www.samajalive.in
Sunday, December 7, 2025
14.1 C
Bhubaneswar

ବିପଦରେ ବିମାନଯାତ୍ରା

ଉଡ଼ାଣ ଏକ ଏମିତି କ୍ଷେତ୍ର ଯେଉଁଠି ନିରାପତ୍ତାରେ ସାମାନ୍ୟତମ ତ୍ରୁଟି ସହ ବୁଝାମଣା କରିବା ସମ୍ଭବ ନୁହେଁ। ନିରାପଦ ଉଡ଼ାଣ ପାଇଁ ବୈମାନିକଙ୍କ ଦକ୍ଷତା ଓ ଅଭିଜ୍ଞତା ଯେତିକି ଆବଶ୍ୟକ ତତୋଽଧିକ ଜରୁରୀ ବ୍ୟୋମଯାନର ଭରସାଯୋଗ୍ୟ ନିରାପଦ ଇଞ୍ଜିନ୍‌ ଓ ଟେକ୍‌ନୋଲୋଜି। ବିମାନସେବା ଦେଶଦେଶ ମଧ୍ୟରେ ଦୂରତ୍ବକୁ ସଂକୁଚିତ କରିଦେଇଛି ଏବଂ ଅନ୍ତର୍ଜାତିକ ଯୋଗାଯୋଗ ତଥା ଗମନାଗମନରେ ପ୍ରମୁଖ ଭୂମିକା ନିର୍ବାହ କରୁଛି। ନିରାପତ୍ତା ଓ ସୁରକ୍ଷାକୁ ଅଗ୍ରାଧିକାର ଦେଇ ବିମାନ ନିର୍ମାଣକାରୀ କମ୍ପାନୀମାନେ ନୂଆପିଢ଼ିର ଯାନ ନିର୍ମାଣ କରୁଛନ୍ତି। ଯାନ୍ତ୍ରିକ ତ୍ରୁଟିଜନିତ ଦୁର୍ଘଟଣାକୁ ଯେପରି ଏଡ଼ାଇ ହେବ ସେଥିପାଇଁ ବିମାନରେ ବିକଳ୍ପ ବ୍ୟବସ୍ଥା ମଧ୍ୟ କରାଯାଉଛି। ସେ ଦୃଷ୍ଟିରୁ ବିମାନ ଦୁର୍ଘଟଣା ହାର କମ୍‌ ରହୁଛି ଏବଂ ବୈମାନିକ ତ୍ରୁଟି ତଥା ବାହ୍ୟ କାରଣରୁ ବେଳେବେଳେ ଅଘଟଣ ଘଟୁଛି।
ଏଇ ନିକଟରେ ଇଥିଓପିଆର ଏକ ନୂଆ ବୋଇଂ ୭୩୭ ମାକ୍ସ୮ ଯାତ୍ରୀ ବିମାନ ଉଡ଼ାଣ ଆରମ୍ଭ କରିବାମାତ୍ରେ ଦୁର୍ଘଟଣାଗ୍ରସ୍ତ ହେବାରୁ ଏଥିରେ ଥିବା ଚାରି ଭାରତୀୟଙ୍କ ସହିତ ୧୫୭ଜଣଙ୍କର ମୃତ୍ୟୁ ଘଟିଛି। ଇଞ୍ଜିନ୍‌ ତ୍ରୁଟି ଯୋଗୁଁ ଏହା ଘଟିଛି ବୋଲି ସନ୍ଦେହ କରାଯାଉଛି ଏବଂ ଉଦ୍ଧାର ହୋଇଥିବା ବିମାନର ବ୍ଲାକ୍‌ବକ୍ସରୁ ପ୍ରକୃତ କାରଣ ଜଣାପଡ଼ିବ। ଗତ ଅକ୍ଟୋବର ମାସରେ ଇଣ୍ଡୋନେସିଆର ଲାୟନ ଏୟାରଲାଇନ୍ସର ଅନୁରୂପ ଏକ ବିମାନ ସମାନସ୍ଥିତିରେ ଦୁର୍ଘଟଣାଗ୍ରସ୍ତ ହୋଇ ୧୪୯ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାପରେ ଚୀନ, ଇଣ୍ଡୋନେସିଆ ଓ ଇଥିଓପିଆର ବିଭିନ୍ନ ଏୟାରଲାଇନ୍ସ ନିଜନିଜର ବୋଇଂ ୭୩୭ ମାକ୍ସ ୮ ବିମାନ ଚଳାଚଳକୁ ସାମୟିକ ଭାବେ ରଦ୍ଦ କରିଛନ୍ତି। ଆବଶ୍ୟକ ତଦାରଖ ଓ ପରୀକ୍ଷାନିରୀକ୍ଷା ପରେ ଏହି ବିମାନକୁ ଚଳାଚଳ ପାଇଁ ଅନୁମତି ଦିଆଯିବ। ଭାରତ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିନଥିଲେ ମଧ୍ୟ କେତେକ ଏୟାରଲାଇନ୍ସ ଏହାର ଚଳାଚଳକୁ ବାତିଲ କରିଛନ୍ତି। ଏହି ବିମାନ ଫ୍ରାନ୍ସର ସାଫ୍ରାନ୍‌ କମ୍ପାନୀ ଦ୍ବାରା ନିର୍ମିତ। ଅତ୍ୟାଧୁନିକ, ନିର୍ଭରଯୋଗ୍ୟ ଓ ସୁରକ୍ଷିତ ଇଞ୍ଜିନ୍‌ ପାଇଁ ଏହା ବେଶ୍‌ ପରିଚିତ ହୋଇଥିବାବେଳେ ଏହାର ବିକ୍ରି ବିଶ୍ବରେ ସର୍ବାଧିକ। ଭାରତ ସମେତ ଅନେକ ଦେଶ ଏହାକୁ କିଣି ବ୍ୟବହାର କରୁଛନ୍ତି।
ସର୍ବାଧିକ ବିକ୍ରି ହେଉଥିବା ବିମାନ ଯାନ୍ତ୍ରିକ ତ୍ରୁଟି ଯୋଗୁ ଦୁର୍ଘଟଣାଗ୍ରସ୍ତ ହେବା ପୁଣି ନୂଆ ବିମାନକ୍ଷେତ୍ରରେ ଏହା ଘଟିବା ନିଶ୍ଚିତ ଏହାର ସୁରକ୍ଷା ଓ ବୈଷୟିକ ଦିଗ ପ୍ରତି ସଂଶୟ ସୃଷ୍ଟି କରିଛି। ତେଣୁ ଭାରତରେ ଏହାର ଚଳାଚଳ ପ୍ରତି କର୍ତ୍ତୃପକ୍ଷଙ୍କୁ ତୀକ୍ଷ୍‌ଣ ନଜର ରଖିବାକୁ ପଡ଼ିବ। ଏକଦା ବ୍ରିଟିଶ-ଫ୍ରାନ୍ସ ମିଳିତ ଜ୍ଞାନକୌଶଳରେ ନିର୍ମିତ କନ୍‌କୋର୍ଡ ବିମାନ ଏହାର ସୁପରସୋନିକ ଗତି, ଆକାର ଓ ଅତ୍ୟାଧୁନିକତା ପାଇଁ ସମଗ୍ର ବିଶ୍ବରେ ଚହଳ ପକାଇଥିଲା; କିନ୍ତୁ ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେବାରୁ ଏହି ବିମାନ ତାହାର ବିଶ୍ବସନୀୟତା ହରାଇ ଶେଷରେ ଉତ୍ପାଦନ ବନ୍ଦ ହୋଇଗଲା। ବୋଇଂ ୭୩୭ ଏବେ ବିଶ୍ବ ଉଡ଼ାଣ ବଜାରରେ ଏକନମ୍ବର ସ୍ଥାନ ଦଖଲ କରିଛି। ନିରାପତ୍ତା ଓ ସୁରକ୍ଷାଜନିତ ତ୍ରୁଟି ଯୋଗୁଁ ଏହା କନକୋର୍ଡ ରାସ୍ତାରେ ଯାଉନାହିଁ ତ ?

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories