ଭବିଷ୍ୟତ ଯୁଦ୍ଧ ପାଇଁ ଭାରତର ବଡ଼ ପଦକ୍ଷେପ, ଚିନ୍ତାରେ ‘ପାକ୍‍-ଚୀନ’

0

ନୂଆଦିଲ୍ଲୀ : ଭବିଷ୍ୟତ ଯୁଦ୍ଧ ପାଇଁ ଭାରତ ବଡ଼ ପଦକ୍ଷେପ ନେଇଛି। ଏକ ମହତ୍ୱାକାଂକ୍ଷୀ ପ୍ରତିରକ୍ଷା ପ୍ରକଳ୍ପ ଅନୁସାରେ ସୁରକ୍ଷା ବଳଙ୍କ ନିମନ୍ତେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (କୃତ୍ରିମ ବୁଦ୍ଧିମତା) ବ୍ୟବହାର ନିମନ୍ତେ ଭାରତ କାର୍ଯ୍ୟ ଆରମ୍ଭ କରିଛି। ସୁରକ୍ଷା ବଳଙ୍କୁ ମାନବ ବିହୀନ ଟ୍ୟାଙ୍କ, ବୁଡ଼ା ଜାହାଜ, ଯୁଦ୍ଧ ବିମାନ, ରୋବୋଟିକ୍‍ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ କରିବା ଏହି ପ୍ରକଳ୍ପର ଲକ୍ଷ୍ୟ ରହିଛି। ଏହାଦ୍ୱାରା ସାମରିକ ଅଭିଯାନ ସହଜ ହୋଇପାରିବ। ପ୍ରତିରକ୍ଷା ସଚିବ (ଉତ୍ପାଦନ) ଅଜୟ କୁମାର କହିଛନ୍ତି ଯେ ସରକାର ସ୍ଥଳ, ଜଳ ଏବଂ ବାୟୁ ସେନାର ତିନି ଅଙ୍ଗରେ ଆର୍ଟିଫିସିଆଲ ଇଣ୍ଟେଲଜେନ୍ସ ବ୍ୟବହାର ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭବିଷ୍ୟତ ଯୁଦ୍ଧ ପାଇଁ ଏହା ଏକ ବଡ଼ ପଦକ୍ଷେପ ହେବ। ଟାଟା ସନ୍ସର ସିଇଓ ଏନ୍‍ ଚନ୍ଦ୍ରଶେଖରନଙ୍କ ନେତୃତ୍ବରେ ଗଠିତ ଏକ ଉଚ୍ଚସ୍ତରୀୟ ଦଳ ଏହି ପ୍ରକଳ୍ପ ସଂରଚନାକୁ ଅନ୍ତିମ ରୂପ ଦେବା ପାଇଁ କାର୍ଯ୍ୟ ଚଳାଇଛି । ଆଗାମୀ ପିଢିର ଯୁଦ୍ଧ ଅତ୍ୟାଧୁନିକ ଜ୍ଞାନକୌଶଳରେ ସ୍ୱଂୟଚାଳିତ ଅସ୍ତ୍ରଶସ୍ତ୍ର ଏବଂ ରୋବୋଟିକ୍‍ ପ୍ରଣାଳିରେ ହେବାକୁ ଯାଉଛି । ଭାରତ ଏହାସହ ତାଳ ଦେଇ ବଢିବାକୁ ପ୍ରୟାସ ଆରମ୍ଭ କରିଛି ଓ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରିବାକୁ ଯାଉଛି ବୋଲି କୁମାର ସୂଚନା ଦେଇଛନ୍ତି। ପ୍ରତିରକ୍ଷା ଅନୁସନ୍ଧାନ ବିକାଶ ସଂଗଠନ (ଡିଆରଡିଓ) ଏହି ପ୍ରକଳ୍ପକୁ ଚୂଡ଼ାନ୍ତ ରୂପ ଦେବାରେ ଏକ ବଡ଼ ଭୂମିକା ନିର୍ବାହ କରିବ ବୋଲି ସେ କହିଛନ୍ତି। ଭାରତର ଏହି ପଦକ୍ଷେପରେ ଚୀନ ଏବଂ ପାକିସ୍ତାନ ଚିନ୍ତିତ ହୋଇପଡିଛନ୍ତି। ପାକିସ୍ତାନ ଏବଂ ଚୀନ ସୀମାରେ ଭାରତ ଏହି ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରିବ ବୋଲି କୁହାଯାଉଛି। ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟାରେ ଭାରତ ଅନ୍ୟ ଦେଶ ତୁଳନାରେ ବହୁ ଆଗରେ ରହିଛି। ଏହାକୁ ବ୍ୟବହାର କରି ଭାରତ ଆର୍ଟିଫିସିଆଲ ଇଣ୍ଟେଲଜେନ୍ସିର ଅସ୍ତ୍ରଶସ୍ତ୍ର, ବିମାନ, ଯୁଦ୍ଧ ଗାଡ଼ି ପ୍ରସ୍ତୁତ କରିବ । ଏହାଦ୍ବାରା ସୀମାରେ ଆଉ ସୈନ୍ୟଙ୍କୁ ମୁତୟନ କରାନଯାଇ ରୋବୋଟିକ୍ ଯୁଦ୍ଧାସ୍ତ୍ର ଏବଂ ମାନବ ବିହୀନ ବିମାନ, ଟ୍ୟାଙ୍କ ଆଦି ମୁତୟନ କରାଯିବ ।

Leave A Reply