ରାଜନୀତିର ବିଚିତ୍ର ଗତି

0

ଛାୟାକାନ୍ତ ଷଡ଼ଙ୍ଗୀ

prayash

ନିର୍ବାଚନ ଯେତିକି ଆଗେଇ ଆସୁଛି, ନେତାମାନଙ୍କ ଦଳତ୍ୟାଗ ଓ ନୂତନ ଦଳରେ ଯୋଗଦାନ ସଂଖ୍ୟା ବଢ଼ି ଚାଲିଛି। ବିରୋଧୀ ଦଳରେ ଥାଇ ଶାସକ ଦଳକୁ ଅପାରଗ ଓ ଦୁର୍ନୀତିଗ୍ରସ୍ତ କହି କଟୁ ସମାଲୋଚନା କରିଆସୁଥିବା ନେତା ହଠାତ୍‌ ସେହି ଶାସକ ଦଳରେ ଯୋଗ ଦେବା ଆଜି ଆଉ ବିସ୍ମୟର ଖବର ହୋଇନାହିଁ। ନିର୍ଦିଷ୍ଟ ଆଦର୍ଶକୁ ଆଧାରକରି ଏ ରାଜନୈତିକ ଦଳ ଗଠିତ ହୋଇଥାଏ। ଯେଉଁମାନେ ସେହି ଆଦର୍ଶରେ ବିଶ୍ବାସ କରନ୍ତି ସେମାନେ ସେହି ଦଳରେ ଯୋଗ ଦିଅନ୍ତି। ମାତ୍ର ସଂପ୍ରତି କେଉଁ ନେତା କେଉଁ ଆଦର୍ଶରେ ବିଶ୍ବାସ କରନ୍ତି ତାହା ବୁଝିବା ଅତ୍ୟନ୍ତ କଷ୍ଟକର, କାରଣ ସେମାନଙ୍କ ଆଦର୍ଶ ବାରମ୍ବାର ବଦଳୁଛି । ଏହି ପ୍ରସଙ୍ଗରେ ମନେପଡ଼ୁଛି ଏକ ଫରାସୀ ଲୋକକଥା। ଗୋଟିଏ ଦ୍ବୀପରେ ଅନେକ ପ୍ରକାର ଜୀବଜନ୍ତୁ ଥିଲେ, ମାତ୍ର ଏଣ୍ଡୁଅ ନଥିଲା। ରାଜା ଘୋଷଣା କଲେ ଯିଏ ଏଣ୍ଡୁଅଟିଏ ଯୋଗାଡ଼ କରିପାରିବ ତାକୁ ଏକଶତ ସ୍ବର୍ଣ୍ଣମୁଦ୍ରା ପୁରସ୍କାର ଦିଆଯିବ। ତିନିଜଣ ବନ୍ଧୁ ଏଣ୍ଡୁଅ ସନ୍ଧାନରେ ବାହାରିଲେ ଏକ ନୂଆରାଜ୍ୟକୁ। ଗୋଟିଏ ଏଣ୍ଡୁଅ ସଂଗ୍ରହ କରି ଏକ ବାକ୍ସରେ ତାକୁ ପୂରାଇ ବୋଇତରେ ନିଜ ଦେଶକୁ ଫେରିଲେ। ରାଜାଙ୍କଠାରୁ ଏକଶତ ମୁଦ୍ରା ପୁରସ୍କାର ପାଇବେ ବୋଲି ସେମାନଙ୍କ ଆନନ୍ଦର ସୀମା ନଥାଏ। ଜଣେ ବନ୍ଧୁ କହିଲା, ଏ ଅଦ୍ଭୁତ ସବୁଜ ଜୀବଟିକୁ ଦେଖିଲେ ରାଜା ଭାରି ଖୁସି ହେବେ।’ ଦ୍ବିତୀୟ ଜଣକ କହିଲା ‘ରାଜା ନିଶ୍ଚୟ ଖୁୂସି ହେବେ, କିନ୍ତୁ ତୁମେ ଭୁଲ କହୁଛ। ଏ ଜୀବଟି ସବୁଜ ନୁ​‌େ​‌​‌ହଁ ଲାଲ।’ ତୃତୀୟ ବନ୍ଧୁ କହିଲା, ‘ତୁମେ ଦୁଇଜଣ ଭୁଲ କହୁଛ, କାରଣ ଏଣ୍ଡୁଅର ରଙ୍ଗ ମାଟିଆ।’ ତିନିଜଣ ବନ୍ଧୁଙ୍କ ମଧ୍ୟରେ ଏଣ୍ଡୁଅର ରଙ୍ଗକୁ ନେଇ ଯୁକ୍ତିତର୍କ ଚାଲିଲା। ଶେଷରେ ବାକ୍ସଟି ଖୋଲାଗଲା। ଦେଖାଗଲା ଏଣ୍ଡୁଅଟି ଧଳା ଦିଶୁଛି। ତିନିଜଣଯାକ ବିସ୍ମିତ ହେଲେ। ଠିକ୍‌ ସେହି ସମୟରେ ଏଣ୍ଡୁଅଟି ବାକ୍ସଭିତରୁ ବାହାରକୁ ଖସିଯାଇ ବଣ ଭିତରକୁ ଚାଲିଗଲା। ବହୁବର୍ଷ ତଳେ ବିଶିଷ୍ଟ କଥାକାର ମନୋଜ ଦାସ କହିଥିଲେ, ‘ପ୍ରାଗୈତିହାସିକ କାଳରୁ ଜୀବଜଗତକୁ ନେଇ କେତେ ପ୍ରକାର ପରୀକ୍ଷା କରିଆସିଛି ପ୍ରକୃତି। ଏଣ୍ଡୁଅକୁ ଘନଘନ ରଙ୍ଗ ବଦଳାଇବାର ଶକ୍ତି ବା ଗୁଣ ଦାନ କରି ସେ ଯେଉଁ ପରୀକ୍ଷା ଆରମ୍ଭ କରିଥିଲା, ତାହା ନିଶ୍ଚେ ଆଜି ଶେଷ ହୋଇନାହିଁ। ସେହି ଅସମାପ୍ତ ପରୀକ୍ଷା ଆଜିର ରାଜନୀତି ଅଭିଳାଷୀମାନଙ୍କ, ଚରିତ୍ର ଉପରେ ଦେଇ ପ୍ରକୃତି ପୁନର୍ବାର ଆରମ୍ଭ କରିଛି ବୋଲି ମନେ ହୁଏ।’ ଆଜି ଭାରତର ରାଜନୈତିକ ଦୃଶ୍ୟପଟରେ ବାରମ୍ବାର ରଙ୍ଗ ବଦଳାଉଥିବା ଏଣ୍ଡୁଅମାନଙ୍କ ସଂଖ୍ୟା ବଢ଼ିଚାଲିଛି।
ନେତାମାନଙ୍କ ରଙ୍ଗ ବଦଳେ ଠିକ୍‌ ନିର୍ବାଚନ ପୂର୍ବରୁ। ଯଦି ସେମାନେ କୌଣସି କାରଣ-ବଶତଃ ନିର୍ବାଚନ ରଣାଙ୍ଗନରେ ଛିଡ଼ାହେବାପାଇଁ ଟିକେଟ୍‌ ପାଆନ୍ତି ନାହିଁ, ସଙ୍ଗେସଙ୍ଗେ ପ୍ରତିକ୍ରିୟାଶୀଳ ହୁଅନ୍ତି ଓ ନିଜଦଳର ହାଇକମାଣ୍ଡଙ୍କୁୁ ସମାଲୋଚନା କରନ୍ତି। ପରବର୍ତ୍ତୀ ସମୟରେ ଯେଉଁ ଦଳକୁ ସେମାନେ ଶତ୍ରୁ ବିଚାର କରୁଥିଲେ ସେମାନେ ସେହି ଦଳରେ ଯୋଗ ଦିଅନ୍ତି। କୌଣସି କାରଣରୁ ଗୋଟିଏ ଆଦର୍ଶକୁ ଛାଡ଼ି ଅନ୍ୟ ଏକ ଆଦର୍ଶକୁ ଆପଣେଇ ନେବାରେ କିଛି ଆପତ୍ତି ନାହିଁ। ମାତ୍ର ଗୋଟିଏ ଆଦର୍ଶକୁ ତ୍ୟାଗ କରି ଆଉ ଏକ ଆଦର୍ଶକୁ ଆପଣେଇ ନେବାର କିଛିଦିନ ପରେ ତାକୁ ଛାଡ଼ି ପୁଣି ପୂର୍ବ ଆଦର୍ଶକୁ ଫେରିବା ଏକ ପ୍ରହସନ ଓ ପ୍ରତାରଣା। ଏହାକୁ ପୁଣି ଘର ବାହୁଡ଼ା କହିବା ଆହୁରି ଲଜ୍ଜାଜନକ। ଏହି ଦଳବଦଳ ପଛରେ କୌଣସି ଆଦର୍ଶର ପ୍ରଭାବ ନଥାଏ, ରହିଥାଏ କ୍ଷମତାଲୋଭ ଓ ଆସନ ପ୍ରାପ୍ତିର ଆଶା। ଚାଣକ୍ୟ କହିଥିଲେ ‘କାମାତୁରାଣାଂ ନ ଲଜ୍ଜା ନ ଭୟ, ଅର୍ଥାତୁରାଣାଂ ନ ପିତା ନ ବନ୍ଧୁଃ, ସତ୍ତାତୁରାଣାଂ ନ ଦଳଃ ନ ରାଷ୍ଟ୍ର। ଅର୍ଥାତ୍‌ ଯେଉଁମାନେ କାମାତୁର, ସେମାନଙ୍କର ଲଜ୍ଜା କିମ୍ବା ଭୟ ନଥାଏ। ​‌େଯଉଁମାନେ ଅର୍ଥଲୋଭୀ ସେମାନେ ପିତା ବା ବନ୍ଧୁଙ୍କ ପ୍ରତି ମଧ୍ୟ ମମତା ରଖନ୍ତି ନାହିଁ ଓ ଯେଉଁମାନେ ଶାସନ କ୍ଷମତାଲୋଭୀ ସେମାନେ ଦଳ ବା ରାଷ୍ଟ୍ରକୁ ମଧ୍ୟ ବଳି ଦେଇପାରନ୍ତି।
ସଂପ୍ରତି ସିନେମା ଜଗତର ଅଭିନେତା- ଅଭିନେତ୍ରୀ ରାଜନୈତିକ କ୍ଷେତ୍ରରେ ପ୍ରବେଶ କରି ବସିଲେଣି। ଅଭିନେତାମାନେ ଯେ ସଫଳ ନେତା ହୋଇପାରିବେ ନାହିଁ, ସେ କଥା କୁହାଯାଉନାହିଁ, କିନ୍ତୁ ଦଳର ହାଇକମାଣ୍ଡ ସେମାନଙ୍କ ପ୍ରତିଭା କଥା ବିଚାର କରି ନଥାନ୍ତି। ସେମାନଙ୍କର ଜନପ୍ରିୟତାକୁ ପୁଞ୍ଜି କରି ସେମାନଙ୍କୁ ଦଳମଧ୍ୟରେ ସାମିଲ କରାଯାଏ। ଆଉ ଅଭି‌ନେତା- ଅଭିନେତ୍ରୀମାନେ କହନ୍ତି ଜନସେବା କରିବା ପାଇଁ ତାଙ୍କର ଇଚ୍ଛା ହେବାରୁ ସେମାନେ ରାଜନୀତିରେ ଯୋଗ ଦେଉଛନ୍ତି। ସତେ ଯେପରି ସେବା କରିବା ପାଇଁ ରାଜନୀତିକୁ ଛାଡ଼ି ଆଉ ଅନ୍ୟ କ୍ଷେତ୍ର ନାହିଁ। ଭୁଲିଯିବା ଉଚିତ ନୁହେଁ ​‌ରାଜନୀତି ଆଉ ସେବାର କ୍ଷେତ୍ର ହୋଇନାହିଁ। ବିଧାୟକ ଓ ସାଂସଦ, ଉଚ୍ଚଦରମା, ଭତ୍ତା ଓ ପେନସନ ପାଉଛନ୍ତି। ଯେଉଁ କର୍ମରେ ଅର୍ଥପ୍ରାପ୍ତିର ଆଶା ଥାଏ ସେହି କର୍ମ ସେବା ପଦବାଚ୍ୟ ନୁହେଁ। ଲକ୍ଷ୍ୟ କରାଯାଉଛି ଜଣେ ଥରେ ବିଧାୟକ, ସାଂସଦ ବା ମନ୍ତ୍ରୀ ହେଲେ କମ ସମୟ ମଧ୍ୟରେ ସେ ଅମାପ ଧନର ଅଧିକାରୀ ହେଉଛନ୍ତି। ଭାରତର ଦୁର୍ଭାଗ୍ୟ ଜନତା ବାରମ୍ବାର ରଙ୍ଗ ବଦଳାଉଥିବା ନେତାମାନଙ୍କୁ ଯେପରି ନିର୍ବାଚିତ କରୁଛନ୍ତି, ଗୋଟିଏ ନିର୍ଦିଷ୍ଟ ବୃତ୍ତିରେ ପାରଙ୍ଗମ ନରନାରୀମାନଙ୍କୁ ଶାସନ ଗାଦିରେ ବସାଇ ଦେଉଛନ୍ତି। ମନେପଡ଼େ ଏକ କାହାଣୀ। ଥରେ ଜଣେ ରାଜାଙ୍କୁ ଅଣ୍ଟାରେ ରକା ଲାଗିଲା। ରାଜ୍ୟର ମୁଖ୍ୟ ଡାକ୍ତର ଯେତେ ମୂଲ୍ୟବାନ ଔଷଧ ଦେଲେ ବି ତାଙ୍କୁ ଆରାମ ଲାଗିଲା ନାହିଁ। ଦିନେ ରାତିରେ ସୁଅାଙ୍ଗ ପରିବେଷଣ ହେଉଥିଲା। ଭାଣ୍ଡର ଅଭିନୟରେ ରାଜା ପ୍ରବଳ ହସିଲେ ଓ ତଦ୍ଦ୍ବାରା ରାଜାଙ୍କ ରକାଜନିତ ବେଦନା ଲାଘବ ହେଲା। ତତ୍‌କ୍ଷଣାତ୍‌ ରାଜା ଆଦେଶ ଦେଲେ ସେହି ମୁହୂର୍ତ୍ତରୁ ଭାଣ୍ଡ ହେବ ରାଜ୍ୟର ମୁଖ୍ୟ ଡାକ୍ତର। ସୁଆଙ୍ଗରେ ଭାଣ୍ଡ ଭୂମିକା କିଏ ତୁଲାଇବ ପ୍ରଶ୍ନ ଉଠନ୍ତେ ରାଜା ସମସ୍ୟାର ସମାଧାନ କରିବାକୁ ଯାଇ କହିଲେ, ‘ଏଣିକି ଡାକ୍ତର ହେବେ ଭାଣ୍ଡ।’ ଏହିଭଳି ହୁଙ୍କାପିଟା ଶାସନର ଏବେ ବି ଅନ୍ତ ହୋଇନାହିଁ। ଏହି ହୁକାପିଟାର ଅଧିକାର ଚାଲିଆସିଛି ଜନତା ହାତକୁ। ଏହି ଜନତା କେତେବେଳେ ଅଭିନେତା ଅଭିନେତ୍ରୀମାନଙ୍କୁ ଶାସନ ଗାଦିରେ ବସାଇ ଦେଉଛନ୍ତି ତ କେତେବେଳେ ବିଜ୍ଞ ରାଜନୀତିଜ୍ଞମାନଙ୍କୁ ଶାସନଗାଦିରୁ ହଟାଇ ଦେଉଛନ୍ତି। ଅବଶ୍ୟ ଅଭିନେତା ଅଭିନେତ୍ରୀମାନଙ୍କ ମଧ୍ୟରେ ବି ରାଜନୀତିଜ୍ଞ ହୋଇପାରିବା ପ୍ରତିଭା ରହିଛି। ମାତ୍ର ଜନସାଧାରଣ ତାଙ୍କର ରାଜନୈତିକ ଜ୍ଞାନକୁ ବିଚାରକୁ ନେଇ ଭୋଟ ଦିଅନ୍ତି ନାହିଁ, ଭୋଟ ଦିଅନ୍ତି ସେମାନଙ୍କ ଅଭିନୟ ପ୍ରତିଭାଜନିତ ଲୋକପ୍ରିୟତା ପାଇଁ। ଭାରତୀୟ ଗଣତନ୍ତ୍ର ସେହିଦିନ ସଫଳ ହେବ ଯେଉଁଦିନ ଜନସାଧାରଣ ଉପଯୁକ୍ତ ପ୍ରାର୍ଥୀକୁ ନିର୍ବାଚିତ କରିବେ। ସେହିଦିନକୁ ଅପେକ୍ଷା।
ଟିଟିଲାଗଡ଼

kalyan agarbati
Leave A Reply