ପୂର୍ବତନ ବିଧାୟକ ପ୍ରାର୍ଥୀଙ୍କୁ ହତ୍ୟା ମାମଲା; ୩ ଗିରଫ

0

ଆନନ୍ଦପୁର: ଘସିପୁରାର ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରାଙ୍କୁ ହତ୍ୟା ମାମଲାରେ ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ୨ ଅଭିଯୁକ୍ତ ହେଉଛନ୍ତି ଜିଲା ପରିଷଦ ସଭ୍ୟାଙ୍କ ସମ୍ପର୍କୀୟ। ତେଣୁ ରାଜନୈତିକ ଆକ୍ରୋଶରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ତେବେ ଏହି ଘଟଣାକୁ ନେଇ ବିଜେପିର ଘସିପୁରା ବିଧାୟକ ପ୍ରାର୍ଥୀ ପୃଥ୍ବୀରାଜ କୁଅଁର ମନ୍ତ୍ରୀଙ୍କ ପରିବାର ବିରୋଧରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଏହି ହତ୍ୟାକାଣ୍ଡରେ ମନ୍ତ୍ରୀଙ୍କ ପରିବାରର ସମ୍ପୃକ୍ତି ରହିଛି। ରାମଚନ୍ଦ୍ର ବିଜେଡିର ବିଧାୟକ ଆଶାୟୀ ପ୍ରାର୍ଥୀ ଥିଲେ। ମନ୍ତ୍ରୀଙ୍କ ପ୍ରୋତ୍ସାହନରେ ତାଙ୍କୁ ହତ୍ୟା କରାଯାଇଛି। କଲ୍‌ ରେକର୍ଡ ଯାଞ୍ଚ ହେଲେ ସତ୍ୟାସତ୍ୟ ଜଣାପଡ଼ି। ଦୋଷୀଙ୍କୁ ଗିରଫ କରାଯିବା ସହ ଏହାର ସିବିଆଇ ତଦନ୍ତ କରାଯାଉ। କାର୍ଯ୍ୟାନୁଷ୍ଠାନ ନ ହେଲେ ନିର୍ବାଚନ ବେଳେ ହିଂସା ବଢ଼ିବାର ଆଶଙ୍କା ରହିଛି ବୋଲି ପୃଥ୍ବୀରାଜ ଗଣମାଧ୍ୟମ ଆଗରେ ମତ ରଖିଛନ୍ତି।

prayash

ଅନ୍ୟପଟେ ବିଜେପିର ଅଭିଯୋଗକୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ବିରୋଧୀଙ୍କ କାମ ବିରୋଧ କରିବା। ସେମାସେ ସବୁବେଳେ ହତୋତ୍ସାହିତ। ଏଠାରେ ବିରୋଧୀଙ୍କର କୌଣସି ସ୍ଥିତି ନାହିଁ। ନିର୍ବାଚନ ବୈତରଣୀ ପାର ହେବାକୁ ବିରୋଧୀ ଏଭଳି କହୁଛନ୍ତି। ଆମ ପରିବାର ହତ୍ୟାକାଣ୍ଡରେ କାହିଁକି ସମ୍ପୃକ୍ତ ହେବ। ରାମଚନ୍ଦ୍ରଙ୍କୁ ଆମ ଦଳରେ ମିଶାଇ ଦେବାକୁ ଚାହୁଁଥିଲୁ। ମଙ୍ଗଳବାର ମିଶ୍ରଣ ପର୍ବ ଥିଲା। ଏହା ଅତ୍ୟନ୍ତ ଜଘନ୍ୟ ଏବଂ ନୃଶଂସ କାଣ୍ଡ। ଏହାର ଦୃଢ଼ ନିନ୍ଦା କରୁଛି। ଯିଏ ଦୋଷୀ ସେ କଠୋର ଦଣ୍ଡ ପାଇବା ଉଚିତ।

ସୂଚନାଯୋଗ୍ୟ, ରାମଚନ୍ଦ୍ରଙ୍କୁ ଧରାକୋଟସ୍ଥିତ ବାସଭବନରୁ କେତେଜଣ ଦୁର୍ବୃତ୍ତ ଘରୁ ଡାକିନେଇ ଗୋଡ଼, ହାତ ହାଣି ଦେଇଥିଲେ। ତାଙ୍କୁ କଟକ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ରାମଚନ୍ଦ୍ର ପୂର୍ବରୁ ଆନନ୍ଦପୁର ବ୍ଲକ ଅଧ୍ୟକ୍ଷ ଥିଲେ।

Leave A Reply