ମଧ୍ୟପ୍ରଦେଶରେ ଜାତିଭିତ୍ତିରେ ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷାଫଳ
ଭୋପାଳ: ମଧ୍ୟପ୍ରଦେଶ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳକୁ ଜାତିଭିତ୍ତିରେ ପ୍ରକାଶ କରାଯାଇଛି। ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ସାଧାରଣ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗରେ ବିଭକ୍ତ କରାଯାଇଛି। ଏହାକୁ ନେଇ ସେଠାରେ ରାଜନୀତି ଜୋର ଧରିଛି। ସେଠାକାର ବିଜେପି ସରକାର ଜାତିଆଣ ପ୍ରଥାକୁ ପ୍ରୋତ୍ସାହିତ କରୁଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି। ଅପରପକ୍ଷରେ ଏହାଦ୍ୱାରା ଛାତ୍ରଛାତ୍ରୀମାନେ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁଫଳ ପାଇବାରେ ସୁବିଧା ହେବ ବୋଲି ପରିଷଦର ଅଧ୍ୟକ୍ଷ ଏସ ଆର ମହାନ୍ତି କହିଛନ୍ତି। ପୂର୍ବରୁ ସେଠାରେ ସମସ୍ତ ସରକାରୀ ବିଦ୍ୟାଳୟରେ ଉପସ୍ଥାନ ବେଳେ ଜୟହିନ୍ଦ କହିବା ବାଧ୍ୟତାମୂଳକ ବୋଲି ମଧ୍ୟପ୍ରଦେଶ ସରକାର ନିର୍ଦେଶନାମା ଜାରି କରି ଚର୍ଚ୍ଚାକୁ ଆସିଥିଲେ।