗୀ, କେଏଲସି ଅଧ୍ୟକ୍ଷ ଡି.ଏଚ. ଶଙ୍କରମୂର୍ତ୍ତି, ଅସ୍ଥାୟୀ ବାଚସ୍ପତି କେ.ଜି ବୋପାୟା, କର୍ଣ୍ଣାଟକ ହାଇକୋର୍ଟ ମୁଖ୍ୟ ବିଚାରପତି ଦିନେଶ ମାହାଶ୍ୱରୀ, ଏନ୍‌ସିପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶରଦ ପାୱାର, ସିପିଆଇ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ, ଆରଜେଡି ନେତା ତେଜସ୍ୱୀ ଯାଦବ, ଅଭିନେତା ଏବଂ ରାଜନେତା କମଳ ହାସନ, ଜେଡି(ଏସ୍‌) ସଚିବ ଦାନିଶ ଅଲ୍ଲୀ, କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ବି.ଏସ୍‌ ୟେଦୁରପ୍ପା, ସଂସଦୀୟ ବ୍ୟାପାର ମନ୍ତ୍ରୀ ତଥା ରାସାୟନିକ ଏବଂ ସାର ମନ୍ତ୍ରୀ ଅନନ୍ତ କୁମାର, ପରିସଂଖ୍ୟାନ ଏବଂ ଯୋଜନା ମନ୍ତ୍ରୀ ସଦାନନ୍ଦ ଗୌଡ଼ା, କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମୈୟା ଏବଂ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଭିରାପ୍ପା ମୋଇଲିଙ୍କ ସମେତ କଂଗ୍ରେସ-ଜେଡିଏସ୍‌ର ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ । ପ୍ରକାଶ ଯେ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପି ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ୧୦୪ଟି ଆସନରେ ବିଜୟୀ ହୋଇଥିଲାବେଳେ କଂଗ୍ରେସ ୭୮, ଜେଡିଏସ୍‌ ୩୭ ଏବଂ ଅନ୍ୟାନ୍ୟ ଏବଂ ସ୍ୱାଧୀନ ୨ଟି ଆସନରେ ବିଜୟୀ ହୋଇଛନ୍ତି । କୌଣସି ବି ଦଳ ଆବଶ୍ୟକ ବହୁମତ ହାସଲ କରିନଥିବାରୁ ନିର୍ବାଚନ ଫଳ ପ୍ରକାଶ ପରେ ସରକାର ଗଠନ ପାଇଁ ଟଣାଓଟରା ଆରମ୍ଭ ହୋଇଥିଲା । ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ରାଜ୍ୟପାଳ ପ୍ରଥମେ ବିଜେପିକୁ ସରକାର ଗଠନ କରିବାକୁ ଆମନ୍ତ୍ରଣ କରିଥିଲେ । ଏ କ୍ରମରେ ମେ’ ୧୭ରେ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଏହା ବିରୋଧରେ କଂଗ୍ରେସ-ଜେଡିଏସ୍‌ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ୟେଦୁରପ୍ପାଙ୍କୁ ୨୪ ଘଣ୍ଟାର ସମୟ ଦେଇଥିଲେ । ଏ କ୍ରମରେ ମେ’ ୧୯ରେ ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ପୂର୍ବରୁ ୟେଦୁରପ୍ପା ନିଜ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ନିର୍ବାଚନ ପରବର୍ତ୍ତୀ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ଗଠନ କରିଛନ୍ତି । ମେ’ ୨୪ରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ବିଧାନସଭାରେ ଆସ୍ଥା ଭୋଟରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବ ।

Leave A Reply