ଖୋଲିବ ଆଉ ୧୦୦ ୱାନ୍‍ ଷ୍ଟପ୍‌ ସେଣ୍ଟର

0

ନୂଆଦିଲ୍ଲୀ: ଭୁବନେଶ୍ୱର କ୍ୟାପିଟାଲ୍‍ ହସ୍ପିଟାଲ୍‍ରେ ଥିବା ‘ସଖି’ ପରି ଦେଶର ଆଉ ୧୦୦ଟି ସ୍ଥାନରେ ଖୋଲିବ ‘ୱାନ୍‍ ଷ୍ଟପ୍‌ ସେଣ୍ଟର’। ସାମାଜିକ ହିଂସା ଏବଂ ମାନସିକ ଓ ଶାରୀରିକ ନିର୍ଯାତନାର ଶିକାର ହୋଇଥିବା ମହିଳାଙ୍କୁ ସହାୟତା ଯୋଗାଇ ଦେବା ପାଇଁ ‘ୱାନ୍‍ ଷ୍ଟପ୍‌ ସେଣ୍ଟର’ର ପରିକଳ୍ପନା କରାଯାଇଛି। ପୀଡ଼ିତାଙ୍କୁ ପୁଲିସ୍‍ ଓ ଆଇନଗତ ସହାୟତା, ଚିକିତ୍ସା ସୁବିଧା, କାଉନ୍‍ସେଲିଂ ସହିତ ଅସ୍ଥାୟୀ ରହଣିର ବ୍ୟବସ୍ଥା ଏହି କେନ୍ଦ୍ରଗୁଡ଼ିକରେ ହୋଇଛି। କିଛି ମାସ ତଳେ ମସୌରୀସ୍ଥିତ ଲାଲବାହାଦୂର ଶାସ୍ତ୍ରୀ ନ୍ୟାଶ୍‍ନାଲ୍‍ ଏକାଡେମୀ ଅଫ୍‍ ଆଡ୍‍ମିନିଷ୍ଟ୍ରେସନ୍‍ର ନବ ତାଲିମପ୍ରାପ୍ତ ଆଇଏଏସ୍‍ ଟିମ୍‍ କ୍ୟାପିଟାଲ୍‍ ହସ୍ପିଟାଲ୍‍ ପରିଦର୍ଶନରେ ଆସି ସଖି(ୱାନ୍‍ ଷ୍ଟପ୍‌ ସେଣ୍ଟର)କୁ ପ୍ରଶଂସା କରିଥିଲେ। ରାଜ୍ୟ ଓ ଦେଶର ପ୍ରତି ଜିଲାରେ ଏଭଳି କେନ୍ଦ୍ର ଖୋଲିବା ଉପରେ ସେମାନେ ଗୁରୁତ୍ୱ ଦେଇଥିଲେ। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟର ଯୋଜନା ଅନୁମୋଦନ କମିଟି ଏଭଳି ୧୦୦ଟି ଅତିରିକ୍ତ ୱାନ୍‍ ଷ୍ଟପ୍‌ ସେଣ୍ଟର ଖୋଲିବା ପାଇଁ ଆଜି ଅନୁମୋଦନ କରିଛି। କମିଟିର ଅନୁମୋଦନ କ୍ରମେ ଓଡ଼ିଶାର ଆଉ କେତେକ ଜିଲା ସମେତ ହରିଆନା, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମିଜୋରାମ୍‍, ନାଗାଲାଣ୍ଡ, ତାମିଲନାଡ଼ୁ ଓ ଉତ୍ତରପ୍ରଦେଶର କେତେକ ଜିଲାରେ ଏହି କେନ୍ଦ୍ର ଖୋଲିବାକୁ ଯାଉଛି। ୨୦୧୮ ଏପ୍ରିଲ୍‍ ୨୧ତାରିଖରେ ଅନୁଷ୍ଠିତ କ୍ୟାବିନେଟ୍‍ ବୈଠକର ନଷ୍ପତ୍ତି ଅନୁଯାୟୀ ଆଗାମୀ ଦିନରେ ଦେଶର ପ୍ରତି ଜିଲାରେ ୱାନ୍‍ ଷ୍ଟପ୍‌ ସେଣ୍ଟର ଖୋଲିବ। ପ୍ରତି ସେଣ୍ଟରକୁ ପ୍ରାଥମିକ ପର୍ଯ୍ୟାୟରେ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ୨୦୧୫ରେ ଭୁବନେଶ୍ୱର ସମେତ ସବୁ ରାଜ୍ୟରେ ଏଭଳି କେନ୍ଦ୍ର ଖୋଲିଥିବା ବେଳେ ଏବେ ସମଗ୍ର ଦେଶରେ ୧୮୨ଟି କେନ୍ଦ୍ର ରହିଛି। ଏହାଦ୍ୱାରା ୧.୩ ଲକ୍ଷ ପୀଡ଼ିତା ଉପକୃତ ହୋଇପାରିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି।

Leave A Reply