Patra electronics

ଖାକିରେ ଲାଗିଲା କଳଙ୍କ: କୁଲଡିହା ଗଜ ଶିକାର ଘଟଣାରେ ୫ ବନ କର୍ମଚାରୀ ଗିରଫ

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଜଙ୍ଗଲରେ ୨ଟି ମୃତହାତୀର ଅଙ୍ଗ ଛେଦନ କରାଯାଇ ଏକ ପଥର ଗୁମ୍ଫାରେ ପୁରାଇ ଦିଆଯିବା ଘଟଣାରେ ବନବିଭାଗ ପକ୍ଷରୁ ଆଜି ୫ଜଣ ବନକର୍ମଚାରୀଙ୍କୁ ଗିରଫ କରାଯାଇଛି। ଯାହାକୁ ନେଇ ଖାକିରେ ଲାଗିଲା କଳଙ୍କ ବୋଲି ଚର୍ଚ୍ଚା ହେଉଛି। କୁଲଡିହା ଅଭୟାରଣ୍ୟର ଦକ୍ଷିଣରେ ଥିବା ଔପଦା ରେଞ୍ଜ୍‍ ବେତେଇ ବିଟ୍‍ ହାଉସ ଅଧୀନସ୍ଥ ଜଙ୍ଗଲରେ ଗତ ଜୁନ୍‍ ମାସରେ ଗୋଟିଏ ଏବଂ ଜୁଲାଇ ମାସରେ ଆଉ ଗୋଟେ ହାତୀକୁ ଶିକାରୀ ଗୁଳି କରି ହତ୍ୟା କରିଥିଲେ।

ଅଭୟାରଣ୍ୟରେ ହାତୀଦ୍ୱୟଙ୍କ ମୃତ୍ୟୁ ସମ୍ପର୍କରେ କେବଳ ‘ସମାଜ’ରେ ହିଁ ଏହି ଖବର ପ୍ରକାଶ ପାଇଥିଲା। ଉକ୍ତ ଖବର ପଢ଼ିବା ପରେ ବାଲେଶ୍ୱର ଡିଏଫଓ ଖୁସୱନ୍ତ ସିଂ କୁଲଡିହା ହାତୀହତ୍ୟା ଘଟଣାର ରହସ୍ୟକୁ ଉନ୍ମୋଚନ କରିଛନ୍ତି। ବେତେଇ ବିଟ୍‍ ଜଙ୍ଗଲରେ ହାତୀ ଦ୍ୱୟ ମରି ପଡ଼ିଥିବା ଖବରପାଇ ଉକ୍ତ ବିଟ୍‍ ଅଧିକାରୀ ତଥା ବନରକ୍ଷୀ ପଦ୍ମଲୋଚନ ପାତ୍ର ଘଟଣାସ୍ଥଳକୁ ଯାଇ କରମା ବେହେରା(୪୦), ମହେଶ୍ୱର ବେହେରା(୨୬), ପ୍ରଫୁଲ ଦେହୁରୀ(୪୩) ଓ ବୁଲୁ ଦେହୁରୀ(୩୫) ପ୍ରମୁଖ ସବୁଜବାହିନୀ କର୍ମଚାରୀଙ୍କୁ ଲଗାଇ ମୃତହାତୀକୁ ଖଣ୍ଡ ବିଖଣ୍ଡିତ କରାଇଥିଲେ ଏବଂ ଅଙ୍ଗ ଛେଦନ ପରେ ଏକ ପଥର ଗୁମ୍ଫାରେ ପୁରାଇ ଦେଇଥିଲେ ବୋଲି ସବୁଜବାହିନୀମାନେ ଡିଏଫଓଙ୍କ ଆଗରେ ସ୍ୱୀକାର କରିଛନ୍ତି ।

ଏହି ଘଟଣାରେ ତଦନ୍ତ କରି ବନରକ୍ଷୀ ଶ୍ରୀ ପାତ୍ରଙ୍କ ସମେତ ଉପରୋକ୍ତ ୪ଜଣ ସବୁଜବାହିନୀ କର୍ମଚାରୀଙ୍କୁ ଗିରଫ କରାଯାଇ ଆଜି ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି। ଅପରପକ୍ଷରେ ଗିରଫ ହୋଇଥିବା ସବୁଜବାହିନୀ କର୍ମଚାରୀମାନେ ନିର୍ଦ୍ଦୋଷୀ କହି ଆଜି ସେମାନଙ୍କ ସମ୍ପର୍କୀୟମାନେ ଆଜି ନୀଳଗିରିସ୍ଥିତ କୁଲଡିହା ଅଫିସ ଫାଟକ ଆଗରେ ଧାରଣାରେ ବସିଥିଲେ। ନୀଳଗିରି ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣ ସେମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଗଜହତ୍ୟା ଖବର ପ୍ରକାଶ ପାଇବା ପରେ ଘଟଣାସ୍ଥଳରୁ ହାଡ଼ ଓ ଅନ୍ୟ ଅଂଶକୁ ଭୁବନେଶ୍ୱରସ୍ଥିତ ଲାବ୍‍କୁ ପଠା ଯାଇଥିଲା । ସେଠାରୁ ଏହି ହାଡ଼ ସବୁ ହାତୀର ବୋଲି ରିପୋର୍ଟ ଆସିବା ପରେ ବିଭାଗ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଉଛି।

Comments are closed.