ନୁଆଦିଲ୍ଲୀ: ଗରିବ ଓ ବାସହୀନଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ସୁନିଶ୍ଚିତ କରିବାକୁ ଗୋଷ୍ଠୀ (କମ୍ୟୁନିଟି) ରୋଷଶାଳା ନିର୍ମାଣ ସଂକ୍ରାନ୍ତ ଏକ ମାମଲାରେ ଓଡ଼ିଶା ସରକାରଙ୍କ ତରଫରୁ ତଥ୍ୟ ଉପସ୍ଥାପନାରେ ବିଫଳତା ପାଇଁ ବର୍ଷିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଗତ ୧୦ ଫେବୃଆରୀ ଶୁଣାଣି ବେଳେ ଜବାବ ଦାଖଲରେ ବିଫଳ ରାଜ୍ୟଗୁଡ଼ିକୁ ସୁପ୍ରିମକୋର୍ଟ ୫ ଲକ୍ଷ ଟଙ୍କା ଜୋରିମାନା ଦଣ୍ଡାଦେଶ କରିଥିଲେ। ଖିଲାପି ରାଜ୍ୟ ତାଲିକାରେ ଓଡ଼ିଶା ସମେତ କେତେକ ରାଜ୍ୟ ରହିଥିଲେ। ତଦନୁଯାୟୀ ଫେବୃଆରୀ ୧୪ରେ ତେଲଙ୍ଗାନା ରାଜ୍ୟ ୫ ଲକ୍ଷ ଜୋରିମାନା ରାଶି ସହ ଜବାବ ଦାଖଲ କରିଥିଲା। ଗତକାଲି ବିଚାରପତି ଏନ ଭି ରମନ୍ନା ଓ ବିଚାରପତି ଭି ରାମସୁବ୍ରମଣ୍ୟଙ୍କ ଖଣ୍ଡପୀଠ ମାମଲାର ଶୁଣାଣି ବେଳେ ଓଡ଼ିଶା ସମେତ କେତେକ ରାଜ୍ୟ ପୂର୍ବଭଳି ଜବାବ ଦାଖଲରେ ବିଫଳ ହୋଇଥିବା ନେଇ ଜଣାପଡ଼ିଥିଲା। ଏଭଳି ଏକ ସମ୍ବେଦନଶୀଳ ମାମଲାକୁ ଖିଲାପି ରାଜ୍ୟ ସରକାର ହାଲୁକା ଭାବେ ନେଉଥିବାରୁ ବିଚାରପତି ଏନ ଭି ରମନ୍ନା ଅସନ୍ତୋଷ ପ୍ରକାଶ କରିଥିଲେ। ଜବାବ ଦାଖଲରେ ବିଫଳ ରାଜ୍ୟ ଓଡ଼ିଶା, ଗୋଆ, ମହାରାଷ୍ଟ୍ର, ମଣିପୁର ଓ ଦିଲ୍ଲୀ ସରକାରଙ୍କୁ ଅତିରିକ୍ତ ଭାବେ ୫ ଲକ୍ଷ ଟଙ୍କାର ଜୋରିମାନା ଦାଖଲ ପାଇଁ ନିର୍ଦେଶ ଦେଇଥିଲେ। ଫଳରେ ଜୋରିମାନା ରାଶି ବାବଦକୁ ଏଣିକି ଓଡ଼ିଶା ସରକାରଙ୍କୁ ସୁପ୍ରିମକୋର୍ଟ ରେଜିଷ୍ଟ୍ରିରେ ୧୦ ଲକ୍ଷ ଟଙ୍କା ଜୋରିମାନା ରାଶି ଜମା କରିବାକୁ ପଡ଼ିବ।
ଦେଶର ପ୍ରତ୍ୟେକ ନାଗରିକ ଯେଭଳି ଖାଦ୍ୟ ପାଇବାରୁ ବଞ୍ଚିତ ହେବେ ନାହିଁ ସେଥିପାଇଁ ଖାଦ୍ୟକୁ ଏକ ଅଧିକାର ଭାବେ ଆଇନଗତ ମାନ୍ୟତା ଦେବା ସହ ଗରିବ ଓ ବାସହୀନଙ୍କ ନିମନ୍ତେ ସାମୁଦାୟିକ ରୋଷଶାଳା ନିର୍ମାଣ କରି ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଆଗତ ହୋଇଥିଲା। ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଗତ ଅଗଷ୍ଟରେ ନୋଟିସ ଜାରି କରିଥିଲେ। ପିଟିସନରେ ଓଡ଼ିଶାର ଆହାର କେନ୍ଦ୍ର, ତାମିଲନାଡୁର ଆନ୍ନା ଉନାଭାଗମ, ରାଜସ୍ଥାନର ଅନ୍ନପୂର୍ଣ୍ଣା ରୋେଷଇ, କର୍ଣ୍ଣାଟକର ଇନ୍ଦିରା କ୍ୟାଣ୍ଟିନ, ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଡାଲ ଭାତ ଯୋଜନା, ଆନ୍ଧ୍ର ପ୍ରଦେଶର ଆନ୍ନା କ୍ୟାଣ୍ଟିନ ଏବଂ ଦିଲ୍ଲୀର ଆମ ଆଦମି କ୍ୟାଣ୍ଟିନର ସଫଳ ପରିଚାଳନା ବିଷୟରେ ଉଲ୍ଲେଖ କରାଯାଇଥିଲା। ପ୍ରକାଶ ଯେ ସୁପ୍ରିମକୋର୍ଟ ସମେତ ଦିଲ୍ଲୀର ବିଭିନ୍ନ ଅଦାଲତରେ ଖାମଖିଆଲି ଢ଼ଙ୍ଗରେ ମାମଲା ପରିଚାଳନା ଜାତୀୟସ୍ତରରେ ଓଡ଼ିଶା ସରକାରଙ୍କ ଭାବମୂର୍ତ୍ତିକୁ ମଳିନ କରୁଛି। ଏପରିକି ବାରମ୍ବାର ଅପଦସ୍ଥ ହେବା ସହ ଜୋରିମାନା ରାଶି ଗଣିବାକୁ ପଡ଼ୁଛି। ଚଳିତ ମାସ ଫେବୃଆରୀ ୪ରେ ଗଞ୍ଜାମ ଜିଲା ବେଆଇନ ଇଟାଭାଟି ମାମଲାରେ ଜାତୀୟ ସବୁଜ ପ୍ରାଧିକରଣରେ ରାଜ୍ୟ ମୁଖ୍ୟ ସଚିବ ଅସିତ ତ୍ରିପାଠୀ ବ୍ୟକ୍ତିଗତ ଭାବେ ହାଜର ହୋଇ ଓଡ଼ିଶା ସରକାରଙ୍କ ପକ୍ଷ ରଖିଥିଲେ।



