ଶିକ୍ଷକ ନିଯୁକ୍ତି ଦାବିରେ ରାସ୍ତାକୁ ଆହ୍ଲାଇଲେ ଛାତ୍ରଛାତ୍ରୀ

ଦ୍ୱାରଶୁଣି : ଶିକ୍ଷାର ବିକାଶ ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ରାଜ୍ୟ ସରକାର। ଆଉ ଏହାର ସଫଳ ପ୍ରୟୋଗ କରିବା ପାଇଁ ବ୍ଲକ ସ୍ତରରେ ଖୋଲିଲେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ। ହେଲେ ଏହି ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀ ଅଛନ୍ତି କିନ୍ତୁ ପାଠପଢ଼ାଇବା ପାଇଁ ଶିକ୍ଷକ ନିଯୁକ୍ତ କରିବାରେ ବିଫଳ ହୋଇ ନୀରିହ ପିଲାମାନଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି। ସରକାରଙ୍କ ଏଭଳି ଦୈତନିତୀରେ ଅତିଷ୍ଠ ଛାତ୍ରଛାତ୍ରୀମାନେ ସ୍କୁଲ ବଦଳରେ ରାଜରାସ୍ତା ଉପରେ ବସି ପାଠପଢିବା ଘଟଣା ସରକାରଙ୍କ ପାରିବାପାଣିଆକୁ ପଦାରେ ପକାଇଛି। ଛାତ୍ରଛାତ୍ରୀ ବାରମ୍ବାର ନିବେଦନ କରିଥିଲେ ମଧ୍ୟ ଶୁଣିଲାନି ପ୍ରଶାସନ, ଶୁଣିଲାନି ସରକାର, ଶେଷରେ ନିଜ ଦାବି ହାସଲ ପାଇଁ ରାଜରାସ୍ତାକୁ ଆହ୍ଲାଇବାକୁ ବାଧ୍ୟ ହେଉଛନ୍ତି ଛାତ୍ରଛାତ୍ରୀ। ଦୀର୍ଘଦିନଧରି ନିଜର ଦାବି ପୂରଣ ନ ହେବାରୁ ବ୍ଲକ ସମ୍ମୁଖରେ ଧାରଣାରେ ବସି ପାଠ ପଢିଲେ ଛାତ୍ରଛାତ୍ରୀ। ଆମେ କହୁଛୁ ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ବ୍ଲକସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର କଥା। ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଜାମଦାପାଳ ଠାରେ ୨୦୧୮ ଜାନୁଆରୀ ୫ ତାରିଖ ଆଦର୍ଶ ବିଦ୍ୟାଳୟ ପାଇଁ ଶିଳାନ୍ୟାସ ହେଇଥିଲା ।
ଅନ୍ୟପକ୍ଷେ ସ୍ଥାୟୀ ଶିକ୍ଷକ ନ ଥିବାରୁ ସମ୍ପୂର୍ଣ୍ଣ ବିପର୍ୟ୍ୟସ୍ତ ହୋଇପଡିଛି ଶିକ୍ଷାଦାନ ବ୍ୟବସ୍ଥା। ଫଳରେ ସୋମବାର ଆଦର୍ଶ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ଏକ ଶୋଭାଯାତ୍ରାରେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ବ୍ଲକ ସମ୍ମୁଖରେ ଧାରଣାରେ ବସି ପାଠପଢି ଥିଲେ। ଘଟଣାସ୍ଥଳରେ ବ୍ଲକ ଶିକ୍ଷାଅଧିକାରୀ ପହଞ୍ଚି ଆସନ୍ତା ଡିସେମ୍ବର ମାସ ପର୍ୟ୍ୟନ୍ତ ଅସ୍ଥାୟୀ ଏବଂ ପରେ ସ୍ଥାୟୀ ଶିକ୍ଷକ ନିଯୁକ୍ତି ଦେବାର ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ପରେ ୫ଘଣ୍ଟା ଧରି ବସିଥିବା ଧାରଣାରୁ ଉଠିଥିଲେ ଛାତ୍ରଛାତ୍ରୀ ଓ ଅଭିଭାବକ।

Comments are closed.