www.samajalive.in
Thursday, December 11, 2025
16.1 C
Bhubaneswar

ଏଭରେଷ୍ଟ ସଫେଇ ଅଭିଯାନ; ୧୫ ଦିନରେ ଉଦ୍ଧାର ୩ହଜାର କିଲୋ ଆବର୍ଜନା

କାଠମାଣ୍ଡୁ : ଏଭରେଷ୍ଟ ସଫେଇ ଅଭିଯାନକ୍ରମେ ବିଶ୍ବର ଏହି ସର୍ବୋଚ୍ଚ ଗିରି ଶୃଙ୍ଗ ଉପରୁ ତିନି ହଜାର କିଲୋ ଆବର୍ଜନା ପରିଷ୍କାର କରାଯାଇଛି। ଏପ୍ରିଲ ୧୪​‌ ନେପାଳରେ ନବବର୍ଷ ପାଳନ ପରିପ୍ରେକ୍ଷୀରେ ନୂଆ ପଦକ୍ଷେପ ସ୍ବରୂପ ଏହି ୪୫ ଦିନିଆ (ମେ’ ୨୯ ପର୍ଯ୍ୟନ୍ତ) ଏଭରେଷ୍ଟ ସଫେଇ ଅଭିଯାନ ଆରମ୍ଭ ହୋଇଛି। ଏଭରେଷ୍ଟ ପାଦ ଦେଶରେ ଥିବା ସୋଲୁଖୁମ୍ଭୁ ଜିଲାର ଖୁମ୍ବୁ ପାଶାଙ୍ଗଲାମୁ ପୌର କର୍ତ୍ତୃପକ୍ଷ ଏହି ସ୍ବଚ୍ଛତା ଅଭିଯାନ ଆରମ୍ଭ କରିଛନ୍ତି। ବିଭିନ୍ନ ସରକାରୀ ସଂସ୍ଥା ଓ ସ୍ବେଚ୍ଛାସେବୀ ସଂଗଠନ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଅଦ୍ୟାବଧି ଉପରୋକ୍ତ ପରିମାଣର କଠିନ ବର୍ଜ୍ୟ ସଂଗ୍ରହ କରାଯାଇଥିବାବେଳେ ଧାର୍ଯ୍ୟ ସମୟ ମଧ୍ୟରେ ଏଭରେଷ୍ଟରୁ ୧୦ହଜାର କିଲୋ ବର୍ଜ୍ୟ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି। ଏଭରେଷ୍ଟ ଆ​‌େ​‌ରାହଣକାରୀ ଓ ପର୍ଯ୍ୟଟକମାନେ ଶୃଙ୍ଗ ଉପରେ ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇ ଆସୁଥିବା ବର୍ଜ୍ୟବସ୍ତୁ ଏଭରେଷ୍ଟ ପରିବେଶକୁ ନଷ୍ଟ କରୁଥିବା ନେଇ ବିଭିନ୍ନ ସମୟରେ ବିଶେଷଜ୍ଞମାନେ ଚିନ୍ତା ବ୍ୟକ୍ତ କରିବା ପରେ ଏଭଳି ପଦକ୍ଷେପ ନିଆଯାଇଛି।
ନେପାଳ ପର୍ଯ୍ୟଟନ ବିଭାଗର ମହାନିର୍ଦେଶକ ଡାଣ୍ଡୁ ରାଜ ଘିମିରେଙ୍କ ସୂଚନାନୁଯାୟୀ, ଏକ ସ୍ବତନ୍ତ୍ର ତାଲିମପ୍ରାପ୍ତ ଦଳ ଏଭରେଷ୍ଟ ଶୃଙ୍ଗର ମୂଳ ଶିବିରରେ ପହଞ୍ଚି ସଫେଇ କାର୍ଯ୍ୟ ଆରମ୍ଭ କରିଥିଲେ। ଏହା ସମୟସାପେକ୍ଷ ଓ କଷ୍ଟସାଧ୍ୟ ହୋଇଥିବାରୁ ସେମାନଙ୍କ ପାଇଁ ଖାଦ୍ୟ, ପାନୀୟ ଓ ଆଶ୍ରୟ ବ୍ୟବସ୍ଥା କରାଯାଇଛି। କେବଳ ମୂଳ ଶିବିରରୁ ସେମାନେ ୫ହଜାର କିଲୋ ବର୍ଜ୍ୟବସ୍ତୁ ସଂଗ୍ରହ କରିଛନ୍ତି। ଏଥିରୁ ୨ହଜାର କିଲୋ ଓଖାଲଢ଼ୁଙ୍ଗାକୁ ପଠାଯାଇଥିବାବେଳେ ଅବଶିଷ୍ଟ ୧ହଜାର କିଲୋକୁ ସେନା ହେଲିକପ୍ଟର ଯୋଗେ କାଠମାଣ୍ଡୁ ଅଣାଯାଇଛି। ସେଠାରେ ଏଗୁଡ଼ିକୁ ବୈଜ୍ଞାନିକ ପ୍ରକ୍ରିୟାରେ ନଷ୍ଟ କରାଯିବ। ଏହାବାଦ୍‌ ଦକ୍ଷିଣାଞ୍ଚଳରୁ ପ୍ରାୟ ୨ହଜାର କିଲୋ ଓ ଦ୍ବିତୀୟ ତଥା ତୃତୀୟ ଶିବିରାଞ୍ଚଳରୁ ପ୍ରାୟ ୩ହଜାର କିଲୋ ବର୍ଜ୍ୟବସ୍ତୁ ସଂଗ୍ରହ କରାଯିବା ଲକ୍ଷ୍ୟ ରଖାଯାଇଛି। ସେମାନେ କାଳେ କେଉଁଠାରେ ମୃତଦେହ ପଡ଼ିଥିବା ତାହାର ମଧ୍ୟ ସନ୍ଧାନ କରୁଛନ୍ତି। ଆବଶ୍ୟକସ୍ଥଳେ ଏହାକୁ ଉଦ୍ଧାର କରି ତଳକୁ ଆଣିବା ପାଇଁ ପ୍ରସ୍ତୁତ ଅଛନ୍ତି। ମୂଳ ଶିବିରାଞ୍ଚଳରେ ୪ଟି ମୃତଦେହ ଠାବ କରାଯାଇ ସେଗୁଡ଼ିକୁ ତଳକୁ ଅଣାଯାଇଥିବା ସେ କହିଛନ୍ତି। ପ୍ରଥମ ଥର ପାଇଁ ପୌରସଂସ୍ଥା ବା ସରକାରଙ୍କ ପକ୍ଷରୁ ଏଭଳି ସଫେଇ ଅଭିଯାନ ଆରମ୍ଭ ହୋଇଥିବା ଘିମିରେ ସୂଚନା ଦେଇଛନ୍ତି। ଏହି ଅଭିଯାନ ପାଇଁ ପର୍ଯ୍ୟଟନ ବିଭାଗ ୨୩ ନିୟୁତ ନେପାଳୀ ଟଙ୍କା ଖର୍ଚ୍ଚ ଅଟକଳ କରିଥିବା ସେ ସୂଚନା ଦେଇଛନ୍ତି। କେବଳ ପଥର ଓ ବରଫ ଖଣ୍ଡକୁ ଛାଡ଼ି ଶୃଙ୍ଗରୁ ସମସ୍ତ ଦ୍ରବ୍ୟ ସଫା କରାଯିବ ବୋଲି ସେ କହିଛନ୍ତି। ନେପାଳୀ ପର୍ବତାରୋହଣକାରୀ ସଂଘ ସଚିବ ଟିକା ରାମ ଗୁରୁଭ୍ଗ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି।
ପ୍ରତିବର୍ଷ ଶହ ଶହ ଆରୋହଣକାରୀ, ଶେର୍‌ପା ଓ ପର୍ଯ୍ୟଟକ ଶୃଙ୍ଗ ଉପରକୁ ଯାଇଥାଆନ୍ତି। ସେମାନେ ବିଭିନ୍ନ ସ୍ଥାନରେ ଶିବିର ସ୍ଥାପନ କରିଥାଆନ୍ତି। ସେଠାରେ ଖାଦ୍ୟ ସାମଗ୍ରୀ, ବୋତଲ, ଶୂନ୍ୟ ଅମ୍ଳଜାନ ପାତ୍ର ଇତ୍ୟାଦି ଫିଙ୍ଗି ଦେଇଆସନ୍ତି। ଜଣେ ବ୍ୟକ୍ତି ପ୍ରାୟ ୮କିଲୋ ବର୍ଜ୍ୟ ଛାଡ଼ି ଆସୁଥିବା ଏକ ଆକଳନରୁ ଜଣାପଡ଼ିଥିଲା। ସେଥରୁ କିଛି ପ୍ରାକୃତିକ ଉପାୟରେ ନଷ୍ଟ ହୋଇଯାଉଥିବାବେଳେ ଆଉ କିଛି ପଡ଼ିରହିଥାଏ। ନଷ୍ଟ ନ ହୋଇ ପଡ଼ିରହୁଥିବା କୁଢ଼କୁଢ଼ ଆବର୍ଜନା ଏଭରେଷ୍ଟର ପ୍ରାକୃତିକ ପରିବେଶକୁ ନଷ୍ଟ କରିଥାଏ। ପରିବେଶବିତ୍‌ମାନେ ଏଥିନେଇ ଚିନ୍ତା ବ୍ୟକ୍ତ କରିବା ସହ ପରିହାସରେ ଏହାକୁ ‘ବିଶ୍ବର ସର୍ବୋଚ୍ଚ ଅଳିଆଗଦା’ ବୋଲି କହିବା ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସଚେତନତା କାର୍ଯ୍ୟକ୍ରମ ସ୍ବରୂପ ମେ’ ୨୯ରେ ସଂଗୃହୀତ ଆବର୍ଜନାକୁ ପ୍ରଥମେ ହିମାଳୟର ପାଦଦେଶ ନାମ୍‌ଚେ ସହରରେ ସର୍ବସାଧାରଣଙ୍କ ଦେଖିବା ପାଇଁ ରଖାଯିବ ଓ ପରେ କାଠମାଣ୍ଡୁ ନିଆଯିବ। କାଠମାଣ୍ଡୁରେ ଜୁନ୍‌ ୫, ବିଶ୍ବ ପରିବେଶ ଦିବସ କାର୍ଯ୍ୟକ୍ରମରେ ମଧ୍ୟ ଏହାର ପ୍ରଦର୍ଶନ କରାଯିବ। ଏହା ପରେ ସେଗୁଡ଼ିକର ପୁନଃପ୍ରକ୍ରିୟାକରଣ କରାଯିବ ବୋଲି ଘିମିରେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମେ’ ୨୯ ହେଉଛି ଏଭରେଷ୍ଟ ଶୃଙ୍ଗ ବିଜୟ ଦିବସ। ୧୯୫୩ର ଏହି ଦିନ ବିଶ୍ବର ପ୍ରଥମ ବ୍ୟକ୍ତି ଭାବେ ଏଡମଣ୍ଡ ହିଲାରୀ ଓ ତେନ୍‌ଜିଙ୍ଗ୍‌ ନର୍ଗୀ ଏଭରେଷ୍ଟ ଆରୋହଣ କରିଥିଲେ।
ବିଶ୍ବର ସର୍ବୋଚ୍ଚ ଗିରିଶୃଙ୍ଗକୁ ଏଭଳି ଅପବାଦରୁ ମୁକ୍ତ କରିବା ପାଇଁ ନୂଆ ଅଭିଯାନ ଆରମ୍ଭ ହୋଇଛି। ୨୦୧୪ରେ ନେପାଳ ସରକାର ଏଥିପାଇଁ ଉଦ୍ୟମ ଆରମ୍ଭ ସ୍ବରୂପ ନିୟମ ପ୍ରଣୟନ କରିଥିଲେ। ଶୃଙ୍ଗ ଆରୋହଣ କରୁଥିବା ପ୍ରତ୍ୟେକ ବ୍ୟକ୍ତି ଫେରିବାବେଳକୁ ନିଜ ସହିତ ଅନ୍ୟୂନ ୮କିଲୋ ଆବର୍ଜନା ଆଣିବାକୁ ନିୟମ ହୋଇଥିଲା; କିନ୍ତୁ ଏହାକୁ ସମସ୍ତେ ପାଳନ ନ କରିବାରୁ ଏଭରେଷ୍ଟ ଅଳିଆଗଦାରେ ପରିଣତ ହୋଇଛି।
ଫଟୋ: ଏଭରେଷ୍ଟ ଶୃଙ୍ଗର ଆଠ ହଜାର ମିଟର ଉଚ୍ଚରେ ଜଣେ ଶେର୍‌ପାଙ୍କ ଦ୍ବାରା ସଂଗୃହୀତ ଆବର୍ଜନା।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories