ଅନିୟମିତତା ଅଭିଯୋଗରୁ ପରଦା ହଟୁନି

0

ଭୁବନେଶ୍ୱର : ରାଜ୍ୟରେ ଦୁଇବର୍ଷ ତଳେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୨୦୧ଜଣ କନିଷ୍ଠ ଅଧ୍ୟାପକଙ୍କ ନିଯୁକ୍ତି ପ୍ରସଙ୍ଗ ଏବେ ନିର୍ଣ୍ଣାୟକ ମୋଡରେ ପହଞ୍ଚିଛି। ଜାଲ୍‍ ସାର୍ଟିଫିକେଟ ବଳରେ ଅଧ୍ୟାପକ ନିଯୁକ୍ତି ହୋଇଥିବା ନେଇ ଆସିଥିବା ଅଭିଯୋଗକୁ ଆଧାର କରି ମୁଖ୍ୟଶାସନ ସଚିବଙ୍କ ନିର୍ଦେଶକ୍ରମେ ଗଣଶିକ୍ଷା ବିଭାଗ ଘଟଣାର ତଦନ୍ତ ଇତିମଧ୍ୟରେ ଶେଷ କରିଛି। ତଦନ୍ତକାରୀ ଅଧିକାରୀ ଏହି ଘଟଣାର ସମ୍ବେଦନଶୀଳତାକୁ ହୃଦୟଙ୍ଗମ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ ଲାଗି କ୍ରାଇମବ୍ରାଞ୍ଚ କିମ୍ବା ଭିଜିଲାନ୍‍ସକୁ ମାମଲା ହସ୍ତାନ୍ତର କରିବାପାଇଁ ଦର୍ଶାଇଛନ୍ତି। ଇତିମଧ୍ୟରେ ତଦନ୍ତ ରିପୋର୍ଟ ଚଳିତମାସ ୧ତାରିଖରେ ଏସ୍‍ସିଇଆର୍‍ଟି ନିର୍ଦେଶକ ପ୍ରତାପଇନ୍ଦ୍ର ଦାଶ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ପ୍ରଦାନ କରିଛନ୍ତି। ଏହି ରିପୋର୍ଟର ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ କରିବାପାଇଁ ବିଭାଗୀୟ ସଚିବ ଶ୍ରୀ ମହାପାତ୍ର ଧନ୍ଦାମୂଳକ ଶିକ୍ଷା ନିର୍ଦେଶକ ସୁନ୍ଦରଲାଲ ସିଲ୍‍ଙ୍କୁ ହସ୍ତାନ୍ତର କରିଛନ୍ତି। ଇତିମଧ୍ୟରେ ଘଟଣାର ଦୁଇ ସପ୍ତାହ ବିତିବାକୁ ବସିଲାଣି। ହେଲେ ଧନ୍ଦାମୂଳକ ନିର୍ଦେଶକ ଏପର୍ଯ୍ୟନ୍ତ ରିପୋର୍ଟ ଖୋଲି ନାହାନ୍ତି। ଏହି ରିପୋର୍ଟରେ ପ୍ରାୟ ୭୫ଜଣ ଅଧ୍ୟାପକଙ୍କ ସାର୍ଟିଫିକେଟ ବୈଧତା ନଥିବା ବେଳେ ଘଟଣାର ଅଧିକ ଛାନ୍‍ଭିନ୍‍ କରିବା ଏବଂ ଓଡ଼ିଶା ପବ୍ଲିକ ଡିମାଣ୍ଡ ରିକଭରିି ଆକ୍ଟ(ଓପିଡ଼ିଆର୍‍) ୧୯୬୨ ଧାରା-୬୬ ଅନୁଯାୟୀ ସଂପୃକ୍ତ ଅଧ୍ୟାପକଙ୍କଠାରୁ ସରକାରୀ ଅର୍ଥ ଆଦାୟ କରିବାକୁ ଦର୍ଶାଯାଇଥିଲା।
ଘଟଣାର ଗୁରୁତ୍ୱକୁ ଉପଲବ୍‌ଧି କରି ପ୍ରମୁଖ ଶାସନ ସଚିବ ଶ୍ରୀ ମହାପାତ୍ର ଧନ୍ଦାମୂଳକ ନିର୍ଦେଶକଙ୍କୁ ଏଥିଲାଗି ତାଗିଦ୍‍ କରିବା ସତ୍ତ୍ବେ ରିପୋର୍ଟ ଉପରୁ ପରଦା ହଟୁନାହିଁ। ଯେଉଁ ରିପୋର୍ଟ ପାଇଁ ୫ଜଣ ଅଧିକାରୀ ୨ମାସ ଧରି ତଦନ୍ତ କରିବା ପରେ ରିପୋର୍ଟ ପ୍ରଦାନ କଲେ ଏବଂ ଯେଉଁଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଉଲ୍ଲେଖ ରହିଛି ତାକୁ ଧନ୍ଦାମୂଳକ ନିର୍ଦେଶକ ଏପର୍ଯ୍ୟନ୍ତ ନଦେଖିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ରାଜ୍ୟରେ ହଜାର ହଜାର ଶିକ୍ଷିତ ଛାତ୍ରଛାତ୍ରୀ ଚାକିରି ନପାଇ ବେକାର ହୋଇ ବୁଲୁଥିବାବେଳେ ବିଭାଗୀୟ ନିର୍ଦେଶକଙ୍କ ଏଭଳି ଅବହେଳା ମନୋଭାବର ପ୍ରକୃତ ରହସ୍ୟ ବୁଝାପଡୁନାହିଁ। ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଓପିଡିଆର୍‍ ଆଇନକୁ ଖୋଲାଖୋଲି ଉଲ୍ଲଘଂନ ହେଉଥିବାବେଳେ ତଦନ୍ତକାରୀ ଅଧିକାରୀ ଏହାର ଅଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ କିମ୍ବା ଭିଜିଲାନ୍‍ସକୁ ସୁପାରିସ ଶୀତଳ ଭଣ୍ଡାରରେ ପଡି ରହିଥିବା ଅଭିଯୋଗ ହୋଇଛି।
ସୂଚନା ଯୋଗ୍ୟ ଯେ ୨୦୧୬ ଜୁଲାଇରେ ଉଚ୍ଚଶିକ୍ଷା ବିଭାଗ ଏବଂ ଧନ୍ଦାମୂଳକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ୨୦୧ଜଣ ଏଫ୍‍ଟିଆର୍‍ପିଙ୍କୁ ସିଧାସଳଖ ଅଧ୍ୟାପକ ପଦରେ ନିଯୁକ୍ତି ଦିଆଯାଇଥିଲା। ଯେଉଁଥିରେ ଓଡ଼ିଶା ସଂରକ୍ଷଣ ଆଇନ(ଓଆର୍‍ଭି) ଆକ୍ଟ ପାଳନ ହୋଇ ନଥିବାବେଳେ ଓଡ଼ିଶା ଲୋକସେବା ଆୟୋଗଙ୍କ ସମ୍ମତି ନଥିଲା। ଏହାକୁ ମଧ୍ୟ ତତ୍କାଳୀନ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଖୋଲାଖୋଲି ବିରୋଧ କରିଥିଲେ। ମାତ୍ର ସେତେବେଳେ ଏସବୁ ଖାତିର ନକରି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଯୁକ୍ତି ଦିଆଯାଇଥିଲା। ଏହାକୁ ନେଇ ବିଭିନ୍ନ ମହଲରୁ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟଶାସନ ସଚିବଙ୍କଠାରେ ଅଭିଯୋଗ ହୋଇଥିଲା। ୨୦୧୭ରେ ଧନ୍ଦାମୂଳକ ନିର୍ଦେଶାଳୟଟି ଗଣଶିକ୍ଷାବିଭାଗ ହାତକୁ ଆସିଥିଲା। ଏହାପରେ ବିଭାଗ ଘଟଣାର ତଦନ୍ତ କରିବାପାଇଁ ଏକ କମିଟିକୁ ଦାୟିତ୍ୱ ଦେଇଥିଲା। କମିଟି ତଦନ୍ତ ରିପୋର୍ଟ ଜାନୁଆରୀରେ ଏସ୍‍ସିଇଆର୍‍ଟି ନିର୍ଦେଶକ ପ୍ରତାପ ଇନ୍ଦ୍ର ଦାଶଙ୍କୁ ପ୍ରଦାନ କରିଥିଲା। ଦୀର୍ଘ ୩ମାସ ଅନୁଧ୍ୟାନ ପରେ ନିର୍ଦେଶକ ଶ୍ରୀ ଦାସ ତଦନ୍ତ ରିପୋର୍ଟକୁ ଚଳିତମାସ ପହିଲାରେ ବିଭାଗକୁ ହସ୍ତାନ୍ତର କରିଛନ୍ତି। ଏହି ନିଯୁକ୍ତିରେ ବ୍ୟାପକ ଜାଲିଆତି ଓ ଅନିୟମିତତା ହୋଇଥିବା ନେଇ ଶ୍ରୀ ଦାଶ ଦର୍ଶାଇଛନ୍ତି। ୭୫ଜଣଙ୍କ ବିଟେକ୍‍ ସାର୍ଟିଫିକେଟରେ ରାଜ୍ୟ ସରକାରଙ୍କ ମାନ୍ୟତା ନଥିବା ବେଳେ ୧୨ଜଣ କନିଷ୍ଠ ଅଧ୍ୟାପକଙ୍କ ସାର୍ଟିଫିକେଟ ଠିକ୍‍ ନାହିଁ। ୨୧ଜଣଙ୍କ କ୍ଷେତ୍ରରେ ଅଯୋଗ୍ୟ ବ୍ୟକ୍ତିଙ୍କୁ ମନୋନୟନ କରାଯାଇଥିବାବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସରକାରଙ୍କୁ ସୁପାରିସ କରାଯାଇଛି।
ଏସମ୍ପର୍କରେ ଧନ୍ଦାମୂଳକ ଶିକ୍ଷା ନିର୍ଦେଶକ ସୁନ୍ଦରଲାଲ ସିଲ୍‍ଙ୍କୁ ଯୋଗାଯୋଗ କରାଯିବାରେ ସେ କହିଛନ୍ତି ଯେ ବିଭାଗ ମୋତେ ଅନୁଧ୍ୟାନ କରିବାକୁ ଦେଇଛି; ହେଲେ ମୋ ପାଖରେ ସମୟ ନାହିଁ ରିପୋର୍ଟ ଦେଖିବାକୁ। ସେହିପରି ବିଭାଗୀୟ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ ସପ୍ତାହକ ମଧ୍ୟରେ ରିପୋର୍ଟ ଅନୁଧ୍ୟାନ କରି ଦେବାକୁ ନିର୍ଦେଶକଙ୍କୁ କୁହାଯାଇଥିଲା। ତେବେ କ’ଣ ପାଇଁ ଦେଇନାହାନ୍ତି ସେନେଇ ପଚରାଯିବ।

Leave A Reply