ବାଙ୍କୀ ଓ ଡମପଡା ବ୍ଲକରେ ଲୋକାର୍ପଣ ହେବ ୧୨ ରୂପାନ୍ତର ବିଦ୍ୟାଳୟ
ବାଙ୍କୀ : ସହରାଞ୍ଚଳ ଭଳି ଗ୍ରାମାଞ୍ଚଳରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱ ଦେଇ ରାଜ୍ୟ ସରକାରଙ୍କ ୫-ଟି ଅଧୀନରେ ବିଦ୍ୟାଳୟ ରୂପାନ୍ତର ଯୋଜନାରେ ବାଙ୍କୀ ବ୍ଲକ ଶିକ୍ଷାଅଧିକାରୀ କାର୍ଯ୍ୟାଳୟ ଅଧିନ ୮ଟି ବିଦ୍ୟାଳୟ ଏବଂ ଡମପଡା ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧିନ ୪ଟି ବିଦ୍ୟାଳୟକୁ ଦ୍ୱିତୀୟ ପ୍ରର୍ଯ୍ୟାୟରେ ସାମିଲ କରାଯାଇଛି । ଆସନ୍ତା ୬ ତାରିଖ ଦିନ ଏହି ୧୨ଟି ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ବାଙ୍କୀ ବ୍ଲକ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସେଠୀ ଏବଂ ଡମପଡା ବ୍ଲକ ଶିକ୍ଷା ଅଧିକାରୀ ନରେନ୍ଦ୍ର ବେହେରା ଏହି ସୂଚନା ଦେଇଛନ୍ତି। ରୂପାନ୍ତର ବିଦ୍ୟାଳୟର ଲୋକାର୍ପଣ ପାଇଁ ନିର୍ମାଣ କାର୍ଯ୍ୟ ଚୂଡାନ୍ତ ସ୍ଥିତିରେ ଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ ପୂର୍ବରୁ ବାଙ୍କୀ ସହର ସ୍ଥିତ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠ ଏବଂ ସରକାରୀ ଉଚ୍ଚ ବାଳିକ ବିଦ୍ୟାଳୟକୁ ପ୍ରଥମ ପର୍ଯ୍ୟାୟରେ ଲୋକାର୍ପଣ କରା ଯାଇଥିଲା। ସୋମାବାର ଦିନ ଲୋକାର୍ପିତ ହେବାକୁ ଥିବା ବିଦ୍ୟାଳୟର ଶିକ୍ଷକ, ଛାତ୍ରଛାତ୍ରୀ, ପରିଚାଳନା କମିଟି ସଦସ୍ୟ ଏବଂ ଅଭିଭାବକ ମାନେ ବିଦ୍ୟାଳୟର ନୂତନ ରୂପରେଖ ସହିତ ପିଲା ମାନେ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ମଧ୍ୟରେ ସାମିଲ ହୋଇଥିବାରୁ ଆନନ୍ଦ ପ୍ରକାଶ କରୁଛନ୍ତି । ବିଦ୍ୟାଳୟ ରୂପାନ୍ତର ଯୋଜନାରେ ପ୍ରତି ବିଦ୍ୟାଳୟକୁ ସରକାର ୪୫ ଲକ୍ଷ ଟଙ୍କା ଲେଖାଁଏ ବିନିଯୋଗ କରି ୨ଟି ସ୍ମାର୍ଟ ଶ୍ରେଣୀଗୃହ, ଗୋଟିଏ ଇ-ପାଠାଗାର ଏବଂ ଆଦର୍ଶ ବିଜ୍ଞାନଗାର ସହିତ ଖେଳ ପଡିଆ ନବୀକରଣ, ସମ୍ପୂର୍ଣ୍ଣ ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ସହିତ କାନ୍ଥରେ ପାରମ୍ପରିକ କଳାକୃତି ଅଙ୍କନ ଆଦିର ବ୍ୟବସ୍ଥା କରାଯାଇଛି । ସୋମବାର ଦିନ ଡମପଡା ବ୍ଲକର ଗୟଳବାଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟ, ଅରାଚଣ୍ଡି ବିଦ୍ୟାମନ୍ଦିର ନିସ୍ତିପୁର, ତାଳବସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ରଗଡି ସ୍ଥିତ ବି.ଏସ୍ ନୋଡାଲ ହାଇସ୍କୁଲ ଲୋକାର୍ପିତ ହେବ। ସେହିପରି ବାଙ୍କୀ ବ୍ଲକର ରଘୁନାଥ ଦେବତା ନୋଡାଲ ହାଇସ୍କୁଲ, ମଇଜୋରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ବୈଦେଶ୍ୱର ନୋଡାଲ ହାଇସ୍କୁଲ, ପଥୁରୀପଡା ସ୍ଥିତ ମହାବେରଣା ବିଦ୍ୟାପୀଠ, ପଣ୍ଡାଳମ ହାଇସ୍କୁଲ, କଳାପଥର-ଧଳାପଥର ହାଇସ୍କୁଲ,ବନ୍ଦାଳ ସ୍ଥିତ ଉତ୍ତର କୋଲାଟ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ଘୋଳପୁର ସ୍ଥିତ ଦଧିବାମନଜୀଉ ବିଦ୍ୟାମନ୍ଦିର ଆଦିି ୮ଟି ବିଦ୍ୟାଳୟକୁ ଲୋକାର୍ପଣ ହେବ।
Comments are closed.