ଟ୍ରକ ଚୋରି ମାମଲାରେ ୨ ଆନ୍ତଃରାଜ୍ୟ ଲୁଟେରା ଗିରଫ,ସ୍କୋର୍ପିଓ ଜବତ

କେନ୍ଦୁଝରଗଡ :କେନ୍ଦୁଝର ଟାଉନ ଥାନା ଅଞ୍ଚଳରୁ ଗତ ୭ମାସ ମଧ୍ୟରେ ୬ଟି ଟ୍ରକ ଚୋରି ମାମଲାରେ ଟାଉନ ଥାନା ପୁଲିସ ୨ ଆନ୍ତଃରାଜ୍ୟ ଲୁଟେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଲୁଟେରାଙ୍କୁ ଟାଉନ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଝାରଖଣ୍ଡ ରାଜ୍ୟ ପଶ୍ଚିମ ସିଂହଭୂମ ଜିଲା ମଝିଗାଁ ଥାନା ଖରପୋସ ଗ୍ରାମର ସଜରୁଲ ହୁସେନ (୩୪) ଓ ମଝିଗାଁର ମଇତୁଲ ସାଇ ଓରଫ ମୁନା (୨୮) ବୋଲି ଶନିବାର ଟାଉନ ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲ୍ଲୀପ କୁମାର ନାୟକ ଏହି ସୂଚନା ଦେଇଛନ୍ତି । ଗିରଫ ଏହି ଲୁଟେରା ମାନେ ଓଡିଶାରୁ ଟ୍ରକ ଚୋରି କରିବା ପରେ ତାକୁ ଖଣ୍ଡ ଖଣ୍ଡ କରି କାଟି ପଶ୍ଚିମବଙ୍ଗ ଓ ଝାରଖଣ୍ଡ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ରି କରୁଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା ।

ଚଳିତବର୍ଷ ମାର୍ଚ୍ଚ ମାସରେ ଟାଉନ ଥାନା ଅଞ୍ଚଳରୁ ଏହି ଲୁଟେରା ମାନେ ପ୍ରଥମେ ଟ୍ରକ ଚୋରି କରିବା ପରେ ଜୁଲାଇ ୨୪ ତାରିଖ ସୁଦ୍ଧା ମୋଟ ୬ଟି ଟ୍ରକ ଚୋରି କରିଥିବା ନେଇ ଟାଉନ ଥାନାରେ ପୃଥକ ପୃଥକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି । ଏସ ପି ଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ୨୮ ଜୁଲାଇ ୨୦୨୩ରେ ପ୍ରଥମେ ଝାରଖଣ୍ଡ ରାଜ୍ୟର ଖରସୁଆଁରେ ଚଢ଼ାଉ କରି ଗୋଟିଏ ଟ୍ରକ ଜବତ କରିବା ସହିତ ପୋଲିସ ମହମ୍ମଦ ୱାସିମକୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ୱାସିମକୁ ଗିରଫ କରି ପଚରାଉଚୁରା ସମୟରେ ଏହି ଟ୍ରକ ଚୋରି କିଙ୍ଗପିନ ମାନଙ୍କର ନାମ କହିଥିଲା । ଗିରଫ ଅଭିଯୁକ୍ତ ୱାସିମର ବୟାନକୁ ଭିତ୍ତିକରି ପୁଲିସ ଚଢ଼ଉ କରି ଝାରଖଣ୍ଡ ରାଜ୍ୟ ପଶ୍ଚିମ ସିଂହଭୂମ ଜିଲା ମଝିଗାଁ ଥାନା ଖରପୋସ ଗ୍ରାମର ସଜରୁଲ ହୁସେନ (୩୪) ଓ ମଝିଗାଁର ମଇତୁଲ ସାଇ ଓରଫ ମୁନା (୨୮) କୁ ଶୁକ୍ରବାର ରାତିରେ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି । ଗିରଫ ଏହି ଅଭିଯୁକ୍ତଦ୍ୱୟ ଟ୍ରକକୁ ଓଡିଶାରୁ ଚୋରି କରିବା ପରେ ତାକୁ ଖଣ୍ଡ ଖଣ୍ଡ କରି କାଟି ବାହାର ରାଜ୍ୟରେ ବିକ୍ରି କରୁଥିବା ପୁଲିସ ଆଗରେ ସ୍ୱୀକାର କରିଛନ୍ତି । ଏଥିସହ ଲୁଟେରାମାନଙ୍କ ନିକଟରୁ ପୁଲିସ ଜେ.ଏଚ-୦୫ବି.ଏଫ-୦୭୩୫ ନମ୍ବର ଏକ ସ୍କୋର୍ପିଓ ଏବଂ ୨ଟି ମୂଲ୍ୟବାନ ମୋବାଇଲ ଫୋନକୁ ଜବତ କରିଛି । ତେବେ ଏହି ଟ୍ରକ ଚୋରି ମାମଲାରେ କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅଞ୍ଚଳର ଆଉଜଣେ କିଙ୍ଗପିନ୍‍ ଥିବାବେଳେ ତାକୁ ମଧ୍ୟ ଖୁବ୍‍ ଶିଘ୍ର ଗିରଫ କରାଯିବ ବୋଲି ଟାଉନ ଥାନା ଅଧିକାରୀ ସୁନୀଲ କୁମାର କର ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ।

Comments are closed.