mission shakti banner

ଭାରତ-ବାଂଲାଦେଶ ଫାଇନାଲ ଆଜି

BSKY banner  750×100
0

କଲମ୍ବୋ: ତା’ର ସ୍ୱାଧୀନତାର ୭୦ ବର୍ଷ ପୂରଣ ଉପଲକ୍ଷେ ଶ୍ରୀଲଙ୍କା ନିଦାହାସ୍‌ ଟ୍ରଫି ତ୍ରିରାଷ୍ଟ୍ରୀୟ ଟ୍ୱେଣ୍ଟି୨୦ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିବା ବେଳେ ଶ୍ରୀଲଙ୍କା ହିଁ ଫାଇନାଲରେ ପହଞ୍ଚି ପାରିନାହିଁ। ରବିବାର ଭାରତ ଓ ବାଂଲାଦେଶ ମଧ୍ୟରେ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ବାଂଲାଦେଶ ବିପକ୍ଷରେ ଟ୍ୱେଣ୍ଟି୨୦ ସିରିଜ୍‌ ପୋଛି ନେଇଥିବା ଶ୍ରୀଲଙ୍କା କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟରେ ବାଂଲାଦେଶଠାରୁ ଉଭୟ ମ୍ୟାଚ୍‌ରେ ପରାସ୍ତ ହୋଇଛି। ପ୍ରଥମ ଲିଗ୍‌ ମ୍ୟାଚ୍‌ରେ ମୁସ୍‌ଫିକୁର ରହିମ୍‌ଙ୍କ ସ୍ମରଣୀୟ ଇନିଂସ ଶ୍ରୀଲଙ୍କାଠାରୁ ମ୍ୟାଚ୍‌ ଛଡ଼ାଇ ନେଇଥିବା ବେଳେ ୨ୟ ଲିଗ୍‌ ମ୍ୟାଚ୍‌ର ଅନ୍ତିମ ଓଭରରେ ମହମ୍ମଦୁଲ୍ଲାଙ୍କ ପ୍ରହାର ଶ୍ରୀଲଙ୍କାର ଫାଇନାଲ ରାସ୍ତା ବନ୍ଦ କରିଦେଇଛି। ଏଣେ ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତକୁ ପରାସ୍ତକରି ଅଭିଯାନ ଆରମ୍ଭ କରିଥିବା ଶ୍ରୀଲଙ୍କା ପରବର୍ତ୍ତୀ ୩ଟିଯାକ ମ୍ୟାଚ୍‌ରେ ପରାସ୍ତ ହୋଇଛି।
ଟୁର୍ଣ୍ଣାମେଣ୍ଟରେ ଅଦ୍ୟାବଧି ଭାରତ ହିଁ ୩ଟି ଦଳଙ୍କ ମଧ୍ୟରେ ଶ୍ରେଷ୍ଠ ବୋଲି ନିଜକୁ ପ୍ରମାଣିତ କରିଛି। ପ୍ରମୁଖ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରୁ ବିଶ୍ରାମ ନେଇଥିଲେ ହେଁ ଏହାର ପ୍ରଭାବ ଦଳର ପ୍ରଦର୍ଶନ ଉପରେ ପଡ଼ିନାହିଁ। ଭାରତୀୟ ଯୁବ ଖେଳାଳି ସୁଯୋଗର ସଦ୍‌ବ୍ୟବହାର କରି ପାରିଛନ୍ତି। ଓପ୍‌ନର ଶିଖର ଧାୱନ ଚମ୍ପିଆନ୍‌ଙ୍କ ପରି ବ୍ୟାଟିଂ କରିଛନ୍ତି। ପୁଣି ବାଂଲାଦେଶ ବିରୋଧରେ ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଅଧିନାୟକ ରୋହିତ ଶର୍ମା ୮୯ ରନ୍‌କରି ଫର୍ମକୁ ଫେରିଛନ୍ତି। ମଧ୍ୟକ୍ରମରେ ସୁରେଶ ରୈନା ବଡ଼ ସ୍କୋର୍‌ ନହେଲେ ବି ୨୮, ୨୭ ଓ ୪୭ ରନ୍‌ ଦ୍ରୁତଗତିରେ କରିଛନ୍ତି। ମନୀଷ ପାଣ୍ଡେ ନିୟମିତ ଭାବେ ଭଲ ବ୍ୟାଟିଂ କରୁଥିବା ବେଳେ ଦିନେଶ କାର୍ତ୍ତିକ ମଧ୍ୟକ୍ରମକୁ ଦୃଢ଼ତା ଦେଇଛନ୍ତି। କେବଳ ୨ଟି ମ୍ୟାଚ୍‌ରେ କେ.ଏଲ୍‌. ରାହୁଲ ବଡ଼ ସ୍କୋର୍‌ କରି ପାରିନାହାନ୍ତି। ବୋଲିଂରେ ଭାରତର ହିରୋ ସାଜିଛନ୍ତି ୧୯ ବର୍ଷ ବୟସ୍କ ୱାଶିଂଟନ ସୁନ୍ଦର। ନୂଆବଲ୍‌ରେ ଅଫ୍‌ସ୍ପିନର ସୁନ୍ଦର ଭଲ ବୋଲିଂକରି ଓଭର ପିଛା ୫.୮୭ ରନ୍‌ଦେଇ ସର୍ବାଧିକ ୭ଟି ୱିକେଟ ନେଇଛନ୍ତି। ସାର୍ଦ୍ଦୁଳ ଠାକୁର ୬ଟି ଏବଂ ଜୟଦେବ ଉନାଦ୍‌କତ ଓ ୟୁଜୁବେନ୍ଦ୍ର ଚହଲ ୫ଟି ଲେଖାଏଁ ୱିକେଟ ପାଇଛନ୍ତି। ବାଂଲାଦେଶ ବିରୋଧରେ ୪ ଓଭରରୁ ୫୦ ରନ୍‌ ଦେବା ପରେ ମହମ୍ମଦ ସିରାଜ୍‌ଙ୍କ ସ୍ଥାନରେ ଉନାଦ୍‌କତ ଖେଳିବା ନିଶ୍ଚିତ। ଭାରତ ଏହି ଏକମାତ୍ର ପରିବର୍ତ୍ତନ କରିପାରେ।
ଅନ୍ୟପକ୍ଷରେ କଷ୍ଟସାଧ୍ୟ ସ୍ଥିତିରୁ ଶ୍ରୀଲଙ୍କା ବିରୋଧରେ ୨ଟି ମ୍ୟାଚ୍‌ ଜିତିବା ବାଂଲାଦେଶକୁ ଉତ୍ସାହିତ କରିଥିବ ନିଶ୍ଚୟ। ଦଳ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିଥିବା ବେଳେ ଶ୍ରୀଲଙ୍କା ବିପକ୍ଷରେ ଅନ୍ତିମ ମ୍ୟାଚ୍‌ରେ ଚମତ୍କାର ବୋଲିଂକରି ୪୧ ରନ୍‌ରେ ୫ଟି ୱିକେଟ ନେଇ ପାରିଥିଲା। ଓପ୍‌ନର ତମିମ୍‌ ଇକ୍‌ବାଲ ଓ ମୁସ୍‌ଫିକୁର ରହିମ୍‌ ଅଦ୍ୟାବଧି ଚମତ୍କାର ବ୍ୟାଟିଂ କରିଛନ୍ତି। ଲିଟନ୍‌ ଦାସ ଏବଂ ମହମ୍ମଦୁଲ୍ଲା ମଧ୍ୟ ଗୋଟିଏ ଲେଖାଏଁ ଭଲ ଇନିଂସ ଖେଳିଛନ୍ତି। ତେବେ ସାବିର ରେହ୍‌ମାନ ଓ ସୌମ୍ୟ ସରକାରଙ୍କ ଫର୍ମ ଦଳକୁ ନିରାଶ କରିଛି। ତେବେ ଅଧିନାୟକ ସାକିବ୍‌ ଅଲ୍‌ ହାସନ୍‌ ଫିଟ୍‌ହୋଇ ଦଳକୁ ଫେରିବା ଯୋଗୁଁ ବାଂଲାଦେଶର ଶକ୍ତିବୃଦ୍ଧି ଘଟିଛି ନିଶ୍ଚୟ। ଶ୍ରୀଲଙ୍କା ବିରୋଧରେ ସାକିବ୍‌ ଭଲ ବୋଲିଂ କରିଥିଲେ। ସେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଅଲ୍‌ରାଉଣ୍ଡର। ରୁବେଲ ହୋସେନ୍‌ ଓ ମୁସ୍ତାଫିଜୁର ରେହ୍‌ମାନ ଭଲ ବୋଲିଂ କରିଛନ୍ତି। ତେବେ ଉଭୟ ଦଳର ଶକ୍ତିକୁ ଦେଖିଲେ ଭାରତ ଏହି ମ୍ୟାଚ୍‌ରେ ଫେଭରିଟ୍‌। ତେବେ ଭାରତକୁ ଚକିତ କରିବାର କ୍ଷମତା ବାଂଲାଦେଶର ରହିଛି। ପିଚ୍‌ରେ ଭରପୂର ରନ୍‌ ରହିଛି। ତେଣୁ ଯେଉଁ ଦଳ ଟସ୍‌ ଜିତିବ; ଏହା ରନ୍‌ର ପିଛା କରିବାର ନିଷ୍ପତ୍ତି ନେଇପାରେ। ଆଇପିଏଲ ପୂର୍ବରୁ ଏକ ଆନ୍ତର୍ଜାତିକ ଟ୍ରଫି ଜିତିବାକୁ ଭାରତ ନିଶ୍ଚୟ ଚାହିଁବ। ମ୍ୟାଚ୍‌ ଭାରତୀୟ ସମୟ ସନ୍ଧ୍ୟା ୭ଟାରୁ ଆରମ୍ଭହେବ।

Leave A Reply