BJD Bijuli 480×75 Mob

ଆମ ଚାଷୀ କଥା ବୁଝୁଛି କିଏ ?

BJD Bijuli 480×75 Mob

ଓଡ଼ିଶା ଏକ ଗ୍ରାମବହୁଳ କୃଷିପ୍ରଧାନ ରାଜ୍ୟ। ମୋଟ ଜନସଂଖ୍ୟାର ୮୩ଭାଗ ଲୋକ ଗ୍ରାମାଞ୍ଚଳରେ ବାସ କରନ୍ତି। ୨୦୧୧ ଜନଗଣନା ଅନୁଯାୟୀ ରାଜ୍ୟର ମୋଟ ପରିବାର ସଂଖ୍ୟା ୭୮ ଲକ୍ଷ ୭୦ ହଜାର ୧୨୭ ମଧ୍ୟରୁ ପ୍ରାୟ ୫୫ ଲକ୍ଷ ପରିବାର, ଅର୍ଥାତ୍ ୬୭ ଭାଗ ପରିବାର ଚାଷ ସହିତ ସମ୍ପୃକ୍ତ। ଆମ ରାଜ୍ୟର କୃଷି ବଜେଟର ତଥ୍ୟ ଅନୁଯାୟୀ ରାଜ୍ୟର ୬୦ ଭାଗ ଲୋକ କୃଷି ଉପରେ ନିର୍ଭର କରିବା ଉଲ୍ଲେଖ ରହିଛି, କିନ୍ତୁ ରାଜ୍ୟର ମୋଟ ଉତ୍ପାଦନରେ କୃଷିର ଅଂଶ ମାତ୍ର ୧୫ ଭାଗ। ପୁଣି ୧୯୯୧ରେ ରାଜ୍ୟରେ ମୋଟ ଚାଷଜମିର ପରିମାଣ ୧କୋଟି ୫୭ଲକ୍ଷ ୬୦ ହଜାର ଏକର ଥିଲାବେଳେ, ୨୦୧୫-୧୬ରେ ଏହା ହ୍ରାସ ପାଇ ୧ କୋଟି ୨୦ଲକ୍ଷ ୫୦ ହଜାର ଏକରରେ ପହଞ୍ଚିଛି। ଅର୍ଥାତ୍ ଗତ ୨୫ ବର୍ଷ ମଧ୍ୟରେ ୩୭ଲକ୍ଷ ଏକର ଚାଷଜମି ହ୍ରାସ ପାଇଛି। ରାଜ୍ୟରେ ଚାଷ କ୍ଷେତ୍ରରେ ଯନ୍ତ୍ରର ବ୍ୟବହାର ବୃଦ୍ଧି ପାଉଛି ଓ ମୂଲିଆର କାମ କମି ଯିବାରେ ଲାଗିଛି। ସାର ଓ କୀଟନାଶକ ଇତ୍ୟାଦିକୁ ମିଶାଇ ଚାଷର ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଉଛି। ମାତ୍ର କେନ୍ଦ୍ର ସରକାର ଏହାକୁ ସ୍ୱୀକାର ନ କରି ଧାନ କ୍ବିଣ୍ଟାଲ ୩ହଜାର ପରିବର୍ତ୍ତେ ୧୫୫୦ ଧାର୍ୟ୍ୟ କରିଥିଲେ ସୁଦ୍ଧା ଚାଷୀ ୧୨୦୦ ଟଙ୍କାରେ ବିକିବାକୁ ବାଧ୍ୟ ହେଉଛି, ତାହା ପୁଣି ବାକିରେ। କୃଷି ସଙ୍କଟ ବଢ଼ିବା ସହିତ ବନ୍ୟା, ମରୁଡ଼ି, ପୋକ ଲାଗିବା ଭଳି ଦୁର୍ବିପାକରେ ଫସଲ ନଷ୍ଟ ହେବା ଓ ଫସଲର ଲାଭଜନକ ଦର ନ ମିଳିବା ଯୋଗୁଁ ଋଣ ଶୁଝି ନ ପାରି ଚାଷୀ ଆତ୍ମହତ୍ୟା କରୁଛି। ରାଜ୍ୟର ସବୁ ଜିଲାରେ ଚାଷୀ ଆତ୍ମହତ୍ୟା ଦେଖାଦେଇଛି। ପଶ୍ଚିମ ଓଡ଼ିଶାରେ ଏହା ସର୍ବାଧିକ। ଶୀତଳଭଣ୍ଡାର ଅଭାବରୁ ରାଜ୍ୟରେ ଆଳୁ ଓ ଟମାଟୋ ଉତ୍ପାଦନ ବଢ଼ିଥିଲେ ମଧ୍ୟ ଚାଷୀର ଦୁର୍ଦଶା କହିଲେ ନ ସରେ। କୃଷିକ୍ଷେତ୍ର ମୂଲିଆମାନଙ୍କୁ କାମ ଯୋଗାଇ ପାରୁନାହିଁ। ତେଣୁ ସେମାନେ ଦାଦନ ଶ୍ରମିକ ଭାବେ ରାଜ୍ୟ ବାହାରକୁ ଚାଲିଯାଉଛନ୍ତି। ଓଡ଼ିଶାରେ ଭାଗଚାଷୀ ସମସ୍ୟା ଆଉ ଏକ ବଡ଼ ସମସ୍ୟା। ଚାଷକାମରେ ନିୟୋଜିତ ବ୍ୟକ୍ତିମାନଙ୍କ ମଧ୍ୟରେ ସେମାନଙ୍କ ସଂଖ୍ୟା ପ୍ରାୟ ୨୦ ଭାଗରୁ ଅଧିକ। ଅନେକ ମୂଲିଆ ମଧ୍ୟ ଭାଗଚାଷ କରନ୍ତି। ସେ ଦୃଷ୍ଟିରୁ କୃଷିକ୍ଷେତ୍ରରେ ମୋଟ ଭାଗଚାଷୀଙ୍କ ଅନୁପାତ ୪୦%ରୁ କମ୍ ହେବ ନାହିଁ। ଏମାନେ ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ। ପ୍ରାକୃତିକ ଦୁର୍ବିପାକରେ ସେ କୌଣସି ସରକାରୀ ସାହାଯ୍ୟ ପାଏ ନାହିଁ। ସେମାନଙ୍କ କୌଣସି ରେକର୍ଡ ନାହିଁ। କୃଷି ଋଣ ଛାଡ଼ କରିବା ପାଇଁ ବିଭିନ୍ନ ରାଜ୍ୟରେ ଆନ୍ଦୋଳନ ବ୍ୟାପକ ହେବାରୁ କେତେକ ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେବାପାଇଁ ଘୋଷଣା କରିଛନ୍ତି।
ରାଜ୍ୟ ସରକାରଙ୍କ ବାର୍ଷିକ ଅର୍ଥନୈତିକ ସର୍ଭେ ରିପୋର୍ଟ– ୨୦୧୭-୧୮ ଅନୁସାରେ ଖାଦ୍ୟଶସ୍ୟ ଉତ୍ପାଦନରେ ୯୦ ଭାଗ କେବଳ ଧାନ ଉତ୍ପାଦନ ହେଉଛି ଓ ଏହା ହେକ୍ଟର ପିଛା ହାରାହାରି ୨୪ କୁଇଣ୍ଟାଲ। କୃଷି କହିଲେ ଖାଦ୍ୟଶସ୍ୟ ଉତ୍ପାଦନ ସହ ପଶୁପାଳନ, ଲଘୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ, ଉଦ୍ୟାନ କୃଷି ଓ ମାଛ ଚାଷ ଏବଂ ଜୀବିକାକୁ ବୁଝାଇଥାଏ। ମାତ୍ର ଧାନଚାଷ ବ୍ୟତୀତ ଅନ୍ୟ କ୍ଷେତ୍ରରେ ଆମ ରାଜ୍ୟ ଆଶାଜନକ ଉନ୍ନତି କରିପାରି ନାହିଁ। ବିଶେଷ ଭାବେ ଫଳ, ଫୁଲ, ପନିପରିବା, ମସଲା, ମାଛ, ମାଂସ, କ୍ଷୀର, ଡାଲିଜାତୀୟ ଓ ନଡ଼ିଆ, ପାନ ଉତ୍ପାଦନରେ ଆମେ ଅତ୍ୟନ୍ତ ନଗଣ୍ୟ। ଏସବୁ ଚାଷର ଭରପୂର ସୁଯୋଗ ଥିଲେ ମଧ୍ୟ ଆମେ ପଡ଼ୋଶୀ ରାଜ୍ୟ ତୁଳନାରେ ପଛୁଆ। ଏବେ ରାଜ୍ୟରେ ଯାହା କୃଷି ଉତ୍ପାଦନ ହେଉଛି ଏହି ପ୍ରକ୍ରିୟାରେ କୃଷି ଶ୍ରମିକ ଓ ଭାଗଚାଷୀମାନଙ୍କ ଏକ ପ୍ରମୁଖ ଭୂମିକା ରହିଛି। ୨୦୧୧ ଜନଗଣନା ଅନୁସାରେ ରାଜ୍ୟରେ ମୋଟ ୪୧.୦୪ ଲକ୍ଷ ଚାଷୀ ଓ ୬୭.୪୦ ଲକ୍ଷ କୃଷି ଶ୍ରମିକ ଅଛନ୍ତି। ଏଥିମଧ୍ୟରୁ ପ୍ରାୟ ୮୦ ଭାଗ ଚାଷ ଭାଗଚାଷୀ ଦ୍ୱାରା ସମ୍ପନ୍ନ ହେଉଥିବାବେଳେ ଭାଗଚାଷୀଙ୍କ ଜୀବନ ଜୀବିକାର ସୁରକ୍ଷା ପାଇଁ କୌଣସି ଆଇନ ହୋଇପାରିଲା ନାହିଁ, ଯାହାଫଳରେ ଭାଗଚାଷୀ ସରକାରଙ୍କ ସମସ୍ତ ପ୍ରୋତ୍ସାହନରୁ ବଞ୍ଚିତ ହୋଇ ଆସୁଛି। ଓଡ଼ିଶାରେ ଆତ୍ମହତ୍ୟା କରିଥିବା ୭୦ ପ୍ରତିଶତ ହେଉଛନ୍ତି ଭାଗଚାଷୀ।
କୃଷି ଋଣ ପ୍ରଦାନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ନିର୍ଦିଷ୍ଟ ଭାବେ ସମସ୍ତ ଜାତୀୟକରଣ ବ୍ୟାଙ୍କ, ସମବାୟ ବ୍ୟାଙ୍କ ଓ ଘରୋଇ ବ୍ୟାଙ୍କମାନଙ୍କୁ କୃଷି ଋଣ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିଥିବାବେଳେ ସମ୍ପୃକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷ ପୁଞ୍ଜିପତି, ଶିଳ୍ପପତି ଓ ବିଭିନ୍ନ ବ୍ୟବସାୟୀ ଗୋଷ୍ଠୀଙ୍କୁ ଋଣ ପ୍ରଦାନରେ ଯେତିକି ଆଗ୍ରହ ପ୍ରକାଶ କରିଥାନ୍ତି କୃଷି ଋଣ ପ୍ରଦାନରେ ସେତିକି ଆଗ୍ରହ ଦେଖାଇ ନଥାନ୍ତି। ଫଳରେ ବହୁ ଚାଷୀ ଚଢ଼ା ସୁଧରେ ସାହୁକାରଠାରୁ ଋଣ ଆଣିବାକୁ ବାଧ୍ୟ ହୋଇଥାନ୍ତି। ଶୁଝି ନ ପାରିଲେ ଆତ୍ମହତ୍ୟା ପନ୍ଥା ଆଦରି ନିଅନ୍ତି। ଆମ ରାଜ୍ୟରେ କୃଷି ଋଣ ପ୍ରଦାନର ଏକ ରିପୋର୍ଟ ପ୍ରକାଶ ପାଇଛି, ଯେଉଁଥିରେ ୨୦୧୦-୧୧ ବର୍ଷରେ ୫୪୪୯ କୋଟି ଓ ୨୦୧୭-୧୮ରେ ୧୫,୫୩୧ କୋଟି କୃଷି ଋଣ ପ୍ରଦାନ କରାଯାଇଥିବା ଦର୍ଶାଯାଇଥିବାବେଳେ ଏହା ଅସଲ ଚାଷୀ ପାଖରେ ପହଞ୍ଚି ପାରି ନାହିଁ। ଏଥିରେ କୃଷି ନାଁରେ ଅଣକୃଷି କ୍ଷେତ୍ରରେ ପ୍ରଭାବଶାଳୀ ବେପାରି, କ୍ଷମତାସୀନ ଦଳୀୟ କର୍ମୀ ଓ ନେତା ଏହି କୃଷି ଋଣର ସୁଯୋଗ ନେଇଥିବା ଅଭିଯୋଗ ହୋଇଛି।
କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ରଘୁରାମ ରାଜନ କମିଟି ରିପୋର୍ଟ ଅନୁସାରେ ଓଡ଼ିଶା ଆଜି ବି ଦେଶର ସବୁଠାରୁ ଦରିଦ୍ରତମ ରାଜ୍ୟ। ଓଡ଼ିଶା ଦରିଦ୍ର ହୋଇ ରହିବାର ମୂଳ କାରଣ ହେଲା ଚାଷ ଓ ଚାଷୀମାନଙ୍କ ବିକାଶ ପ୍ରତି ଯଥେଷ୍ଟ ଗୁରୁତ୍ୱ ଦିଆଯାଇ ନାହିଁ। ଆବହମାନ କାଳରୁ ଓଡ଼ିଶାରେ ଶାସକମାନଙ୍କର ଦୃଷ୍ଟିଭଙ୍ଗୀ ମଧ୍ୟ ସେୟା ଥିଲା।
ବର୍ତ୍ତମାନ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଦାୟିତ୍ୱ ହେଲା କୃଷିରୁ ଅଧିକ ଲୋକଙ୍କୁ ବାହାର କରି ଅନ୍ୟତ୍ର ଶିଳ୍ପ, ବାଣିଜ୍ୟ, ସେବା ଆଦି କ୍ଷେତ୍ରରେ ନିଯୁକ୍ତି ଦେବା ସାଙ୍ଗକୁ କୃଷି କ୍ଷେତ୍ରରେ ନିୟୋଜିତ ଚାଷୀ ଓ ଚାଷ ମଜୁରିଆଙ୍କ ଆୟ ବୃଦ୍ଧି କରିବା। କୃଷିର ଉତ୍ପାଦିକା ଶକ୍ତି ବଢ଼ାଇବା ଓ କୃଷିଭିତ୍ତିକ ଛୋଟ ଛୋଟ ଶିଳ୍ପ ସ୍ଥାପନ କରି କୃଷିଜାତ ଦ୍ରବ୍ୟକୁ ମୂଲ୍ୟଯୁକ୍ତ କରିବା। ଗ୍ରାମାଞ୍ଚଳରୁ ଦାରିଦ୍ର୍ୟ ହଟିବା ପାଇଁ କେନ୍ଦ୍ର ଘୋଷଣା କରିଥିବା ‘ସବ୍କା ସାଥ୍’ ଯୋଜନାର ସଫଳ ରୂପାୟନ କିପରି ରାଜ୍ୟରେ ହେବ ଦେଖିବା କଥା। ସମ୍ବିଧାନର ଏକାଦଶ ପରିଚ୍ଛେଦରେ ଗ୍ରାମ ପଞ୍ଚାୟତକୁ ଦିଆଯାଇଥିବା ଅଣତିରିଶ ବିଭାଗ: ମୁଖ୍ୟତଃ କୃଷି, ଚାଷଜମିର ବିକାଶ, କ୍ଷୁଦ୍ର ଜଳସେଚନ, ପ୍ରାଣୀ ସମ୍ପଦ, ମତ୍ସ୍ୟଚାଷ, କ୍ଷୁଦ୍ରଶିଳ୍ପ, ଜଙ୍ଗଲ, ଗ୍ରାମ୍ୟ ଖଦି ଉଦ୍ୟୋଗ, ପାନୀୟ ଜଳ, ବିଦ୍ୟୁତ୍କରଣ, ଶିକ୍ଷା, ସ୍ୱାସ୍ଥ୍ୟଠାରୁ ସାଧାରଣ ବଣ୍ଟନ ବ୍ୟବସ୍ଥା ପରି ବିଷୟଗୁଡ଼ିକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ଆମ ରାଜ୍ୟର ଯାହା ବାସ୍ତବ ଅବସ୍ଥା ତାକୁ ନଜରରେ ରଖି ଉପରୋକ୍ତ ବିଷୟଗୁଡ଼ିକୁ ଧ୍ୟାନ ଦେଇ ହିଁ ଆମ ରାଜ୍ୟର ବିକାଶ ସମ୍ଭବ ହୋଇପାରେ।

ଲେଖକ – ଏନ. ନାରାୟଣ ରେଡ୍ଡୀ(ପୂର୍ବତନ ବିଧାୟକ)

Comments are closed.