ସାକ୍ଷୀଗୋପାଳ : ସ୍ଥାନୀୟ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ଛାତରୁ ଆଜି ପୂର୍ବାହ୍ନରେ ଏକ କଂକ୍ରିଟ ଖଣ୍ଡ(ସିଲିଂ) ହଠାତ ବିଦ୍ୟାଳୟରେ କାର୍ଯ୍ୟରତ କିରାଣୀ ସୁମନ୍ତ କୁମାର ଷଡ଼ଙ୍ଗୀ (୫୨) ଙ୍କ ଉପରେ ଖସି ପଡିଥିଲା। ଏଥିରେ କିରାଣୀ ଶ୍ରୀ ଷଡ଼ଙ୍ଗୀ ଗୁରୁତର ଆହତ ହୋଇଛନ୍ତି । ଚିକିତ୍ସା ନିମନ୍ତେ ତାଙ୍କୁ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। ପରେ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରା ଯାଇଛି । ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଆହତ ଶ୍ରୀ ଷଡ଼ଙ୍ଗୀଙ୍କୁ ପୁରୀ ଡାକ୍ତରଖାନାକୁ ନେଇଥିଲେ। ତାଙ୍କ ମୁଣ୍ଡରେ ଆଘାତ ଲାଗିଅଛି । ହାତ, ଗୋଡ଼ ଓ ଶରୀରର ଅନେକ ସ୍ଥାନ ଖଣ୍ଡିଆ ଖାବରା ହୋଇଛି।
ଖବର ପାଇ ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ବିଡ଼ିଓ ଲୋଚନ ଦାସ, ବ୍ଲକ ଶିକ୍ଷାଧିକାରୀ ଭବମ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟା ବିଷ୍ଣୁପ୍ରିୟା ବରାଳ, ସରପଞ୍ଚ ଆରାଧନା ସାମନ୍ତରାୟ ଓ ସମିତି ସଭ୍ୟ ଦୀପକ ଶତପଥି ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିଥିଲେ।
ପ୍ରକାଶ ଥାଉ କି, ଏହି ବିଦ୍ୟାଳୟ ରାଜ୍ୟ ସରକାରଙ୍କ ୫-ଟି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ରୂପାନ୍ତରିତ ହୋଇଥିଲା। ପ୍ରାୟ ୬୫ ଲକ୍ଷ ଟଙ୍କା ବ୍ୟୟରେ ଏହାର ନବୀକରଣ ହୋଇଛି। ଗତ ତା ୧୫-୧୨-୨୦୨୧ ମସିହାରେ ଏହି ବିଦ୍ୟାଳୟ ଉଦଘାଟନ ହୋଇଥିଲା। ଏବେ ଏହି ବିଦ୍ୟାଳୟର ମରାମତି ନିମନ୍ତେ ଖୁବ ଶୀଘ୍ର ପୂର୍ତ୍ତ ବିଭାଗକୁ ଚିଠି କରାଯିବ ବୋଲି ଜଣାପଡିଛି ।
Comments are closed.