୧୮ବର୍ଷ ଶାସନରେ ୩୬ ମହାଦୁର୍ନୀତି: ଧର୍ମେନ୍ଦ୍ର
-୪୮ ମାସରେ ମୋଦି ସରକାରଙ୍କ ୪୮ ସଫଳତାର ଦସ୍ତାବିଜ୍ ଲୋକାର୍ପିତ ହେବ
-ରାଜ୍ୟ ସରକାର ଦେଇଥିବା ଶିଶୁ ମୃତ୍ୟୁ ହାର ରିପୋର୍ଟ ସତ୍ୟତାଠାରୁ ବହୁ ଦୂରରେ
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରରେ ଦାୟିତ୍ୱ ନେବାର ୪ର୍ଥ ବର୍ଷ ପୂର୍ତ୍ତି ଦିବସ ଆସନ୍ତା ୨୬ ତାରିଖରେ କଟକର ଐତିହାସିକ ବାଲିଯାତ୍ରା ପଡିଆରେ ହେବ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ତାଙ୍କ ସରକାରର ଉପଲବ୍ଧି ସଂକ୍ରାନ୍ତରେ ଦେଶବାସୀଙ୍କୁ ରିପୋର୍ଟକାର୍ଡ ପ୍ରଦାନ କରିବେ। ମୋଦି ଶାସନର ୪୮ ମାସରେ ଓଡ଼ିଶା ପାଇଁ ବିଭିନ୍ନ ଉପଲବ୍ଧି ମଧ୍ୟରୁ ୪୮ଟି ପ୍ରମୁଖ ସଫଳତାର ଦସ୍ତାବିଜ୍ ଲୋକାର୍ପିତ ହେବ। ଚତୁର୍ଦ୍ଦଶ ଅର୍ଥ କମିଶନରେ ଅଧିକ ଅର୍ଥ ବରାଦ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଧିକ ଘର, ସୌଭାଗ୍ୟ ଯୋଜନାରେ ସବୁରି ଘରେ ବିଜୁଳି, ୨୫ ଲକ୍ଷ ମହିଳାଙ୍କୁ ମାଗଣା ଏଲପିଜି, ଜୀବନ ବୀମା, କୃଷକଙ୍କୁ ଫସଲ ବୀମା, ମୁଦ୍ରା, ଜନଧନ, ସାଧାରଣ ପରିବାରକୁ ପାଇଖାନା ଆଦି ଯୋଜନାରେ ଓଡ଼ିଶା ହିତାଧିକାରୀମାନଙ୍କ ସହ ସଂପର୍କ ସ୍ଥାପନ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏକ ଉତ୍ତରଦାୟୀ ସରକାର ଭାବେ ପ୍ରଧାନମନ୍ତ୍ରୀ ଲୋକଙ୍କ ନିକଟରେ ହିସାବ ଦେଉଛନ୍ତି। ରାଜ୍ୟର ଏକ ଦାୟିତ୍ୱ ସଂପନ୍ନ ଦଳ ଭାବେ ବିଜେପି ମଧ୍ୟ ୧୮ ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜେଡିଠାରୁ ଏଭଳି ହିସାବ ମାଗିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ବିଜେଡି ସରକାରର ୧୮ ବର୍ଷ ପୂର୍ତ୍ତି ଅବସରରେ ୩୬ଟି ମହାଦୁର୍ନୀତିର ଏକ ମହାଭିଯୋଗ ଫର୍ଦ୍ଦ ଦଳ ପ୍ରକାଶ କରିବ। ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ବିଜ୍ଞାପନରେ ମିଥ୍ୟା ତଥ୍ୟ ଦିଆଯାଇ ପ୍ରଚାର ଚାଲିଛି। ରାଜ୍ୟରେ ଶିଶୁମୃତ୍ୟୁହାର ୪୦ ଓ କେନ୍ଦ୍ରରେ ୪୧କୁ ବଡ଼ ସଫଳତା ରୂପେ ବର୍ଣ୍ଣନା କରୁଛି। ଅଥଚ ୧୮ ବର୍ଷ ଶାସନରେ ଥିବା ଓଡ଼ିଶା ସରକାର ନିଜକୁ କେରଳର ୬ ଶିଶୁମୃତ୍ୟୁହାର ପରିସଂଖ୍ୟାନକୁ କାହିଁକି ତୁଳନା କରୁନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହି ବିଜ୍ଞାପନ ଅର୍ଦ୍ଧସତ୍ୟ। କେନ୍ଦ୍ର ସରକାରଙ୍କ ସାମ୍ପୁଲ ରେଜିଷ୍ଟ୍ରେସନ ସିଷ୍ଟମ୍ (ଏସଆରଏସ) ତଥ୍ୟ ଅନୁଯାୟୀ, ୨୦୧୨ରେ କେନ୍ଦ୍ରରେ ଶିଶୁମୃତ୍ୟୁହାର ୪୨ ଥିବାବେଳେ ଓଡ଼ିଶାରେ ତାହା ୫୩ ଥିଲା। ୨୦୧୬ ମସିହାରେ କେନ୍ଦ୍ରରେ ୩୪ ଥିବାବେଳେ ରାଜ୍ୟରେ ଏହା ୪୪ ରହିଛି। ଯଦି ଏହି ତଥ୍ୟ ଭୁଲ୍ ଥାଏ, ତେବେ ସେ ରାଜ୍ୟବାସୀଙ୍କୁ କ୍ଷମା ମାଗିବାକୁ ପ୍ରସ୍ତୁତ; ଯଦି ରାଜ୍ୟ ସରକାର ଭୁଲ୍ ତେବେ ମୁଖ୍ୟମନ୍ତ୍ରୀ ଭୁଲ୍ ମାଗନ୍ତୁ ବୋଲି ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି।