www.samajalive.in
Monday, December 15, 2025
24.1 C
Bhubaneswar

ମହାନଦୀ ପାଣି ଶୁଖିବାକୁ ଦିଆଯିବ ନାହିଁ: ମୁଖ୍ୟମନ୍ତ୍ରୀ

ଝାରସୁଗୁଡ଼ା: ମହାନଦୀ ଆମର ଗର୍ବ ଓ ଗୌରବ। ତେଣୁ କୌଣସି ପରିସ୍ଥିତିରେ ବି ମହାନଦୀ ପାଣିକୁ ଶୁଖିବାକୁ ଦିଆଯିବ ନାହିଁ। ଆଜି ଏଭଳି ଦାମ୍ଭିକ ଉଦ୍‍ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଝାରସୁଗୁଡ଼ାର ସୁଖାସୋଡ଼ାରୁ ଆରମ୍ଭ ହୋଇଥିବା ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ମହାନଦୀ ବଞ୍ଚାଅ ମହାସଂଗ୍ରାମକୁ ଉଦ୍‍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାର ବ୍ୟାରେଜ ନିର୍ମାଣ କରି ପାଣିକୁ ଅଟକାଇଛନ୍ତି। ଓଡ଼ିଶାର ବିଜେପି ନେତାମାନେ ଛତିଶଗଡ଼ର କାମକୁ ସମର୍ଥନ କରୁଛନ୍ତି। ଆଉ ଓଡ଼ିଶା ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଛତିଶଗଡ଼ର କାର୍ଯ୍ୟକଳାପ ଯୋଗୁଁ ମହାନଦୀ ୫୦୦ କିମି ଉପକୂଳରେ ଘୋର ଜଳସଙ୍କଟ ସୃଷ୍ଟି ହେବ। ରବିଚାଷ ପାଇଁ ପାଣି ମିଳିବ ନାହିଁ। ଜୀବିକା କ୍ଷତିଗ୍ରସ୍ତ ହେବ। ତେଣୁ ଯେଉଁମାନେ ବ୍ୟାରେଜ୍‍ କଥା କହୁଛନ୍ତି ସେମାନେ ଦୋ ମୁହାଁ ନୀତି ଧରିଛନ୍ତି ବୋଲି ଲୋକେ ଜାଣିସାରିଲେଣି। ମହାନଦୀକୁ ବଞ୍ଚାଇବା ପାଇଁ ଓଡ଼ିଶା ସରକାର ଅନେକ ଯୋଜନା କରିଛନ୍ତି। ଆଗକୁ ମଧ୍ୟ ଅନେକ ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନା ହାତକୁ ନିଆଯାଇଛି। କିନ୍ତୁ ଏହି ପ୍ରକଳ୍ପ ଦ୍ୱାରା ଲୋକଙ୍କ ଯେପରି କୌଣସି ଅସୁବିଧା ନ ହେବ ସେଥିପ୍ରତି ପ୍ରାଥମିକତା ଓ ଗୁରୁତ୍ୱ ଦିଆଯିବ। ଏହା କେବଳ ବିଜେଡିର ନୁହେଁ ବରଂ ସମଗ୍ର ଓଡ଼ିଶାର ଲଢ଼େଇ। ଆମର ଭବିଷ୍ୟତ ପିଢ଼ି ପାଇଁ ଏହି ଲଢ଼େଇ। ତେଣୁ ଦଳମତ ନିର୍ବିଶେଷରେ ସମସ୍ତେ ମହାନଦୀ ବଞ୍ଚାଅ ଅଭିଯାନକୁ ସମର୍ଥନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି। ମହାନଦୀ ବଞ୍ଚାଅ ଅଭିଯାନ ସଫଳ ହେବ ଏବଂ ଓଡ଼ିଆ ଜାତି ତାର ହକ୍‍ ପାଇବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶା କରିଛନ୍ତି।
ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମହାନଦୀ ପଠା ବୁଲି ପରିସ୍ଥିତି ପରଖିଥିଲେ। ମହାସଂଗ୍ରାମ ଅବସରରେ ଅନୁଷ୍ଠିତ ସାଧାରଣ ସଭାରେ ବିଜେଡିର ତୁଙ୍ଗ ନେତାମାନେ ଜନସାଧାରଣଙ୍କୁ ଉଦ୍‍ବୋଧନ ଦେଇଥିଲେ। ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ସ୍ୱାଗତ ଭାଷଣ ଦେବା ସହିତ ମହାନଦୀ ବଞ୍ଚାଅ ଅଭିଯାନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଦଳର ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଲେ ଯେ ମହାନଦୀ ଓଡ଼ିଶାର ଜୀବନରେଖା। କିନ୍ତୁ ଛତିଶଗଡ଼ ସରକାର ଏହାଉପରେ ବ୍ୟାରେଜ ନିର୍ମାଣ କରି ପାଣିକୁ ଅଟକାଇଛନ୍ତି। ସେଠାରେ ବିଜେପି ଶାସନ କ୍ଷମତାରେ ଥିବାରୁ କେନ୍ଦ୍ର ସରକାର ଛତିଶଗଡ଼କୁ ସୁହାଇବା ଭଳି ପଦକ୍ଷେପ ନେଉଛନ୍ତି। ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅନ୍ୟନେତାମାନେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଗୁରୁତ୍ୱ ସମ୍ପର୍କରେ କହିଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories