ବାପା, ମା’ ଧାନ ବିଲରେ; ୩ ବର୍ଷର ଝିଅ ପହଞ୍ଚିଲା ଡାକ୍ତରଖାନାରେ

ଦିମାପୁର: ସାରା ବିଶ୍ୱ, ବିଶେଷକରି ଭାରତର ଜନସାଧାରଣ ଓ ସରକାର ସଂପ୍ରତି କୋଭିଡ-୧୯ର ଦ୍ୱିତୀୟ ଲହର ବିରୁଦ୍ଧରେ ଲଢେଇ କରୁଥିବାବେଳେ ତୁଣ୍ଡି ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ କୋଭିଡ ସମ୍ପର୍କିତ ସମସ୍ତ କଟକଣା ମାନିବାକୁ ସରକାରଙ୍କ ପକ୍ଷରୁ ବାରମ୍ବାର ସଚେତନ କରାଯାଉଛି। ତାହାସହିତ ଅଧିକରୁ ଅଧିକ ଲୋକ ଟିକା ନେଲେ କୋଭିଡ ଆତଙ୍କକୁ ଦୂର କରାଯାଇପାରିବ ବୋଲି ପ୍ରଚାର କରାଯାଉଛି। କାହାଠାରେ ଯଦି ଥଣ୍ଡା, ଛିଙ୍କ, ଜ୍ୱର ଭଳି କିଛି ଲକ୍ଷଣ ପ୍ରକାଶ ପାଉଛି, ତେବେ ସେ ତୁରନ୍ତ କୋଭିଡ ପରୀକ୍ଷା କରାଇନେବାକୁ ପରାମର୍ଶ ଦେଉଛନ୍ତି। କିନ୍ତୁ ଅନେକ ଯୁବଗୋଷ୍ଠୀ, ବୟସ୍କ ଲୋକ ଏହାକୁ ବେଖାତିର କରି ଘରେ ଚୁପଚାପ ରହିଯାଉଥିବାବେଳେ ସେମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ଏକ ତିନି ବର୍ଷ ବୟସର କୁନି ଝିଅଟିଏ। ତାକୁ ସାମାନ୍ୟ ଥଣ୍ଡା ହୋଇଥିଲା। ତା ବାପା, ମା’ ଧାନଜମିକୁ କାମ କରିବାକୁ ଯାଇଥିବାବେଳେ ଝିଅଟି ପହଞ୍ଚିଥିଲା ଡାକ୍ତରଙ୍କ ପାଖରେ। ତାକୁ କରୋନା ହୋଇଛି କି ନାହିଁ ସେହି ପରୀକ୍ଷା କରିବାକୁ ଡାକ୍ତରଙ୍କୁ କହିଥିଲା। ଏବେ ଝିଅଟିକୁ ନେଇ ସାମାଜିକ ଗଣମାଧ୍ୟମରେ ଯେତିକି ଚର୍ଚ୍ଚା ଚାଲିଛି, ତାହାଠାରୁ ଅଧିକ ପ୍ରଶଂସା ମିଳୁଛି କୁନି ଝିଅକୁ, ତାହାର ସଚେତନତା ପାଇଁ।
ଏହି ଘଟଣା ଘଟିଛି ନାଗାଲାଣ୍ଡରେ। କୁନି ଝିଅର ନାମ ଲିପାଭୀ। ତାକୁ ସାମାନ୍ୟ ଥଣ୍ଡା କାଶ ହେଉଥିଲା। ତାକୁ ବାମା, ମା’ ଘରେ ଛାଡି ସେମାନଙ୍କର ଧାନଜମିକୁ କାମ କରିବାକୁ ଯାଇଥିବାବେଳେ ଲିପାଭୀ ସ୍ଥିରକଲା ଡାକ୍ତରଙ୍କ ପାଖକୁ ଯାଇ ତା’ର ଥଣ୍ଡା ସମ୍ପର୍କରେ ପଚାରି ବୁଝିବ। ତାକୁ କରୋନା ହୋଇଛି କି ନାହିଁ ଜାଣିବ। ଲିପାଭୀ ଏକାକୀ ଚାଲି ଚାଲି ଯାଇ ପହଞ୍ଚିଥିଲା ହେବୋଲୋମିସ୍ଥିତ ସ୍ୱାସ୍ଥ୍ୟ କେନ୍ଦ୍ରରେ। ତାକୁ ଦେଖି ଡାକ୍ତର ଓ ଅନ୍ୟମାନେ ପ୍ରଥମେ କେହି ଗୁରୁତ୍ୱ ଦେଇନଥିଲେ। ଭାବିଥିଲେ ହୁଏତ ସେ କେଉଁ ରୋଗୀ ସହିତ ଆସିଥିବ। ହେଲେ ଲିପାଭୀ ଯେତେବେଳେ ଡାକ୍ତରଙ୍କ ପ୍ରକୋଷ୍ଠକୁ ଯାଇ ତା’ ସ୍ୱାସ୍ଥ୍ୟ କଥା କହିଲା, ସେତେବେଳେ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ସେଠାରେ ଜମା ହୋଇଯାଇଥିଲେ ତାକୁ ଦେଖିବାକୁ। ଡାକ୍ତର ତା ସ୍ୱାସ୍ଥ୍ୟ ପରୀକ୍ଷା କରି ସେ ସୁସ୍ଥ ଥିବା କହିଥିଲେ। ତାକୁ କିଛି ଔଷଧ ଦେଇ ତା’ ଘରେ ଛାଡିବା ବ୍ୟବସ୍ଥା କରିଥିଲେ। ଡାକ୍ତରଙ୍କ ସହିତ ସେହି ଝିଅର ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବାପରେ ଝିଅଟି ପାଖକୁ ଏବେ ପ୍ରଶଂସାର ସୁଅ ଛୁଟୁଛି। ସଂପ୍ରତି ମହାମାରୀ ପରିସ୍ଥିତିରେ ସେ ଅନେକଙ୍କ ପାଇଁ ଉଦାହରଣ ପାଲଟିଯାଇଛି।

Comments are closed.