ସୀମାରେ ପାକିସ୍ତାନର ଗୁଳିବର୍ଷା, ୩ ଯବାନ, ୪ ନାଗରିକଙ୍କ ମୃତ୍ୟୁ
ଜମ୍ମୁ: ଅସ୍ତ୍ରବିରତି ରାଜିନାମାକୁ ଉଲ୍ଲଂଘନ କରି ଆଜି ପାକିସ୍ତାନ ପଟୁ ପୁଣି ଥରେ ଗୁଳିଗୋଳା ମାଡ଼ କରାଯାଇଛି। ପ୍ରବଳ ଗୁଳିମାଡ଼ରେ ୩ ଜଣ ବିଏସ୍ଏଫ୍ ଯବାନ ଓ ୪ ଜଣ ନାଗରିକଙ୍କ ମୃତ୍ୟୁ ଘଟିଛି। ୩୦ରୁ ଅଧିକ ଆହତ ହୋଇଛନ୍ତି। ସୀମାନ୍ତ ୫ଟି ଗାଁ ଉପରକୁ ପାକିସ୍ତାନ ସେନା ପକ୍ଷରୁ ଗୁଳିଗୋଳା ମାଡ଼ କରାଯାଉଛି।
ଜମ୍ମୁ-କଶ୍ମୀର ପୁଲିସ ଡିଜିଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭାରତ-ପାକ୍ ଆନ୍ତର୍ଜାତିକ ସୀମା ଜମ୍ମୁ, ସାମ୍ବା ଓ କାଠୁଆ ଜିଲାରେ ବୁଧବାର ସକାଳୁ ପାକିସ୍ତାନ ପଟୁ ଗୁଳିଗୋଳା ମାଡ଼ କରାଯାଇଥିଲା। ସେଠାରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସୀମାନ୍ତବର୍ତ୍ତୀ ଗ୍ରାମର ୪୦ ହଜାର ଲୋକ ଆର ଏସ୍ ପୁରା, ଆରନିଆ, ରାମଗଡ଼ ଓ ହିରାନଗର ସେକ୍ଟରକୁ ପଳାଇଯାଇଛନ୍ତି। ପାକିସ୍ତାନ ସେନା ପକ୍ଷରୁ ଆଜି ଲଗାତର ତୃତୀୟ ଦିନ ପାଇଁ ପ୍ରବଳ ଗୁଳିଗୋଳା ମାଡ଼ କରାଯାଇଥିଲା।