ଟ୍ରାକ କ୍ୟାମେରାରେ ଧରାପଡିଲା ୩ଟି ଚିତା
ଟିଟିଲାଗଡ଼ : ଟିଟିଲାଗଡ ବନବିଭାଗ ଅନ୍ତର୍ଗତ ବଡମାଲ ଅଞ୍ଚଳରେ ଚିତାର ଉପସ୍ଥିତି ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଦେଖାଦେଇଛି। ବର୍ଣ୍ଣେଇ ତଥା ତିଖାରି ସଂରକ୍ଷିତ ଜଙ୍ଗଲ ଅଧିନସ୍ଥ ବଡମାଲ ଗୋଳାବାରୁଦ କାରଖାନା କଲୋନି ଅଞ୍ଚଳକେ କିଛି ବର୍ଷ ଧରି ଚିତା ନିର୍ଭୟରେ ବିଚରଣ କରୁଥିବା ଆଲୋଚନା ହୋଇଛି। କାରଖାନାର ନିଷିଦ୍ଧାଞ୍ଚଳରେ ଏକ ଚିତା ବାଘ, ବାରହା ଶିକାର ପାଇଁ ଖଞ୍ଜା ଯାଇଥିବା ଲୁହା ତାର ଫାଶରେ ପଡି ମୃତ୍ୟୁବରଣ କରିବା ଆଲୋଚନାର ବିଷୟ ହୋଇଥିଲା। ତେବେ ସମ୍ପ୍ରତି ଏକାଧିକ ଚିତା କାରଖାନା କଲୋନି ଅଞ୍ଚଳରେ ଘୁରି ବୁଲୁଥିବା ସ୍ଥାନୀୟ ଅଧିବାସୀ ନିଜ କ୍ୟାମେରାରେ ଉତୋଳନ କରିଛନ୍ତି। ଏନେଇ ବନବିଭାଗ ପକ୍ଷରୁ କାରଖାନା ବସତି ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଟ୍ରାକ କ୍ୟାମେରା ଖଞ୍ଜା ଯାଇଥିବା ବେଳେ ତିନୋଟି ଚିତା ଚିହ୍ନଟ ହୋଇଥିବା ଜଣାଯାଇଛି।
ଏନେଇ ବିଶେଷ କରି କାରଖାନା କଲୋନି ବାସିନ୍ଦା ତଥା ଆଖପାଖ ଗ୍ରାମ ଗୁଡିକରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବନ ବିଭାଗ ପକ୍ଷରୁ ହରିଶଙ୍କରରୁ ସ୍ୱତନ୍ତ୍ର ଯନ୍ତା ଆଣି ଚିତା ଧରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ସ୍ୱତନ୍ତ୍ର ଭାବରେ ଅଭିଜ୍ଞ ବନ କର୍ମଚାରୀଙ୍କ ଦ୍ୱାରା କଲୋନି ଅଞ୍ଚଳର ତଥା ଆଖପାଖ ସଂରକ୍ଷିତ ଜଙ୍ଗଲ ପାର୍ଶ୍ବ ଗ୍ରାମ ଗୁଡିକରେ ଅହୋରାତ୍ର ପାଟ୍ରୋଲିଂ ବ୍ୟବସ୍ଥା ବଢାଇ ଦିଆଯାଇଥିବା ବଡମାଲ ଫରେଷ୍ଟର ଭବାନି ସ୍ୱାଇଁ କହିଛନ୍ତି। ଏନେଇ ବଲାଙ୍ଗିର ଡିଏଫଓ ସମିର ଶତପଥି, ଟିଟିଲାଗଡ ରେଞ୍ଜର ଜିତେନ୍ଦ୍ରୀୟ ନନ୍ଦ ସତର୍କ ଦୃଷ୍ଟି ରଖାଯାଇଥିବା କହିଛନ୍ତି। ତେବେ ପୂର୍ବରୁ ଲୋକଙ୍କ ସମ୍ମୁଖୀନ ହୋଇ ଆକ୍ରମଣରେ ତଥା ବାରହା ଫାଶରେ ଦୁଇଟି ଚିତା ପ୍ରାଣ ହରାଇଥିବା ନେଇ ବନବିଭାଗ ବିରଳ ପ୍ରାଣୀଙ୍କ ସୁରକ୍ଷା ତଥା ଲୋକଙ୍କ ସୁରକ୍ଷା ନେଇ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି।
Comments are closed.