ଝଡ଼, ବଜ୍ର ନେଲା ୭ ଜୀବନ
ଭୁବନେଶ୍ୱର : ସାରା ରାଜ୍ୟରେ କାଳବୈଶାଖୀର ତାଣ୍ଡବ ଜାରି ରହିଛି। ସୋମବାର ସକାଳେ ରାଜଧାନୀ ଭୁବନେଶ୍ୱର ସମେତ ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ଝଡ଼ ଓ ବଜ୍ରପାତରେ ରବିବାର ୭ଟି ଜୀବନ ଯାଇଥିବାବେଳେ ସୋମବାର ଆଉ ୭ଟି ଜୀବନ ଯାଇଛି। କେନ୍ଦ୍ରାପଡ଼ା ଜିଲାରେ ସୋମବାର କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ ବଜ୍ରପାତରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସୋନପୁର, ବରଗଡ଼ ଓ ସମ୍ବଲପୁର ଜିଲାରେ ବଜ୍ରପାତରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗିଯାଇଛି। ଚାଷ ଜମିରେ ପାଣି ମାଡ଼ିଯାଇ ବ୍ୟାପକ ଫସଲ ନଷ୍ଟ ହୋଇଛି।
ପାରଳାଖେମୁଣ୍ଡିରେ ସର୍ବାଧିକ ୭ ସେମି, ଚାନ୍ଦବାଲିରେ ୬ ସେମି, ଚନ୍ଦନପୁର (ମୟୂରଭଞ୍ଜ) ଓ ସୋରୋରେ ୪, ବାଙ୍ଗିରିପୋଷି, ଜେନାପୁର (ଯାଜପୁର), ଗୁଡାରୀ, ବାଲିମୁଣ୍ଡଳି, ପାରାଦ୍ୱୀପ ଓ ରାଜକନିକାରେ ୩ ସେମି ବର୍ଷା ରେକର୍ଡ଼ ହୋଇଛି। ଗୁରୁଣ୍ଡିଆ, ଦାନଗଦି, ମହେନ୍ଦ୍ରଗଡ଼, ଲହୁଣୀପଡ଼ା, ବଣାଇଁଗଡ଼, କେନ୍ଦ୍ରାପଡ଼ା, ଦୈତାରୀ, ଭୋଗରାଇ, ପାନପୋଷ, ସ୍ୱାମପାଟଣା, ଆନନ୍ଦପୁର, ମାର୍ଶାଘାଇ, ଚଣ୍ଡିଖୋଲ, ପଟ୍ଟାମୁଣ୍ଡାଇ,ନୀଳଗିରି, କଙ୍କଡ଼ାହାଡ଼, ଜାମସୋଳାଘାଟ, ବାରକୋଟ, ଦାରିଙ୍ଗବାଡ଼ି, ଡୁଙ୍ଗୁରିପାଲି, ରାଇରଙ୍ଗପୁର ଓ ବୁର୍ଲା ପ୍ରଭୃତି ଅଞ୍ଚଳରେ ମଧ୍ୟ ଭୀଷଣ ବର୍ଷା ହୋଇଛି। ଝଡ଼ବର୍ଷା ଯୋଗୁଁ ଏହି ସବୁ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଦେଖିବାକୁ ମିଳିଛି। ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଏପରି ସ୍ଥିତି ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ। ଏହି ସମୟରେ ୫୦-୬୦ କିମି ବେଗରେ ପବନ ବହିବ। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି। ୧୯ରୁ ପାଗ ମୁଖ୍ୟତଃ ଶୁଖିଲା ରହିବ ଓ ଦିନର ତାପମାତ୍ରା ବୃଦ୍ଧି ପାଇବ।
ସୋମବାର ଭୁବନେଶ୍ୱର ପ୍ରବଳ ବର୍ଷା ହୋଇଛି। ସକାଳେ ଟାଣ ଖରା ହୋଇଥିବାବେଳେ ପୂର୍ବାହ୍ନ ୧୧ଟା ପରେ ହଠାତ୍ ମେଘ ଘୋଟି ଆସିଥିଲା। ଘଡ଼ଘଡ଼ି ଓ ପବନ ସହ ପାଖାପାଖି ଦୁଇ ଘଣ୍ଟା ପ୍ରବଳ ବର୍ଷା ଢାଳିଥିଲା। ମଙ୍ଗଳବାର ମଧ୍ୟ ରାଜଧାନୀ ଆକାଶ ମେଘାଚ୍ଛନ୍ନ ରହିବ ବୋଲି ଆକଳନ କରାଯାଇଛି।
ବର୍ଷା ଓ ପବନ ଯୋଗୁଁ ରାଜ୍ୟବାସୀଙ୍କୁ ଗ୍ରୀଷ୍ମ ପ୍ରକୋପରୁ ଆଶ୍ୱସ୍ତି ମିଳିଛି। ବଲାଙ୍ଗୀର, ଝାରସୁଗୁଡ଼ା ଓ ସମ୍ବଲପୁର ପ୍ରଭୃତି ସ୍ଥାନରେ ପାରଦ ୪୦ ଡିଗ୍ରୀ ତଳକୁ ଖସିଛି। ତେବେ ସୋନପୁର ଓ ଭବାନୀପାଟଣାରେ ଆଜି ବି ପାରଦ ୪୦ ଡିଗ୍ରୀ ଉପରେ ରହିଛି। ସୋନପୁରରେ ସର୍ବାଧିକ ୪୨.୨ ଡିଗ୍ରୀ ଓ ଭବାନୀପାଟଣାରେ ୪୦.୨ ଡିଗ୍ରୀ ରହିଛି।