ଢାକା: ବାଂଲାଦେଶରେ ମୁସଲିମ ଧର୍ମ ବିରୋଧୀ ଏକ ଫେସବୁକ ପୋଷ୍ଟକୁ ନେଇ ହିଂସା ସୃଷ୍ଟି ହୋଇଛି। ପୁଲିସ ହିଂସାକୁ ନିୟନ୍ତ୍ରଣ କରିବାକୁ ଯାଇ ଗୁଳି ଚାଳନା କରିବାରୁ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। ଢାକାଠାରୁ ୧୧୬ କିଲୋମିଟର ଦୂର ଭୋଲା ଜିଲାରେ ଏହି ହିଂସାକାଣ୍ଡ ଘଟିଛି।
ମୁସଲିମ ପକ୍ଷର ଲୋକଙ୍କ ଅଭିଯୋଗ ଅନୁସାରେ, ଜଣେ ହିନ୍ଦୁ ବ୍ୟକ୍ତି ଫେସବୁକରେ ମୁସଲିମ ଧର୍ମ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କରିଛନ୍ତି। ଏହା ପ୍ରତିବାଦରେ ହଜାର ହଜାର ମୁସଲମାନ ଏକାଠି ହୋଇ ରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରିଥିଲେ। ଫଳରେ ରାସ୍ତାଘାଟ ଜାମ ହୋଇଯାଇଥିଲା। ଏହି ସମୟରେ ପୁଲିସ ଉପରକୁ ବହୁ ସଂଖ୍ୟାରେ ଯୁବକ ଆକ୍ରମଣ କରିଥିଲେ। ଭିଡ଼ ନିୟନ୍ତ୍ରଣ କରିବାକୁ ପୁଲିସ ଲାଠି ଚାଳନା କରିଥିଲେ ବି ସଫଳ ହୋଇ ନ ଥିଲା। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ପୁଲିସ ଗୁଳି ଚଳାଇବାକୁ ବାଧ୍ୟ ହୋଇଥିଲା। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା।
ଅନ୍ୟପଟେ ପୁଲିସ ଅଭିଯୁକ୍ତ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରିଛି। ଅଭିଯୁକ୍ତ କହିଛନ୍ତି, ତାଙ୍କ ଫେସବୁକ ଆକାଉଣ୍ଟକୁ ହ୍ୟାକ କରି କେହି ଏଭଳି ପୋଷ୍ଟ କରିଛନ୍ତି। ସେ କୌଣସି ବିବାଦୀୟ ପୋଷ୍ଟ କରିନାହାନ୍ତି। ସେ ଏ ସମ୍ପର୍କରେ ପୁଲିସ ନିକଟରେ ଅଭିଯୋଗ କରିଥିଲେ, ଯାହା ଆଧାରରେ ପୁଲିସ ୩ ଜଣଙ୍କୁ ଗିରଫ କରିଥିଲା।



