‘କଳିଙ୍ଗ ସୁନ୍ଦରୀ ପୁରସ୍କାର ୨୦୨୨’, ସମ୍ମାନିତ ହେଲେ ୨୮ ପ୍ରେରଣାଦାୟୀ ମହିଳା
ଭୁବନେଶ୍ବର: କଳିଙ୍ଗ ଗୌରବ ସମ୍ମାନ ଏକ ରାଜ୍ୟସ୍ତରୀୟ ସମ୍ମାନ ୨୦୧୬ରେ କଳାର ବିକାଶ ତଥା କଳାର ସାମ୍ରାଜ୍ୟକୁ ପରିବ୍ୟାପ୍ତ କରିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିଲା। ଭାରତ ତଥା ଓଡ଼ିଶାର ଐତିହ୍ୟ ପରମ୍ପରା ଓ ସଂସ୍କୃତିକୁ ରୂପାନ୍ତରିତ କରିବା ଉଦ୍ଦେଶ୍ୟରେ ଟିମ୍ କଳିଙ୍ଗ ଗୌରବ ପକ୍ଷରୁ କଳିଙ୍ଗ ସୁନ୍ଦରୀର ପରିକଳ୍ପନା କରାଯାଇଥିଲା। ଇତି ମଧ୍ୟରେ କଳିଙ୍ଗ ସୁନ୍ଦରୀର ଷଷ୍ଠ ସଂସ୍କରଣ ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି। କଳିଙ୍ଗ ସୁନ୍ଦରୀ ପ୍ରତିଯୋଗୀତାର ଲୋକପ୍ରିୟତାକୁ ଆଧାର କରି ବର୍ତ୍ତମାନ ଏହା ରାଜ୍ୟ ସ୍ତରରୁ ରାଷ୍ଟ୍ରୀୟ ସ୍ତର ପର୍ଯ୍ୟନ୍ତ ପହଞ୍ଚିବା ସହ ଦେଶ ବିଦେଶରେ ମଧ୍ୟ ଆଦୃତ ହୋଇପାରିଛି। କରୋନା ମହାମାରୀ କାରଣରୁ କଳିଙ୍ଗ ସୁନ୍ଦରୀର ଅଡ଼ିସନ୍ ଭର୍ଚୁଆଲ୍ ମାଧ୍ୟମରେ କରାଯାଇଥିଲା, ଯେଉଁଥିରେ ୫୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସେଥିମଧ୍ୟରୁ ଶେଷ ପର୍ଯାୟକୁ ଉର୍ତ୍ତୀର୍ଣ୍ଣ ହୋଇଥିବା ୨୦ଜଣ ପ୍ରତିଯୋଗୀ ମଧ୍ୟରୁ ମିସ୍ ଏବଂ ମିସେସ୍ କଳିଙ୍ଗ ସୁନ୍ଦରୀ ମନୋନୀତ କରାଯାଇଥିଲା। ଏହା ସହ ମହିଳାମାନଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ମହିଳାମାନଙ୍କୁ ୨୮ଟି ଶ୍ରେଣୀରେ ‘ଆଇ ୱିମେନ୍ ସବଷ୍ଟାନ୍ସ ଆୱାର୍ଡ଼ସ୍ ୨୦୨୨’ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ‘ଆଦି ରାଣୀ’ର ସ୍ୱତନ୍ତ୍ର ସଂସ୍କରଣ ଉନ୍ମୋଚନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ମେୟର ସୁଲୋଚନା ଦାସ, ବରିଷ୍ଠ ପ୍ରଶାସକ ଦିଲ୍ଲୀପ ରାଉତରାୟ, ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥି, ଖଲିକୋଟ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି, ଜେସ୍ୱାଲ୍ ନେକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ଼ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଦିଲ୍ଲୀପ ମହାନ୍ତି, ମୁରାରିକା ଗ୍ରୁପ୍ ଅଫ୍ ଇଣ୍ଡଷ୍ଟ୍ରିସ ମୁଖ୍ୟ ନିର୍ଦେଶକ ସୁନୀଲ୍ ମୁରାରକା, ଟିମ ଆଡମାର୍କ ପରିଚାଳନା ନିର୍ଦେଶକ ନିଶିକାନ୍ତ ମିଶ୍ର, ଜାଭିୟର ଗ୍ରୁପ ଅଫ ସ୍କୁଲ ଅଧ୍ୟକ୍ଷ ଡ. ବଦ୍ରି ପଟ୍ଟନାୟକ, ଅବସରପ୍ରାପ୍ତ ପ୍ରଶାସକ ବିନୋଦ କୁମାର ପଣ୍ଡା, ଡ.ଚିଦାତ୍ମିକା ଖଟୁଆ ପ୍ରମୁଖ ଯୋଗ ଦେଇଥିଲେ।
ଏହି ସମାରୋହରେ ଟିମ୍ କଳିଙ୍ଗ ଆୱାର୍ଡ଼ସର ପ୍ରଭାତ ପୃଷ୍ଟି, ସ୍ମିତା କାନୁନଗୋ, ଡ. ରଜନୀକାନ୍ତ ମିଶ୍ର, ନରୋତ୍ତମ ମହାନ୍ତି ଓ ଅନନ୍ୟ ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ। ଡ.ଚିଦାତ୍ମିକା ଖଟୁଆ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.