ନେତାଙ୍କ ସୁରକ୍ଷା ଚକ୍ର , ଠିକ୍ ନିଷ୍ପତ୍ତିର ବିରୋଧ ନହେଉ
ରାଜନେତାଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଦେଶରେ ସର୍ବଦା ଚର୍ଚ୍ଚା ଲାଗି ରହିଛି। ସରକାର ପରିବର୍ତ୍ତନ ହେବା ମାତ୍ରେ ନେତାଙ୍କ ସୁରକ୍ଷାରେ ମଧ୍ୟ ପରିବର୍ତ୍ତନ ହୋଇ ଥାଏ। ନିକଟରେ ମହାରାଷ୍ଟ୍ର ସରକାର ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ଫଡନବିସ୍ଙ୍କ ସମେତ ଆଉ କେତେକ ବିରୋଧୀ ଦଳ ନେତାଙ୍କ ସୁରକ୍ଷା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ନେଇ ବିଜେପି ଅସନ୍ତୋଷ ପ୍ରକାଶ କରିଛି। ପୂର୍ବରୁ ବିଜେପି ନେତୃତ୍ବାଧୀନ କେନ୍ଦ୍ରର ଏନଡିଏ ସରକାର ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ପୁତ୍ର ରାହୁଳଙ୍କ ସମେତ ଆଉ କେତେଜଣ ବିରୋଧୀ ଦଳ ନେତାଙ୍କ ସୁରକ୍ଷା ହ୍ରାସ କରିଥିଲେ। ସେତେବେଳେ କଂଗ୍ରେସ ଏହାକୁ ବିରୋଧ କରିଥିଲା। ସରକାରଙ୍କ ଯେ କୌଣସି ନିଷ୍ପତ୍ତିକୁ ବିରୋଧ କରିବା ସେମାନଙ୍କ ଧର୍ମ ବୋଲି କେତେକ ବିରୋଧୀ ଦଳ ମାନି ନେଇଛନ୍ତି। ନେତାଙ୍କ ସୁରକ୍ଷା ସେମାନଙ୍କ ଆଭିଜାତ୍ୟର ପରିଚୟ ଦେଉଥିବା କେତେକ ମାନି ନେଇଛନ୍ତି। ଯେଉଁ ନେତାଙ୍କଠାରେ ଯେତେ ସୁରକ୍ଷା କର୍ମୀ ନିୟୋଜିତ ସେ ସେତେ ଶକ୍ତିଶାଳୀ ବୋଲି ଏକ ଧାରଣା ସଭିଙ୍କ ମନରେ ରହିଛି। ଏବେ ଦେଶର ୧୯ ହଜାର ଭିଆଇପିଙ୍କ ସୁରକ୍ଷା ପାଇଁ ୬୬ ହଜାର ପୁଲିସ୍ କର୍ମୀ ନିୟୋଜିତ। ଅନ୍ୟପକ୍ଷରେ ଦେଶର ବିଭିନ୍ନ ଥାନାରେ ୫ ଲକ୍ଷ ପୁଲିସ୍ ପଦ ଖାଲି ପଡ଼ିଛି। ଓଡ଼ିଶାରେ ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ପ୍ରାୟ ୧୩୦ ଜଣ ପୁଲିସ କର୍ମଚାରୀ ନିୟୋଜିତ ଅଛନ୍ତି। ସେହିପରି ପ୍ରତି ୩,୮୩୩ ଜଣ ମହିଳାଙ୍କ ପାଇଁ ଜଣେ ଲେଖାଏଁ ମହିଳା ପୁଲିସ କର୍ମଚାରୀ ରହିଛନ୍ତି। ବିଚ୍ଛିନ୍ନାଞ୍ଚଳଗୁଡ଼ିକରେ ଥିବା ଥାନାରେ ଏଯାଏ ଯୋଗାଯୋଗ ବ୍ୟବସ୍ଥା କରାଯାଇ ନାହିଁ। ସେହିପରି ଆଉ କେତେକ ଥାନାରେ ଗାଡ଼ି ମଧ୍ୟ ନାହିଁ। ଅପରାଧୀମାନେ ଥାନା ଉପରେ ଆକ୍ରମଣ କରି ହାଜତରେ ଥିବା ସେମାନଙ୍କ ସହଯୋଗୀଙ୍କୁ ନେଇ ଯାଉଥିବା ପରି ଘଟଣା ଅଧିକାଂଶ ସମୟରେ ଦେଖିବାକୁ ମିଳୁଛି। ଦେଶର ସମସ୍ତ ଥାନାର ଭିତ୍ତିଭୂମି ଏ ପର୍ଯ୍ୟନ୍ତ ସଜଡ଼ା ଯାଇପାରିନାହିଁ। ଏପରି କ୍ଷେତ୍ରରେ ସରକାରୀ ଅର୍ଥର ବୃହତ୍ ଭାଗ ରାଜନେତାଙ୍କ ସୁରକ୍ଷାରେ ଖର୍ଚ୍ଚ କରିବା ଯୁକ୍ତିଯୁକ୍ତ କି ?
ପ୍ରଶ୍ନ ଉଠୁଛି ନେତାଙ୍କ ଉପରେ ବିପଦ କେଉଁଆଡ଼ୁ ରହିଛି ? ହାତଗଣତି କେତେକ ନେତା ଓ ଭିଆଇପିଙ୍କୁ ଠିକ୍ ସୁରକ୍ଷା ଯୋଗାଇଦେବା କଥା। ତେବେ ସରକାର ବଦଳିବା ମାତ୍ରକେ ନେତାଙ୍କ ସୁରକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଘଟୁଛି। କ୍ଷମତାସୀନ ଦଳ ନିଜ ଦଳର ଯେ କୌଣସି ନେତାଙ୍କୁ ସୁରକ୍ଷା ଯୋଗାଇ ଦେଉଛନ୍ତି। ଏହାଦ୍ବାରା ଜନସାଧାରଣଙ୍କ ଅର୍ଥ ବରବାଦ୍ ହେଉଛି। ସମୁଦାୟ ସୁରକ୍ଷା ବ୍ୟବସ୍ଥାର ବୃହତ୍ ଭାଗ ସୁରକ୍ଷା କର୍ମୀ ନେତାଙ୍କ ସୁରକ୍ଷାରେ ନିୟୋଜିତ ହେଉଛନ୍ତି। ବିଗତ କିଛି ବର୍ଷ ହେଲା ଦେଶରେ ଆତଙ୍କବାଦ ଓ ନକ୍ସଲବାଦ ବଢି ଚାଲିଛି। କାଶ୍ମୀର, ଛତିଶଗଡ଼ ଓ ପୂର୍ବୋତ୍ତର ରାଜ୍ୟଗୁଡ଼ିକରେ ରାଜନେତାଙ୍କ ପ୍ରତି ବିପଦ ଅଧିକ। ତେଣୁ ଏହି ସବୁ ଅଞ୍ଚଳରେ ଥିବା ରାଜନେତାଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବା ଜରୁରୀ ା ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ଥିବା ରାଜନେତାଙ୍କୁ ସୁରକ୍ଷା ବଳୟରେ ରଖିବାର କ’ଣ ଆବଶ୍ୟକତା ଅଛି? ଯଦି ଏପରି ନେତାଙ୍କ ସୁରକ୍ଷା କଥା ଚିନ୍ତା କରାଯାଉଛି, ତେବେ ସେମାନଙ୍କୁ ସାଧାରଣ ସୁରକ୍ଷା ଯୋଗାଇ ଦିଆଯିବା ଆବଶ୍ୟକ। ସମସ୍ତ ନେତାଙ୍କୁ ଜେଡ+ ସୁରକ୍ଷା ଯୋଗାଇ ଦେବା ଅଯଥାର୍ଥ ମନେହୁଏ।
କେଉଁ ନେତାଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ଓ କାହାକୁ ନୁହେଁ- ଏ ସଂକ୍ରାନ୍ତରେ ସରକାର ନିଷ୍ପତ୍ତି ନେଇଥା’ନ୍ତି। ବାସ୍ତବରେ କେନ୍ଦ୍ର ଗୁଇନ୍ଦା ବିଭାଗ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବା କଥା। ତେବେ ଗୁଇନ୍ଦା ବିଭାଗର ରିପୋର୍ଟ ଅପେକ୍ଷା ରାଜନୈତିକ ସ୍ତରରେ ଏହି ନିଷ୍ପତ୍ତି ନିଆଯାଉଛି। ଏହି ପ୍ରସଙ୍ଗ ଉପରେ ଖୋଲାଖୋଲି ଚର୍ଚ୍ଚା ହେବା ଆବଶ୍ୟକ। ଏ ସଂକ୍ରାନ୍ତରେ ଆଇନ ପ୍ରଣୟନ ହେବା ଜରୁରୀ। ଏପରି ହେଲେ ଆଉ କେହି ସରକାରୀ ନିଷ୍ପତ୍ତିକୁ ବିରୋଧ କରିବେ ନାହିଁ। ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କୁ ବାଦ୍ ଦେଇ ଅନ୍ୟ ନେତାଙ୍କ ସୁରକ୍ଷା ପାଇଁ ସମସ୍ତଙ୍କ ସମ୍ମତିରେ ନୀତି ପ୍ରଣୟନ ହେବା ଆବଶ୍ୟକ। ସମସ୍ତ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ସୁରକ୍ଷା ପାଇଁ ବିଶାଳ ସଂଖ୍ୟକ ସୁରକ୍ଷା କର୍ମୀ ନିୟୋଜିତ କରିବାର ଆବଶ୍ୟକତା ନାହିଁ। ନେତୃବର୍ଗ ଜାଣିବା ଉଚିତ ଯେ କାର୍ଯ୍ୟ ହିଁ ସେମାନଙ୍କର ଖ୍ୟାତି ବଢ଼ାଇଥାଏ ଓ ଜନତାଙ୍କଠାରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥାଏ, ସୁରକ୍ଷା ବ୍ୟବସ୍ଥା ନୁହେଁ। ସରକାରରେ ଥିବା ନେତା ଯେତେବେଳେ ବିପକ୍ଷରେ ବସେ, ସେତେବେଳେ ତାଙ୍କ ସ୍ବର ବଦଳି ଯାଇଥାଏ। ବିରୋଧୀ ପକ୍ଷର ନେତାଙ୍କ ସୁରକ୍ଷା ହ୍ରାସ ପାଇଁ କେନ୍ଦ୍ରରେ ବିଜେପି ସରକାର ଯୁକ୍ତି ବାଢୁଥିବାବେଳେ ମହାରାଷ୍ଟ୍ରରେ ବିରୋଧୀ ଦଳରେ ଥିବାରୁ ସେଠାରେ ବିରୋଧ କରୁଛି। ଇଂରେଜ ସିନା ଦେଶ ଛାଡ଼ି ଚାଲିଗଲେ, ହେଲେ ଆମକୁ ଭିଆଇପି ହେବାର ଅପସଂସ୍କୃତି ଦେଇଗଲେ। ଏପରି ଅପସଂସ୍କୃତିରୁ ଦେଶ ମୁକୁଳି ପାରିଲେ ଆମେ ଗଣତନ୍ତ୍ରର ପ୍ରକୃତ ସ୍ବାଦ ଜାଣିପାରିବା।
Comments are closed.