୨୪୦୦ ବୋତଲ କଫ ସିରପ ଜବତ, ୧୨ ଗିରଫ

ପଶ୍ଚିମବଙ୍ଗକୁ ଲମ୍ବିଛି ଚେର

ସମ୍ବଲପୁର: ଓଡିଶା ସରକାର ନିଶା ନିବାରଣ ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ୨୦ ନଭେମ୍ବରରୁ ଆସନ୍ତା ୩୧ ଡିସେମ୍ବର ପର୍ଯ୍ୟନ୍ତ ଆରମ୍ଭ କରିଛନ୍ତି । ବୁଧବାର ଆରମ୍ଭ ହୋଇଥିବା ଏହି ଅଭିଯାନ ସମୟରେ ସମ୍ବଲପୁର ପୁଲିସକୁ ବଡ ଧରଣର ସଫଳତା ମିଳିଛି । ପଶ୍ଚିମବଙ୍ଗର କୋଲକତା ଅଞ୍ଚଳରୁ ସମ୍ବଲପୁର ଦେଇ ବୁର୍ଲା ଓ ବରଗଡ ଜିଲାକୁ ବିପୁଳ ମାତ୍ରାରେ ନିଶା କଫ ସିରପ ଚାଲାଣ ହେଉଥିବା ଖବର ପାଇ ପୁଲିସର ଏକ ସ୍ୱତନ୍ତ୍ର ଦଳ ହୀରାକୁଦ ଥାନା ପୁଲିସ ସହାୟତାରେ ଚଢ଼ାଉ କରି ୨୪ ଶହ ବୋତଲ କଫ ସିରପ ଜବତ କରିଛି। ୨ଟି ବୋଲେରୋ ପିକଅପ, ଏକ ସ୍କୁଟି, ୬ଟି ମୋବାଇଲ ଫୋନ ଏବଂ ନଗଦ ୩ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି । ଏହି ମାମଲାରେ ସମ୍ବଲପୁର ଓ ବରଗଡ ଜିଲାର ୧୨ ଜଣ ନିଶା ବେପାରିଙ୍କୁ ପୁଲିସ ଗିରଫ କରିଛି । ସ୍ଥାନୀୟ ଜିଲା ପୁଲିସ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଉତ୍ତରାଞ୍ଚଳ ରେଞ୍ଜ ଆଇଜି ହିମାଂଶୁ ଲାଲଙ୍କ ଉପସ୍ଥିତିରେ ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।

ଗିରଫ ହୋଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ବୁର୍ଲା ଥାନା ତାଲପଡା ନିବାସୀ ରାଜା ନାଗ (୨୯), ଗାନ୍ଧୀପଡା ନିବାସୀ ଆଜାଦ ବନଛୋର (୨୦), ଗୌରପାଲି ନିବାସୀ ଚାନ୍ଦ ବନଛୋର (୨୨), କୁଦାର୍ଥ ମହାନନ୍ଦ (୪୦),  ଓସିବି କଲୋନୀ ନିବାସୀ ରାଜା ଷଣ୍ଢ(୨୧), ଅଟାଚକି ପଡା ନିବାସୀ ଜିତୁ ନାଗ(୨୫), ସମ୍ବଲପୁର ଟାଉନ ଥାନା ବାଲିବନ୍ଧା ନିବାସୀ ଶୁଭମ ଗୁପ୍ତା(୨୯), କ୍ଷେତରାଜପୁର ଥାନା ମନ୍ଦଲିଆ ନିବାସୀ ଦଶରଥ ବେହେରା (୨୦), ବରଗଡ ଜିଲା ସାର ଫ୍ୟାକ୍ଟ୍ରି ନିବାସୀ ମହେନ୍ଦ୍ର ବଚ୍ଚା (୨୨), ଏକାମ୍ର ଛକ ନିବାସୀ ଆକାଶ ବାଗ (୨୧), ଆଶିଷ ଅଗ୍ରୱାଲ (୨୯) ଏବଂ ତେଲେନଟିକ୍ରା ନିବାସୀ ରାଜୀବ ସାହୁ (୨୩) ଙ୍କୁ ପୁଲିସ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ୫ ଜଣଙ୍କ ନାମରେ ପୂର୍ବରୁ ବିଭିନ୍ନ ମାମଲା ଥାନାରେ ରହିଛି। ହୀରାକୁଦ ଥାନା ଅନ୍ତର୍ଗତ ଭଙ୍ଗାମୁଣ୍ଡା ଗ୍ରାମ ନିକଟରେ ଥିବା ଏକ ଢ଼ାବା ନିକଟରେ ଅଚାନକ ଚଢ଼ଉ କରାଯାଇଥିଲା। ଏହି ନିଶା ଦ୍ରବ୍ୟଗୁଡିକ ସମ୍ବଲପୁର ଦେଇ ବୁର୍ଲା ଓ ବରଗଡ ଜିଲାକୁ ଚାଲାଣ କରାଯାଉଥିଲା । ଜବତ ହୋଇଥିବା ନିଶା ସାମଗ୍ରୀ ଗୁଡିକର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କା ହେବ ବୋଲି ଶ୍ରୀ ଭାମୁ କହିଛନ୍ତି। ସୂଚନାଯୋଗ୍ୟ, ଗତ ରବିବାର ଦିନ ସଦର ପୁଲିସ ୨୦ ଜଣଙ୍କୁ ଧରିବା ସହିତ ୨୨ ଶହ ୭୨ ବୋତଲ କଫ ସିରପ ଜବତ କରିଥିଲା । ଏହି ଅବସରରେ ଅତିରିକ୍ତ ଏସପି ଅଜୟ କୁମାର ମିଶ୍ର, ହରେଶ ପାଣ୍ଡେ, ସଦର ଏସଡିପିଓ ତୁଫାନ ବାଗ, ବୁର୍ଲା ଏସଡିପିଓ ଅମ୍ବିତ ମହାନ୍ତିଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।

Comments are closed.