ଓଡ଼ିଶାରେ ବ୍ଲାକ୍ ପାନ୍ଥର ଠାବ
ସୁନ୍ଦରଗଡ଼: ସୁନ୍ଦରଗଡ଼ ବନ ମଣ୍ଡଳ ଅନ୍ତର୍ଗତ ହେମଗିର ବନାଞ୍ଚଳର ଗର୍ଜନପାହାଡ଼ ସଂରକ୍ଷିତ ବନାଞ୍ଚଳରେ ବ୍ଲାକ୍ ପାନ୍ଥର ଠାବ କରାଯାଇଛି। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଡ ସନ୍ଦୀପ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି। ବ୍ଲାକ୍ ପାନ୍ଥର ବା ମେଲାନିଷ୍ଟିକ୍ ଲିଓପାର୍ଡ ଭାରତୀୟ ଚିତାବାଘର କଳା ରୂପ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ କହିଛନ୍ତି। ୨୦୧୫ ଡିସେମ୍ବର ମାସରୁ ବନାଞ୍ଚଳରେ ଲଗାଯାଇଥିବା ସିସିଟିଭି କ୍ୟାମେରାରେ ବ୍ଲାକ୍ ପାନ୍ଥରର ପାଦ ଚିହ୍ନ ଠାବ ହେବା ପରେ ତାର ଗତିବିଧି ଉପରେ ସୁନ୍ଦରଗଡ଼ ଡିଏଫ୍ଓ ଡ ଅରୁଣ କୁମାର ମିଶ୍ରଙ୍କ ନେତୃତ୍ବରେ ତୀକ୍ଷ୍ନ ନଜର ରଖାଯାଇଥିଲା। ପ୍ରଧାନ ମୁଖ୍ୟ ବନ୍ୟ ସଂରକ୍ଷକ କାର୍ଯ୍ୟାଳୟ(ବନ୍ୟଜନ୍ତୁ)ର ଗବେଷକ ଭକ୍ତ ରଥ ଓ ନିମାଇ ପଲେଇ ଏହି କାର୍ଯ୍ୟରେ ସହାୟତା କରିଥିଲେ। ଏହି ପ୍ରଜାତିର ବାଘ ସାଧାରଣତଃ ଘଞ୍ଚ ଜଙ୍ଗଲ ମଧ୍ୟରେ ଲୁଚି ରହୁଥିବାରୁ ଠାବ କରିବା କଷ୍ଟକର। ଓଡ଼ିଶାରେ ବ୍ଲାକ୍ ପାନ୍ଥର ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିବା ବେଳେ ଦେଶର ଅନ୍ୟ ଛଅଟି ରାଜ୍ୟ ଯଥା କେରଳ, କର୍ଣ୍ଣାଟକ, ଛତିଶଗଡ଼, ମହାରାଷ୍ଟ୍ର, ଗୋଆ, ତାମିଲନାଡ଼ୁ, ଅରୁଣାଚଳପ୍ରଦେଶରେ ବ୍ଲାକ୍ ପାନ୍ଥର ରହିଛନ୍ତି।