+୩ ଅନ୍‌ଲାଇନ୍‌ ଆବେଦନ ପ୍ରକ୍ରିୟା ମଙ୍ଗଳବାର ଠାରୁ

0

ଭୁବନେଶ୍ୱର  : ରାଜ୍ୟରେ ସବୁ ଡିଗ୍ରୀ ଓ ସ୍ୱୟଂଶାସିତ କଲେଜ ସମେତ ସେଲ୍‌ଫ ଫାଇନାନ୍‌ସିଂ କଲେଜରେ ଯୁକ୍ତ ତିନି ପ୍ରଥମ ବର୍ଷ ଇ-ନାମଲେଖା ପାଇଁ ଅନ୍‌ଲାଇନ୍‌ ଆବେଦନ ପ୍ରକ୍ରିୟା ମଙ୍ଗଳବାର ଠାରୁ ଆରମ୍ଭ ହେବ ଏବଂ ଏହା ଜୁଲାଇ ୨୧ ପର୍ଯ୍ୟନ୍ତ ଚାଲିବ। ସୋମବାର ଏଥିପାଇଁ କମନ୍‌ ପ୍ରସ୍‌ପେକ୍‌ଟସ୍‌(ସିପି) ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୱେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରାଯାଇଛି। କଳା, ବାଣିଜ୍ୟ, ବିଜ୍ଞାନ ଓ ଶାସ୍ତ୍ରୀ ପାଠ୍ୟକ୍ରମରେ ଯୁକ୍ତ ତିନି ପ୍ରଥମ ବର୍ଷରେ ନାମଲେଖା ପାଇଁ ଉଚ୍ଚ ଶିକ୍ଷା ବିଭାଗ ୱେବ୍‌ସାଇଟ୍‌କୁ ଲଗ୍‌ ଅନ୍‌ କରି ଛାତ୍ରଛାତ୍ରୀ ‘କମନ୍‌ ଆପ୍ଲିକେସନ୍‌ ଫର୍ମ’ (ସିଏଏଫ୍‌) ପୂରଣ କରି ଅନ୍‌ଲାଇନ୍‌ରେ ଆବେଦନ କରିବାକୁ ହେବ। ଅନ୍‌ଲାଇନ୍‌ ଆବେଦନର ଶେଷ ତାରିଖ ଜୁନ୍‌ ୨୬ ରଖାଯାଇଛି। ଅନ୍‌ଲାଇନ୍‌ରେ ଆବେଦନ କରିଥିବା ପ୍ରିଣ୍ଟ କପି ଏବଂ ପୂରଣ କରାଯାଇଥିବା ସିଏଏଫ୍‌ ସହ ଆବଶ୍ୟକୀୟ କାଗଜାତ ଓ ଫି’ ସଂଲଗ୍ନ କରି ସାମସ୍‌ ରିସୋର୍ସ ସେଣ୍ଟରରେ ଜୁନ୍‌ ୨୭ସୁଦ୍ଧା ଦାଖଲ କରିବାକୁ ହେବ। ଏସ୍‌ଆର୍‌ସି ଦ୍ୱାରା ଅନ୍‌ଲାଇନ୍‌ ସିଏଏଫ୍‌ ଭାଲିଡେସନ୍‌ ଏବଂ ଅଫ୍‌ଲାଇନ୍‌ ସିଏଏଫ୍‌ ଡିଜିଟାଇଜେସନ୍‌ କରି ଇ-ସ୍ପେଶରେ ଅପ୍‌ଡେଟ୍‌ କରାଯିବାର ଶେଷ ତାରିଖ ଜୁନ୍‌ ୨୯ ରହିଛି। ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ଜୁଲାଇ ୩ ପୂର୍ବାହ୍ନ ୧୧ଟାରେ ପ୍ରକାଶ ପାଇବ। ପ୍ରଥମ ପର୍ଯ୍ୟାୟରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ଜୁଲାଇ ୪ରୁ ୭ ମଧ୍ୟରେ ନାମଲେଖାଇ ପାରିବେ।
ସେହିପରି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମେଧାତାଲିକା ଜୁଲାଇ ୧୧ରେ ପ୍ରକାଶ ପାଇବ ଏବଂ ମନୋନୀତ ଛାତ୍ରଛାତ୍ରୀ ଜୁଲାଇ ୧୨ ଓ ୧୩ରେ ନାମଲେଖାଇ ପାରିବେ। ଏହାପରେ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ କରାଯିବ। ଜୁଲାଇ ୧୬ରୁ ୧୮ ମଧ୍ୟରେ ବଳକା ସିଟ୍‌ ପାଇଁ ଅଫ୍‌ଲାଇନ୍‌ ସିଏଏଫ୍‌ ଦାଖଲ କରିପାରିବେ। ଅଫ୍‌ଲାଇନ୍‌ରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀଙ୍କ ମେଧାତାଲିକା ଜୁଲାଇ ୧୯ରେ ପ୍ରକାଶ ପାଇବ ଏବଂ ଏଥିରେ ମନୋନୀତ ଛାତ୍ରଛାତ୍ରୀ ଜୁଲାଇ ୨୧ ସୁଦ୍ଧା ନାମ ଲେଖାଇପାରିବେ।

Leave A Reply